ନୂଆଦିଲ୍ଲୀ: ଗୋଟିଏ ରାତିର ବର୍ଷାରେ ନାଗପୁର ସହର ଉବୁଟୁବୁ ହୋଇଛି। ଶୁକ୍ରବାର ମଧ୍ୟରାତ୍ରିରୁ ନାଗପୁରରେ ପ୍ରବଳ ବର୍ଷା ଲାଗି ରହିବାରୁ ସହରର ଅଧା ଅଞ୍ଚଳ ବୁଡ଼ିଯାଇଛି। ପାଣିପାଗ ବିଭାଗ ଅନୁଯାୟୀ ଆଜି ଭୋର ୫.୩୦ ସୁଦ୍ଧା ନାଗପୁର ବିମାନବନ୍ଦରରେ ୧୦୬ ମିମି ବର୍ଷା ରେକର୍ଡ ହୋଇଥିଲା। ଅନେକ ରାସ୍ତା ଏବଂ ଜନବସତି ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ସରକାର ଆଜି ନାଗପୁରରେ ସମସ୍ତ ସ୍କୁଲ୍ ବନ୍ଦ ଘୋଷଣା କରିଛନ୍ତି।
ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଏକ୍ସରେ ଏକ ପୋଷ୍ଟ୍ କରି କହିଛନ୍ତି ଯେ ସେ ସହରରେ ବର୍ଷା ସ୍ଥିତିକୁ ଭଲଭାବେ ଅନୁଧ୍ୟାନ କରୁଛନ୍ତି। ଉଦ୍ଧାର କାର୍ଯ୍ୟ ପାଇଁ ଏନ୍ଡିଆରଏଫ୍ ଏବଂ ଏସଡିଆରଏଫ୍ ମୁତୟନ ହୋଇଛନ୍ତି। ଅନେକ ଜଳମଗ୍ନ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେହିପରି କୌଣସି ଗୁରୁତ୍ବପୂର୍ଣ୍ଣ କାମ ନଥିଲେ ଲୋକମାନଙ୍କୁ ଘରୁ ବାହାରକୁ ନବାହାରିବାପାଇଁ ନାଗପୁର ପୌର ନିଗମ ପକ୍ଷରୁ କୁହାଯାଇଛି।