ଅମୃତସର: ମାଗଣାରେ ୮ଟି ଗ୍ୟାସ ସିଲିଣ୍ଡର ସହ ୧୧୦୦ ଟଙ୍କା ଦେବୁ। ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି। ରବିବାର ସନ୍ଧ୍ୟାରେ ଚରଣଜିତ ସିଂ ଚନ୍ନି ଏକ ଟ୍ୱିଟରେ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ବଢ଼ୁଥିବା ମୁଦ୍ରାସ୍ଫୀତି ଏବଂ ଦାରିଦ୍ର୍ୟକୁ କମ କରିବାରେ ଲୋକଙ୍କୁ ସାହାଯ୍ୟ କରିବାକୁ ପଞ୍ଜାବର କଂଗ୍ରେସ ସରକାର ପ୍ରତିଶ୍ରୁତିବଦ୍ଧ।
ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ଦୁଇଟି ଆସନରୁ ଲଢ଼ୁଛନ୍ତି ଚରଣଜିତ୍ ସିଂ ଚନ୍ନି। ମୁଖ୍ୟମନ୍ତ୍ରୀ ଚନ୍ନି ଚମକୌର ସାହିବ ବିଧାନସଭା ଆସନ ବ୍ୟତୀତ ବର୍ଣ୍ଣାଲ ଜିଲ୍ଲାର ଭଦୌରରୁ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତେବେ ଦୁଇଟିରୁ ଆସନରୁ ଲଢ଼ିବି ଚନ୍ନି ଜିତିପାରିବେ ନାହିଁ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ।
The Congress Government is committed to help people against rising inflation and poverty#Monthly1100_Free8Cylinderspic.twitter.com/AAyRTz0OFn
— Charanjit S Channi (@CHARANJITCHANNI) February 13, 2022
ପଞ୍ଜାବର ଅମୃତସରରେ ପ୍ରଚାର ଅଭିଯାନ ଚଳାଇବା ବେଳେ କେଜ୍ରିୱାଲ୍ କହିଛନ୍ତି ଯେ, ଚନ୍ନି ସାହେବ ଚମକୌର୍ ସାହିବ୍ ଏବଂ ଭଦୌର୍ ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଆମେ ୩ ଥର ସର୍ଭେ କରିଛୁ। ଉଭୟ ଆସନରୁ ଚନ୍ନି ସାହେବ ପରାସ୍ତ ହେବେ ବୋଲି ସେଥିରୁ ଜଣାପଡ଼ିଛି। ଚମକୌର୍ରୁ ‘ଆମ୍ ଆଦ୍ମି ପାର୍ଟି’ ୫୨% ଭୋଟ୍ ପାଇବ ଏବଂ ଭଦୌର୍ରୁ ୪୮% ଭୋଟ୍ ପାଇବ। ତେଣୁ, ଚନ୍ନୀ ବିଧାୟକ ହୋଇ ପାରୁ ନ ଥିବା ବେଳେ ମୁଖ୍ୟମନ୍ତ୍ରୀ ହେବେ କେମିତି?
‘ଆପ୍’ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ମାନ୍ଙ୍କ ଉପସ୍ଥିତିରେ ଆୟୋଜିତ ଛୋଟଧରଣର ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଦଳର ଅଭ୍ୟନ୍ତରୀଣ କନ୍ଦଳକୁ ବିଦ୍ରୂପ କରି କେଜ୍ରିୱାଲ୍ କହିଛନ୍ତି, କଂଗ୍ରେସ ଗୋଟାଏ ସର୍କସ ପାଲଟି ଯାଇଛି। ପ୍ରତ୍ୟେକ ନେତା ପରସ୍ପର ମଧ୍ୟରେ ବିବାଦ କରୁଥିବା ବେଳେ ଏଭଳି ଗୋଟାଏ ଦଳ ପଞ୍ଜାବକୁ କ’ଣ ଦେଇ ପାରିବ? ଦଳ ଚଳାଇ ପାରୁ ନ ଥିବା ବେଳେ ସେମାନେ ସରକାର ଚଳାଇବେ କେମିତି? ୫ ବର୍ଷ ଲାଗି ପଞ୍ଜାବର ବିକାଶ ନିମନ୍ତେ ସୁନିଶ୍ଚିତ ହେବାକୁ ଗୋଟାଏ ଟିମ୍ ଭଳି ‘ଆପ୍’ ‘ଆଜେଣ୍ଡା’ ପ୍ରସ୍ତୁତି କରୁଛି।