ୟୁକ୍ରେନ୍‌ରେ ସବୁ ଲକ୍ଷ୍ୟ ହାସଲ କରିବୁ: ପୁଟିନ

ପଶ୍ଚିମ ରାଷ୍ଟ୍ର ଆର୍ଥିକ କଟକଣାର ପରିଣାମ ଭୋଗିବେ

ମସ୍କୋ: ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧର ୪୮ତମ ଦିବସରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପଶ୍ଚିମ ରାଷ୍ଟ୍ରମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ରୁଷ୍‌ ବିରୋଧରେ ପଶ୍ଚିମ ରାଷ୍ଟ୍ରମାନେ ଯେଉଁ ଆର୍ଥିକ କଟକଣା ଲଗାଇଛନ୍ତି ତାହାର ସାଂଘାତିକ ପରିଣାମ ସେମାନେ ଭୋଗିବେ ବୋଲି ପୁଟିନ କହିଛନ୍ତି। ‘ଆମେ ୟୁକ୍ରେନ୍‌ରେ ଆମର ସାମରିକ ଅଭିଯାନକୁ ଯୋଜନା ମୁତାବକ ଜାରି ରଖିଛୁ ଏବଂ ଏହି ଅଭିଯାନର ସବୁ ଲକ୍ଷ୍ୟକୁ ହାସଲ କରିବୁ’ ବୋଲି ପୁଟିନ କହିଛନ୍ତି। ପଶ୍ଚିମ ରାଷ୍ଟ୍ର ରୁଷ୍‌ ବିରୋଧରେ ନେଇଥିବା ସମସ୍ତ ପଦକ୍ଷେପ ପାଇଁ ପସ୍ତାଇବେ ଏବଂ ଏହାର କୁଫଳ ଭୋଗିବେ ବୋଲି ପୁଟିନ ଚେତାଇ ଦେଇଛନ୍ତି। ୟୁକ୍ରେନ୍‌ରେ ସାମରିକ ଅଭିଯାନର ତୀବ୍ରତା ଉପରେ ବହୁତ କିଛି ନିର୍ଭର କରୁଛି ବୋଲି ପୁଟିନ କହିଛନ୍ତି। ଯଦି ତୀବ୍ରତା କମିବ ତା’ହେଲେ ଏହି ଅଭିଯାନ ଲମ୍ବା ଚାଲିବ ବୋଲି ମଧ୍ୟ ସେ କହିଛନ୍ତି। ପଶ୍ଚିମ ରାଷ୍ଟ୍ରମାନଙ୍କ ଆର୍ଥିକ କଟକଣାକୁ ଏବେ ରୁଷ୍‌-ବେଲାରୁଷ ଯେଭଳି ମିଳିତ ମୁକାବିଲା କରୁଛନ୍ତି ତାହା ଉଦାହରଣୀୟ ଏବଂ ଆଗକୁ ଏ ଦିଗରେ ଆମେ ଅଧିକ ସମନ୍ବୟରେ କାମ କରିବୁ ବୋଲି ପୁଟିନ କହିଛନ୍ତି। ଡୋନ୍‌ବାସ ଅଂଚଳକୁ ପୂର୍ଣ୍ଣ ସ୍ବାଧୀନତା ଦେବାପାଇଁ ଆମେ ମହତ ଲକ୍ଷ୍ୟ ହାସଲ କରିବୁ ବୋଲି ସେ କହିଛନ୍ତି। ବୁସା ସହରରେ ଗଣହତ୍ୟା ଖବର ଏବଂ ରାସ୍ତାସାରା ମୃତଦେହ ପଡ଼ିବା ଖବର ସମ୍ପୂର୍ଣ୍ଣ ମିଛ ବୋଲି କହି ପୁଟିନ୍‌ କହିଛନ୍ତି ଯେ ସିରିୟାରେ ରସାୟନିକ ଅସ୍ତ୍ର ପ୍ରୟୋଗ ହୋଇଥିବା ନେଇ ଅସାଦ୍‌ ସରକାର ବିରୋଧରେ ପଶ୍ଚିମ ରାଷ୍ଟ୍ରମାନେ ଘୋର ପ୍ରଚାର କରିଥିଲେ। ପରେ ତାହା ପୂରା ମିଛ ପ୍ରମାଣିତ ହୋଇଥିଲା।

ପୂର୍ବ ୟୁକ୍ରେନ୍‌ରେ ଖୁବ୍‌ ଶୀଘ୍ର ଭୀଷଣ ଯୁଦ୍ଧ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ପୁଟିନ୍‌ଙ୍କ ଏହି ବୟାନ ନାଟୋ ରାଷ୍ଟ୍ରମାନଙ୍କୁ ଚିନ୍ତାରେ ପକାଇଛି। ଏ ପର୍ଯ୍ୟନ୍ତ ୟୁକ୍ରେନ୍‌କୁ ନାଟୋ ରାଷ୍ଟ୍ରମାନଙ୍କ ସାମରିକ ସହାୟତା ପ୍ରଦାନ ନିଷ୍ପତ୍ତି କେବଳ ଘୋଷଣାରେ ହିଁ ସୀମିତ ରହିଛି। ଅନ୍ୟପକ୍ଷରେ ୟୁକ୍ରେନ୍‌କୁ ସାମରିକ ସହାୟତା ଯୋଗାଣର ସବୁ ରାସ୍ତା ବନ୍ଦ କରିବା ପାଇଁ ମଧ୍ୟ ରୁଷ୍‌ ପଦକ୍ଷେପ ନେଉଛି। ଏଥିପାଇଁ ସାମରିକ ଓ ବେସାମରିକ ବିମାନ ବନ୍ଦରଗୁଡ଼ିକୁ ଧ୍ବସ୍ତ କରିଦିଆଯାଉଛି। ସୈନିକଙ୍କ ମୃତ୍ୟୁକୁ କମାଇବା ପାଇଁ ରୁଷ୍‌ ଡ୍ରୋନ୍‌ ଆକ୍ରମଣକୁ ଅଧିକ ବ୍ୟାପକ କରିଛି ।

