ନ୍ୟାୟିକ ବ୍ୟବସ୍ଥାରେ ଦୁର୍ବଳ ଭିତ୍ତିଭୂମି ପ୍ରସଙ୍ଗ: ଆଇନମନ୍ତ୍ରୀଙ୍କ ଉପସ୍ଥିତିରେ ଉଦ୍‌ବେଗ ଜଣାଇଲେ ପ୍ରଧାନ ବିଚାରପତି

ମୁମ୍ବାଇ : ନ୍ୟାୟ ପାଇବା ସହଜ ହେବାପାଇଁ ନ୍ୟାୟିକ ଭିତ୍ତିଭୂମି ସବୁଠୁ ଗୁରୁତ୍ବପୂର୍ଣ୍ଣ। କିନ୍ତୁ ଦେଶରେ ନ୍ୟାୟିକ ଭିତ୍ତିଭୂମିର ବିକାଶ ଅତ୍ୟନ୍ତ ଅନୌପଚାରିକ ଏବଂ ଅନିୟୋଜିତ ଭାବେ ଚାଲିଛି। ଦେଶରେ ନ୍ୟାୟିକ ଭିତ୍ତିଭୂମିର ଅଭାବ ରହିଛି ବୋଲି ଦର୍ଶାଇ ପ୍ରଧାନ ବିଚାରପତି ଏନ୍‌ଭି ରମଣା ଆଜି କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜ୍ଜୁଙ୍କ ସହ ଗୋଟିଏ ମଞ୍ଚରେ ଉପସ୍ଥିତ ରହି ଉଦ୍‌ବେଗ ପ୍ରକାଶ କରିଛନ୍ତି। ପ୍ରଧାନ ବିଚାରପତି ଦେଶରେ ନ୍ୟାୟିକ ଭିତ୍ତିଭୂମିର ଅଭାବ ସଂକ୍ରାନ୍ତରେ ରିଜ୍ଜୁଙ୍କୁ ଅବଗତ କରିଛନ୍ତି।

ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ଖଣ୍ଡପୀଠର ନୂଆ ଭବନ ଉଦ୍‌ଘାଟନ ସମାରୋହରେ ପ୍ରଧାନ ବିଚାରପତି ଏହା କହିଛନ୍ତି। ଅନେକ କୋର୍ଟରେ ଉପଯୁକ୍ତ ସୁବିଧା ସୁଯୋଗ ନାହିଁ। କିଛି କୋର୍ଟ କାର୍ଯ୍ୟ ମଧ୍ୟ ଅତ୍ୟନ୍ତ ବିପଦ‌ପୂର୍ଣ୍ଣ କୋଠାରେ ଚାଲିଛି। ଔରଙ୍ଗାବାଦରେ ଆଜି ଉଦ୍‌ଘାଟନ ହୋଇଥିବା କୋଠା ସଂକ୍ରାନ୍ତରେ ମଧ୍ୟ ୨୦୧୧ରେ ଯୋଜନା ହୋଇଥିଲା। ତେବେ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ୧୦ ବର୍ଷ ଲାଗିଯିବା ଅତ୍ୟନ୍ତ ଚିନ୍ତାଜନକ ବୋଲି ରମଣା କହିଛନ୍ତି। ଏକ ଫଳପ୍ରଦ ନ୍ୟାୟପାଳିକା ଦେଶର ଅର୍ଥନୀତି ଅଭିବୃଦ୍ଧିରେ ବି ସହଯୋଗ କରିବ ବୋଲି ସେ କହିଛନ୍ତି। ଦେଷରେ ଜାତୀୟ ନ୍ୟାୟିକ ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ସିଜେଆଇ କେନ୍ଦ୍ର ଆଇନ ଏବଂ ନ୍ୟାୟ ମନ୍ତ୍ରାଳୟ ପାଖକୁ ଏକ ପ୍ରସ୍ତାବ ପଠାଇଛନ୍ତି। ସଂସଦରେ ଆଗକୁ ଶୀତ ଅଧିବେଶନ ଥିବାବେଳେ ଏଥିରେ ତାଙ୍କର ଏହି ନିଷ୍ପତ୍ତିକୁ ସମ୍ମତି ମିଳିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର