ଆସୁ ଆସୁ ଦୁର୍ବଳ ହେଲା ମୌସୁମୀ, ଦକ୍ଷିଣ ଭାରତରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ବର : ଏବର୍ଷ ଭଲ ବର୍ଷା ହେବ, ବିଶେଷ କରି ଜୁନ ମାସରେ ଅଧିକ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ପୂର୍ବାନୁମାନ କରିଥିଲା । କିନ୍ତୁ ସ୍ଥିତି ସେତେଟା ଆଶାଜନକ ଲାଗୁ ନାହିଁ । କାରଣ ଏବର୍ଷ ମୌସୁମୀ ଆଗୁଆ କେରଳ ଛୁଇଁଥିଲେ ବି ଦକ୍ଷିଣ ଭାରତରେ ଭଲ ବର୍ଷା ହେଉନାହିଁ ।

ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟର ଆକଳନ ଅନୁସାରେ ଜୁନ ମାସରେ ଏପର୍ଯ୍ୟନ୍ତ ନିଅଣ୍ଟିଆ ବର୍ଷା ହୋଇଛି । ସମଗ୍ର ଦେଶରେ ୩୫ ପ୍ରତିଶତ କମ ବର୍ଷା ହୋଇଛି । ମୌସୁମୀ ସ୍ପର୍ଶ କରିଥିବା ଦକ୍ଷିଣ ଭାରତରେ ୨୪ ପ୍ରତିଶତ କମ ବର୍ଷା ହୋଇଥିବାବେଳେ ଉତ୍ତର-ପୂର୍ବ ଭାରତରେ ୭ ପ୍ରତିଶତ କମ ବର୍ଷା ହୋଇଛି । ତେବେ ଉତ୍ତର କର୍ଣ୍ଣାଟକରେ ଅଧିକ ବର୍ଷା ହୋଇଛି । ଆଣ୍ଡାମାନ ଓ ନିକୋବର ଓ ଲାକ୍ଷାଦ୍ବୀପରେ ବି ଭଲ ବର୍ଷା ହୋଇଛି ।

ସ୍କାଏମେଟ୍ ରିପୋର୍ଟ ଅନୁସାରେ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ମୌସୁମୀ ଦୁର୍ବଳ ରହିବ । ଅର୍ଥାତ ଆସନ୍ତା ସପ୍ତାହକ ମଧ୍ୟରେ ଦକ୍ଷିଣ ଭାରତରେ ବର୍ଷା ବଢିବାର ସମ୍ଭାବନା ନାହିଁ । ତେବେ ଆସନ୍ତା ୮ରୁ ୧୦ ଦିନ ପରେ ସ୍ଥିତିରେ ଉନ୍ନତି ଆସିପାରେ ବୋଲି ସଂସ୍ଥା କହିଛି । ଏପରି ହେଲେ ଓଡ଼ିଶାକୁ ବି ମୌସୁମୀ ଆସୁ ଆସୁ ବିଳମ୍ବ ହେବ । ମୌସୁମୀର ଏପରି ଲୁଚକାଳି ଖେଳି ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି ।

ସମ୍ବନ୍ଧିତ ଖବର