ମୁମ୍ବାଇ: ବିଜେପି ପ୍ରତି ୫୪ ବିଧାୟକଙ୍କ ସମର୍ଥନ ଭଳି ଭୁଲ୍ ଉପସ୍ଥାପନା ନିମନ୍ତେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଫ୍ଲୋର୍ ଟେଷ୍ଟ୍ ପରେ ଆମେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବୁ ବୋଲି ଶିବ ସେନା ଏବଂ ଏନ୍ସିପିର ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଶରଦ ପାଓ୍ଵାର।
ସେ କହିଲେ ଏନ୍ସିପିର କେତେକ ଲୋକ ସକାଳେ ମୋତେ ଫୋନ୍ କରି କହିଲେ କି, ସେମାନେ ଅଜିତ ପାଓ୍ଵାର୍ଙ୍କ ସହ ରାଜଭବନରେ ପହଞ୍ଚିଛନ୍ତି। ଏ ନିଷ୍ପତ୍ତି କେବଳ ଅଜିତ ପାଓ୍ଵାର୍ଙ୍କର। ଅଜିତ ପାଓ୍ଵାରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯାହା ଘଟିଲା ସେଥିରେ ମୁଁ ଆଚମ୍ବିତ।
ଯାଉଥିବା ସମସ୍ତ ବିଧାୟକ ଜାଣିରଖିବା ଉଚିତ ଯେ ଆଣ୍ଟି ଡିଫେକେସନ୍ ଆଇନ୍ ବଳରେ ସେମାନେ ବିଧାନସଭା ସଦସ୍ୟତା ହରାଇବାର ସମ୍ଭାବନା ରହିଛି। ଆମେ ଏଇ ସରକାରଙ୍କୁ ସମର୍ଥନ କରୁନାହୁଁ। ୧୦ ରୁ ୧୧ ଜଣ ବିଧାୟକ ଅଜିତ ପାଓ୍ଵାର୍ଙ୍କ ସହ ସାମିଲ ହୋଇଛନ୍ତି। ସେମାନେ କିଏ ଆମେ ଚିହ୍ନଟ କରୁଛୁ।
/sambad/media/post_attachments/wp-content/uploads/2019/11/m-300x169.jpg)
ଅଜିତ ପାଓ୍ଵାର୍ଙ୍କ ବିରୋଧରେ ପ୍ରକ୍ରିୟା ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଶରଦ ପାଓ୍ଵାର କହିଛନ୍ତି। ସେ ପୁଣି କହିଲେ, ରାଜ୍ୟପାଳଙ୍କୁ ଠକିଥିବା କଥାକୁ ଏଡ଼ାଇ ଦେଇ ହେବନି। ଅଜିତ ଏନ୍ସିପି ବିଧାୟକଙ୍କ ‘ରେଡି-ମେଡ୍’ ତାଲିକା ଦାଖଲ କରିଥାଇ ପାରନ୍ତି। ତଦନ୍ତକାରୀ ଏଜେନ୍ସିଙ୍କୁ ଡରି ଅଜିତ ପାଓ୍ଵାର ଏମିତି କରିଛି କି, କ’ଣ ମୁଁ ଜାଣିନି। ମୋ ସୂତ୍ରରୁ ଜାଣିଛି ଯେ ରାଜଭବନରେ ଥିବା ୧୦-୧୧ଜଣ ବିଧାୟକଙ୍କ ମଧ୍ୟରୁ ୩ ଜଣ ମୋ ପାଖରେ ବସିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ଏନ୍ସିପି ବିଧାୟକ ରାଜେନ୍ଦ୍ର ସିଂଘେ କହିଲେ: ଘଟଣା କ’ଣ ସେ ସମ୍ପର୍କରେ ଆମର କୌଣସି ଧାରଣା ନ ଥିଲା। ଅଜିତ ପାଓ୍ଵାର ଆମକୁ ରାଜଭବନକୁ ନେଇ ଯାଇଥିଲେ। ଏଇଟା ଅବୁଝାମଣା ମାମଲା। ପ୍ରକୃତରେ କ’ଣ ହେଉଥିଲା ଜାଣି ନ ଥିଲୁ।
ଏନ୍ସିପି ବିଧାୟକ ସନ୍ଦୀପ ଶିବସାଗର କହିଲେ: ଶପଥ ଗ୍ରହଣ ହେବାକ୍ଷଣି ମୁଁ ଶରଦ ପାଓ୍ଵାରଙ୍କୁ ଫୋନ୍ କଲି। ଶପଥ ଗ୍ରହଣ ଉତ୍ସବ ସମ୍ବନ୍ଧରେ ଆମେ କିଛି ଜାଣି ନ ଥିଲୁ।
ଏଇଟା ମହାରାଷ୍ଟ୍ର ଉପରେ ସର୍ଜିକାଲ୍ ଷ୍ଟ୍ରାଇକ୍ ଏବଂ ଲୋକେ ଏହାର ପ୍ରତିଶୋଧ ନେବେ ବୋଲି ଉଦ୍ଧବ ଥାକ୍ରେ କହିଛନ୍ତି। ବିଜେପିର କୌଶଳ ପଦାରେ ପଡ଼ିବ।