ନୂଆଦିଲ୍ଲୀ : ଦେଶରେ କୋଭିଡ୍ ମହାମାରୀର ତୃତୀୟ ଲହର କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ରବିବାର ସକାଳ ୮ଟା ସୁଦ୍ଧା ଗତ ୨୪ ଘଣ୍ଟାରେ ଦେଶରେ ୨.୩୪ ଲକ୍ଷ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ସଂକ୍ରମଣ ହାର ୧୪.୫୦ ପ୍ରତିଶତ ରହିଛି। ତେବେ ନୂଆ ସଂକ୍ରମଣର ୬୩ ପ୍ରତିଶତ ୫ଟି ରାଜ୍ୟରେ ରହିଛି। ଏହି ରାଜ୍ୟଗୁଡ଼ିକ ହେଲା ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ତାମିଲନାଡ଼ୁ ଏବଂ ଆନ୍ଧ୍ରପ୍ରଦେଶ। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ପ୍ରାୟ ୨୮ ହଜାର ନୂଆ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ କେରଳରେ ୫୧ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କର୍ଣ୍ଣାଟକରେ ୩୩ ହଜାର ୩୩୭ ଏବଂ ତାମିଲନାଡ଼ୁରେ ୨୪ ହଜାର ୪୧୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଦେଶବ୍ୟାପୀ ଟିକାକରଣ ଅଭିଯାନରେ ୧୬୫.୭୦ କୋଟି ଟିକା ଡୋଜ୍ ପ୍ରଦାନ କରାଯାଇଛି। ଦେଶରେ ଏବେ ସକ୍ରିୟ ମାମଲା ୧୮,୮୪,୯୩୭ ରହିଛି। ଅନ୍ୟପକ୍ଷରେ ଆରୋଗ୍ୟ ହାର ବୃଦ୍ଧି ପାଇଁ ୯୪.୨୧ ପ୍ରତିଶତରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୩,୫୨,୭୮୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ଏବଂ ଏହି ସମୟ ମଧ୍ୟରେ ୮୯୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୪୪୮୩ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ କର୍ଣ୍ଣାଟକରେ ମଧ୍ୟ ସଂକ୍ରମଣ ହ୍ରାସ ପାଇବାରୁ କଟକଣା କୋହଳ କରାଯାଇଛି। ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୯୪ ହଜାର ଅତିକ୍ରମ କରିଛି।