ସଂସଦରେ ହୋଇଥିବା କାପୁରୁଷ ଆକ୍ରମଣକୁ କଦାପି ଭୁଲି ପାରିବୁ ନାହିଁ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ୨୦୦୧ରେ ସଂସଦରେ ହୋଇଥିବା କାପୁରୁଷ ଆକ୍ରମଣକୁ ଦେଶ କେବେ ଭୁଲି ପାରିବ ନାହିଁ ବୋଲି ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଆକ୍ରମଣ ସମୟରେ ଜନଜୀବନ ରକ୍ଷା କରିବାକୁ ସହିଦ ହୋଇଥିବା ଯବାନମାନଙ୍କ ପ୍ରତି ମଧ୍ୟ ସେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ୨୦୦୧ ମସିହା ଆଜିର ଦିନରେ ଆମ ସଂସଦରେ ହୋଇଥିବା ଭୀରୁତାପୂର୍ଣ୍ଣ ଆକ୍ରମଣକୁ ଆମେ କେବେ ଭୁଲି ପାରିବୁ ନାହିଁ। ସଂସଦକୁ ସୁରକ୍ଷିତ ରଖି ଯେଉଁମାନେ ସହିଦ ହୋଇଥିଲେ ଆମେ ସେମାନଙ୍କ ଶୌର୍ଯ୍ୟ ଓ ଆତ୍ମବଳିକୁ ସ୍ମରଣ କରୁଛୁ। ଭାରତ ସର୍ବଦା ସେମାନଙ୍କ ପ୍ରତି କୃତଜ୍ଞ ରହିବ।

୧୯ ବର୍ଷ ତଳେ ଆଜିର ଦିନରେ, ଲୋକସଭା ଅଧିବେଶନ ସମୟରେ ଲଶ୍କର୍‌-ଏ-ତୈବା ଏବଂ ଜୈଶ୍‌-ଏ-ମହମ୍ମଦର ୫ଜଣିଆ ଆତ୍ମଘାତୀ ଆତଙ୍କବାଦୀ ଦଳ ଭାରତୀୟ ସଂସଦ ଆକ୍ରମଣ କରିଥିଲେ। ଆକ୍ରମଣ ସମୟରେ ଗୃହ ମୁଲତବୀ ଥିଲେ ମଧ୍ୟ କେତେକ ସାଂସଦ ଏବଂ କର୍ମଚାରୀ ସଂସଦରେ ଉପସ୍ଥିତ ଥିଲେ।

ଆତଙ୍କବାଦୀମାନଙ୍କୁ ସଂସଦ ଭବନ ମଧ୍ୟକୁ ପ୍ରବେଶ କରିବାରେ ବାଧା ଦେବାକୁ ଯାଇ ଦିଲ୍ଲୀ ପୁଲିସର ୫ଜଣ ସୁରକ୍ଷା କର୍ମଚାରୀ, ସିଆର୍‌ପିଏଫ୍‌ର ଜଣେ ମହିଳା କନେଷ୍ଟବଳ ଏବଂ ସଂସଦ ‘ଓ୍ଵାଚ୍‌ ଆଣ୍ଡ୍‌ ଓ୍ଵାର୍ଡ’ ସେକ୍ସନ୍‌ର ଦୁଇଜଣ ସୁରକ୍ଷା ସହକାରୀ ସହିଦ ହୋଇଥିଲେ। ଜଣେ ମାଳୀ ଓ ଜଣେ ଫଟୋସାମ୍ବାଦିକ ମଧ୍ୟ ଏହି ଆକ୍ରମଣରେ ପ୍ରାଣ ହରାଇଥିଲେ।

ସୁରକ୍ଷା କର୍ମଚାରୀଙ୍କ ସହ ଗୁଳି ବିନିମୟ କରି ୫ଜଣ ଆତଙ୍କବାଦୀ ସେହି ସମୟରେ ନିହତ ହୋଇଥିଲେ। ଅଳ୍ପ କେତେ ଦିନ ମଧ୍ୟରେ ଏହି ଆକ୍ରମଣର ୪ଜଣ ମାଷ୍ଟର୍‌ମାଇଣ୍ଡ୍‌ଙ୍କୁ ମଧ୍ୟ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର