କାବୁଲ୍ ବିମାନ ବନ୍ଦର ଆକ୍ରମଣକାରୀଙ୍କୁ ବାଇଡେନ୍‌ଙ୍କ ଚେତାବନୀ: ଆମେ ତୁମକୁ ଖୋଜି ଧରିବୁ ଏବଂ ଶାସ୍ତି ଦେବୁ

ୱାସିଂଟନ୍: ଆଫାଗାନିସ୍ତାନରେ ସଙ୍ଗଠିତ ଦୁଇଟି ବୋମା ବିସ୍ଫୋରଣରେ ଜଡ଼ିତ ଥିବା ଆକ୍ରମଣକାରୀଙ୍କୁ ଯୁକ୍ତରାଷ୍ଟ୍ର ଆମେରିକା ଖୋଜି ଧରିବ ବୋଲି ଗୁରୁବାର ଦିନ କୋହଭରା କଣ୍ଠରେ ରାଷ୍ଟ୍ରପତି ଜୋ ବାଇଡେନ୍‌ ପ୍ରତିଜ୍ଞା କରି କହିଛନ୍ତି। ଏଥିସହ ଆକ୍ରମଣକାରୀଙ୍କ ବିପକ୍ଷରେ ପ୍ରତିଆକ୍ରମଣ କରିବା ଲାଗି ମଧ୍ୟ ସେ ‘ପେଣ୍ଟାଗନ୍‌’କୁ ନିର୍ଦେଶ ଦେଇଛନ୍ତି।

ଦୁଇଟି ବିସ୍ଫୋରଣରେ ଅନେକ ଆମେରିକୀୟ ସୈନ୍ୟ ନିହତ ଏବଂ ଆହତ ହେବାର କିଛି ସମୟ ପରେ ବାଇଡେନ୍‌ ଉପରୋକ୍ତ ଚେତାବନୀ ଦେଇଛନ୍ତି। ପ୍ରାୟ ଏକ ଦଶନ୍ଧି ମଧ୍ୟରେ ଆମେରିକୀୟ ସୈନ୍ୟବାହିନୀରେ ଏତେସଂଖ୍ୟକ ସୈନ୍ୟ ନିହତ ହୋଇ ନ ଥିଲେ। ‘ଇସ୍‌ଲାମିକ୍‌ ଷ୍ଟେଟ୍‌’ (ଆଇଏସ୍‌) ଉକ୍ତ ଆତ୍ମଘାତୀ ବୋମା ବିସ୍ଫୋରଣ କରିଥିବା ଦାବି କରିଛି।

ହ୍ବାଇଟ୍‌ ହାଉସ୍‌ରେ ବାଇଡେନ୍‌ କହିଛନ୍ତି, ଆମେ କ୍ଷମା ଦେବୁନାହିଁ କି, ଭୁଲିଯିବୁ ନାହିଁ। ଆମେ ତୁମକୁ ଖୋଜି ଧରିବୁ ଏବଂ ଶାସ୍ତି ଦେବୁ।

Image Courtesy of Reuters

ଏହା ବ୍ୟତିରେକେ, ବାଇଡେନ୍‌ କହିଛନ୍ତି ଯେ, ଯୁକ୍ତରାଷ୍ଟ୍ର ଆମେରିକାର ସ୍ଥାନାନ୍ତରଣ ଅଭିଯାନ ଚାଲୁ ରହିବ। ଆସନ୍ତା ମଙ୍ଗଳବାର ଦିନ ସ୍ଥାନାନ୍ତରଣ କାର୍ଯ୍ୟ ଶେଷ ହେବା ପ୍ରସଙ୍ଗରେ ସେ କୌଣସି ସୂଚନା ଦେଇନାହାନ୍ତି। କାବୁଲ୍ ପରିତ୍ୟାଗ କରିବା ଲାଗି ଅନ୍ୟୂନ ଆହୁରି ୧୦୦୦ଜଣ ଆମେରିକୀୟ ଏବଂ ତହୁଁ ଅଧିକ ଆଫଗାନ୍‌ବାସୀ ବ୍ୟତିବ୍ୟସ୍ତ ହେଉଛନ୍ତି।

ବାଇଡେନ୍‌ ପୁଣି କହିଛନ୍ତି, ‘ଆଇଏସ୍‌ଆଇଏସ୍-କେ’ର ସମ୍ବଳ, ନେତୃବୃନ୍ଦ ଏବଂ କେନ୍ଦ୍ରଗୁଡ଼ିକ ଉପରେ ଆକ୍ରମଣ କରିବା ନିମନ୍ତେ ଆଭିଯାନିକ ଯୋଜନା କରିବା ଲାଗି ମୁଁ ମୋ କମାଣ୍ଡର୍‌ମାନଙ୍କୁ ମଧ୍ୟ ଆଦେଶ ଦେଇଛି। ସୈନ୍ୟ ବଳ ସହ ଠିକଣା ସମୟରେ ଆମେ ଚୟନ କରିଥିବା ସ୍ଥାନ ଏବଂ ନିର୍ଦ୍ଧାରଣ କରିଥିବା ମୁହୂର୍ତ୍ତରେ ପ୍ରତିଆକ୍ରମଣ କରିବୁ।

ସେ ଆହୁରି ମଧ୍ୟ କହିଛନ୍ତି, ଏବେ ଆଫଗାନିସ୍ତାନକୁ ନିୟନ୍ତ୍ରଣ କରିଥିବା ତାଲିବାନ୍‌ ସହ ମିଶି ‘ଆଇଏସ୍ଆଇଏସ୍‌-କେ’ ଷଡ଼ଯନ୍ତ୍ର କରୁଥିବାର କୌଣସି ପ୍ରମାଣ ନାହିଁ। ବିସ୍ଫୋରଣରେ ଜଡ଼ିତ ଥିବା ବନ୍ଧୁକଧାରୀ ଏବଂ ବୋମା ନିକ୍ଷେପକାରୀଙ୍କୁ ଉଦ୍ଦେଶ୍ୟ କରି ସେ କହି‌ଛନ୍ତି, ସେମାନେ କିଏ ଆମେ ଜାଣିଛୁ ବୋଲି ବିଶ୍ବାସ କରିବାର କିଛି କାରଣ ରହିଛି। କିନ୍ତୁ, ନିଶ୍ଚିତ ନୋହୁଁ।

ସମ୍ବନ୍ଧିତ ଖବର