ନିପ୍ରୋ ସହର ହେବ ଯୁଦ୍ଧର କେନ୍ଦ୍ରସ୍ଥଳ, ମହିଳା, ଶିଶୁଙ୍କୁ ଖାଲି କରାଯାଉଛି

ନୂଆଦିଲ୍ଲୀ : ମାରିୟୁପୋଲ୍‌ ପରେ ଏବେ ୟୁକ୍ରେନ୍‌ର ଅନ୍ୟତମ ପ୍ରମୁଖ ସହର ନିପ୍ରୋ ଯୁଦ୍ଧର କେନ୍ଦ୍ରସ୍ଥଳ ହେବାକୁ ଯାଉଛି। ଗତ କିଛି ଦିନ ମଧ୍ୟରେ ରୁଷ୍‌ ସେନା ୟୁକ୍ରେନ୍‌ର ପୂର୍ବ ଏବଂ ଦକ୍ଷିଣ ଅଂଶରେ ସାମରିକ ଅପରେସନ୍‌କୁ ଜୋରଦାର କରିଛନ୍ତି। ନିପ୍ରୋରେ ଅନେକ ଥର କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି ଏବଂ ଏହାର ବିମାନ ବନ୍ଦର ସମେତ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନକୁ ଧ୍ବଂସ କରିଦିଆଯାଇଛି । ନିପ୍ରୋକୁ ଆସୁଥିବା ୟୁକ୍ରେନ୍‌ ସେନାର କେତେକ ପରିବହନ ଟ୍ରକ୍‌କୁ ମଧ୍ୟ ରୁଷ୍‌ ଡ୍ରୋନ୍‌ ଆକ୍ରମଣରେ ଉଡ଼ାଇ ଦେଇଛି। ଉଲ୍ଲେଖଯୋଗ୍ୟ, ରୁଷ୍‌ ଗତ ମାର୍ଚ୍ଚ ୨୯ ତାରିଖରେ ଏହାର ରଣନୀତିରେ ପରିବର୍ତ୍ତନ ଘୋଷଣା କରିଥିଲା। କିବ୍‌ ଏବଂ ଚେର୍ନିହିବରେ ଏହା ସେନା ପ୍ରତ୍ୟାହାର କରି ପୂର୍ବ ଅଞ୍ଚଳ ଉପରେ ଫୋକସ୍‌ କରିବ ବୋଲି କହିଥିଲା। ସମଗ୍ର ପୂର୍ବ ୟୁକ୍ରେନ୍‌ ଏବେ ଆତଙ୍କରେ ଥରୁଥିବା ବେଳେ ଲୋକଙ୍କ ପଳାୟନ ଜାରି ରହିଛି। ଲକ୍ଷାଧିକ ଲୋକ ସପ୍ତାହକ ମଧ୍ୟରେ ଏହି ଅଂଚଳ ଛାଡ଼ିଛନ୍ତି ଏବଂ ଲୋକଙ୍କୁ ଖାଲି କରିବା କ୍ଷେତ୍ରରେ କେତେକ ଅଂଚଳରେ ରୁଷ୍‌ ସେନା ମଧ୍ୟ ସହାୟତା କରୁଛି। ଅନ୍ୟପକ୍ଷରେ ଡୋନେସ୍କ ଏବଂ ଲୁହାଂସ୍କ ଅଞ୍ଚଳର କିଛି ଅଂଶରେ ରୁଷ୍‌ ଗୋଳାବର୍ଷା ଯୋଗୁଁ ମୃତ୍ୟୁସଂଖ୍ୟା ବଢ଼ିଛି ବୋଲି ୟୁକ୍ରେନ୍‌ ଅଧିକାରୀମାନେ କହିଛନ୍ତି। ଏହି ଅଂଚଳରେ ୟୁକ୍ରେନ୍‌ର ୩ଟି ବିଶାଳ ଅସ୍ତ୍ର ଭଣ୍ଡାରକୁ ରୁଷ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ର ମାଡ଼ କରି ନଷ୍ଟ କରିଦେଇଛି। ଆଗକୁ ୟୁକ୍ରେନ୍‌ ସେନା ପାଇଁ ବଡ଼ ଧରଣର ଅସ୍ତ୍ର ସଙ୍କଟ ଆସିବା ସ୍ପଷ୍ଟ ହୋଇଯାଇଥିବାରୁ ତୁରନ୍ତ ଅସ୍ତ୍ର ଯୋଗାଣ ପାଇଁ ରାଷ୍ଟ୍ରପତି ବୋଲ୍‌ଡିମିର ଜେଲେନ୍‌ସ୍କି ପଶ୍ଚିମ ରାଷ୍ଟ୍ରମାନଙ୍କୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର