ମୁମ୍ବାଇ: ଏପ୍ରିଲ୍ ୧ ତାରିଖ ଅର୍ଥାତ୍ ଆଜି ଠାରୁ ମୁମ୍ବାଇରେ ଆଉ କୋଭିଡ୍ ସୁରକ୍ଷା ପ୍ରଦାନକାରୀ ମାସ୍କ୍ ପିନ୍ଧିବା ବାଧ୍ୟତାମୂଳକ ନୁହେଁ। ଏହି ମାସ୍କ୍ ନ ପିନ୍ଧିଲେ ଜରିମାନା ଦେବାକୁ ପଡ଼ିବ ନାହିଁ ବୋଲି ‘ବୃହନ୍ମୁମ୍ବାଇ ମୁନିସ୍ପାଲ୍ କର୍ପୋରେସନ୍’ (ବିଏମ୍ସି) ଘୋଷଣା କରିଛି।
ଏବେ କରୋନାଭାଇରସ୍ ସଂକ୍ରମଣ ଓ ବ୍ୟାପ୍ତିକୁ ନିୟନ୍ତ୍ରଣ କରାଯାଇଥିବାରୁ ଜାରି ହୋଇଥିବା କଟକଣାଗୁଡ଼ିକୁ କୋହଳ କରାଯାଉଛି। କିନ୍ତୁ, ସମଗ୍ର ବିଶ୍ବରୁ ଏବେ ମଧ୍ୟ କରୋନାଭାଇରସ୍ ବିପତ୍ତିକୁ ସମ୍ପୂର୍ଣ୍ଣ ଏଡ଼ାଇ ଦିଆଯାଇ ପାରିନାହିଁ।
ତେଣୁ, କୋଭିଡ୍-୧୯ ସଙ୍କ୍ରମଣରୁ ସୁରକ୍ଷିତ ରହିବା ଲାଗି ସତର୍କତା ପଦକ୍ଷେପସ୍ବରୂପ ଜନସାଧରଣ ସ୍ବେଚ୍ଛାକୃତ ଭାବେ ମାସ୍କ୍ ପିନ୍ଧିବା ଲାଗି ‘ବିଏମ୍ସି’ ପ୍ରଶାସନ ସୌଜନ୍ୟମୂଳକ ନିବେଦନ କରିଛି।
/sambad/media/post_attachments/wp-content/uploads/2022/04/nm.jpg)
ମହାରାଷ୍ଟ୍ରର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ମଧ୍ୟ କହିଛନ୍ତି, ବାଧ୍ୟତାମୂଳକ ମାସ୍କ୍ ପରିଧାନ ନିୟମ ଉଠାଇ ଦିଆଯାଇଛି। କିନ୍ତୁ, ଅବଶ୍ୟ ଜଣେ ଚାହିଁବେ ମାସ୍କ୍ ପିନ୍ଧି ପାରିବେ।
୨୦୨୦ ପ୍ରାରମ୍ଭରୁ ବିଶ୍ବବ୍ୟାପୀ କୋଭିଡ୍-୧୯ ଭୂତାଣୁ ବ୍ୟାପିଥିବା ରିପୋର୍ଟ ହୋଇଥିଲା। ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ କହିବା ଅନୁସାରେ, ଫେସ୍ ମାସ୍କ୍ ପିନ୍ଧିବାଦ୍ବାରା କରୋନାଭାଇରସ୍ କବଳରୁ ସୁରକ୍ଷା ମିଳିବା ସହ ସଂକ୍ରମଣ ପ୍ରସାର ବାଧା ପାଇଥାଏ।
କରୋନାଭାଇରସ୍ ବ୍ୟାପ୍ତି ରୋକିବା ଲାଗି ମୁମ୍ବାଇର ‘ବିଏମ୍ସି’ କେତେଗୁଡ଼ିଏ ପଦକ୍ଷେପ ଗ୍ରହଣ କରି ଆସୁଛି। ‘ବିଏମ୍ସି’ ନିଷ୍ପତ୍ତିକୁ ଅମାନ୍ୟ କରୁଥିବା ବ୍ୟକ୍ତିମାନଙ୍କ ଠାରୁ ୨୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି।
ଏହା ବ୍ୟତିରେକେ, ମହାମାରୀ ପରିସ୍ଥିତିରେ ସୁଧାର ଆସିଥିବାରୁ ମହାରାଷ୍ଟ୍ର, ଦିଲ୍ଲୀ, ତେଲେଙ୍ଗାନା, ପଶ୍ଚିମବଙ୍ଗ ଏପ୍ରିଲ୍ ୧ରୁ ସମ୍ପୂର୍ଣ୍ଣରୂପେ କୋଭିଡ୍-୧୯ କଟକଣା କୋହଳ କରିଛନ୍ତି।