ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ମୁରାଦାବାଦର ସମାଜବାଦୀ ପାର୍ଟି (ସପା) ସାଂସଦ ଡ ଏସ୍ଟି ହସନ ସମାନ ନାଗରିକ ସଂହିତା (ୟୁସିସି), ଆଦିପୁରୁଷ ଫିଲ୍ମ ଓ ୨୦୨୪ ଲୋକସଭା ନିର୍ବାଚନକୁ ନେଇ ବିଜେପି ସରକାରକୁ ଘେରିଛନ୍ତି। ସମାନ ନାଗରିକ ସଂହିତାକୁ ସେ ବିଜେପିର ନିର୍ବାଚନୀ ଖେଳ ବୋଲି ଅଭିହିତ କରିବା ସହ କହିଛନ୍ତି, ବିଜେପି ଯାହା ଆଇନ କରିବା କଥା କରୁ, ଆମେ ତାକୁ ମାନିବୁ ନାହିଁ। ଆମେ ସରିଆତ ଆଇନକୁ ହିଁ ମାନିବୁ।
ହସନ କହିଛନ୍ତି ଯେ, ୟୁସିସି ହେଉଛି ବିଜେପିର ନିର୍ବାଚନୀ ଏଜେଣ୍ଡା। ସେମାନେ ମୁସଲମାନଙ୍କୁ ହଇରାଣ କରିବାକୁ ଓ ହିନ୍ଦୁ-ମୁସଲମାନଙ୍କ ଭିତରେ ଭେଦ ସୃଷ୍ଟି କରିବାକୁ ଚାହୁଛନ୍ତି। ଆମେ ସରିଆତକୁ ମାନୁଛୁ ଓ ତାକୁ ହିଁ ମାନିବୁ। ଆମେ କୋରାନର ହୁକୁମକୁ ଛାଡ଼ିପାରିବୁ ନାହିଁ। କିଏ କେତେଟା ବିବାହ କଲା ସେଥିରେ ସେମାନଙ୍କର କ’ଣ ଯାଉଛି? ସେମାନେ ଲିଭ୍-ଇନ୍ ସମ୍ପର୍କକୁ ଅନୁମତି ଦେଉଛନ୍ତି, ବହୁବିବାହ ଉପରେ ଆପତ୍ତି କାହିଁକି? ସେହିପରି ଆଦିପୁରୁଷ ପରି ଫିଲ୍ମ ମାଧ୍ୟମରେ ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଛି ବୋଲି ସପା ସାଂସଦ ଅଭିଯୋଗ କରିଥିଲେ। କେରଳ ଷ୍ଟୋରି, କାଶ୍ମୀର ଫାଇଲ ଓ ଆଦିପୁରୁଷ ପରି ଫିଲ୍ମକୁ ସେମାନେ ବିରୋଧ କରନ୍ତି ବୋଲି କହିଥିଲେ। ୨୦୨୪ ନିର୍ବାଚନ ଉପରେ ହସନ କହିଲେ ଯେ, ଉତ୍ତରପ୍ରଦେଶରେ ବିଜେପିକୁ ସପା ହିଁ ରୋକିପାରିବ।