ଜଳବାୟୁ ପରିବର୍ତ୍ତନ, ଭାରତ ସର୍ବାଧିକ କ୍ଷତିଗ୍ରସ୍ତ: ଲା‌ନ୍ସେଟ୍‌ ରିପୋର୍ଟ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଜନିତ ସଙ୍କଟ ସମଗ୍ର ବିଶ୍ବପାଇଁ ବଡ଼ ବିପତ୍ତିର କାରଣ ହୋଇଥିବା ବେଳେ ବିଗତ ୧୦ ବର୍ଷ ମଧ୍ୟ‌ରେ ଭାରତ ଏଥିଯୋଗୁଁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଲାନ୍ସେଟ୍‌ ରିପୋର୍ଟରୁ ଜଣାପଡ଼ିଛି। ପୋଲାଣ୍ଡ୍‌ର କାଟୋୱାଇସ୍‌ ସହରରେ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଅନ୍ତର୍ଜାତୀୟ ସମ୍ମିଳନୀ ଆରମ୍ଭ ହେବାର ମାତ୍ର ୪ ଦିନ ପୂର୍ବରୁ ପ୍ରକାଶ ପାଇଥିବା ଏହି ରିପୋର୍ଟରେ ଭାରତ ସମେତ ଅନ୍ୟ ବିକା‌ଶଶୀଳ ରାଷ୍ଟ୍ରଗୁଡ଼ିକ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଦର୍ଶାଯାଇଛି। ପ୍ୟାରିସ ଜଳବାୟୁ ଚୁକ୍ତି କାର୍ଯ୍ୟକାରୀ କରିବାପାଇଁ ୧୦୯ଟି ରାଷ୍ଟ୍ରର ସହମତି ସତ୍ତ୍ବେ ନିକଟ ଭବିଷ୍ୟତରେ ଏହା ହେବାର ଆଶା ଦିଶୁନାହିଁ। ବିଶ୍ବର ୨ ଅନ୍ୟତମ ପ୍ରଦୂଷଣ ସୃଷ୍ଟିକାରୀ ରାଷ୍ଟ୍ର ଚୀନ୍‌ ଓ ଆମେରିକା ବାୟୁମଣ୍ଡଳରେ କାର୍ବନ ମାତ୍ରା ବଢ଼ାଇ ଚାଲିଥିବାରୁ ଜଳବାୟୁ ସଙ୍କଟ ଗମ୍ଭୀର ହୋଇଛି। ସ୍ବାସ୍ଥ୍ୟ ଏବଂ ଜଳବାୟୁ ପରିବର୍ତ୍ତନ ଉପରେ ପ୍ରକାଶ ପାଇଥିବା ଲାନ୍ସେଟ୍‌ କାଉଣ୍ଟ୍‌ଡାଉନ୍‌ ୨୦୧୮ର ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ସାରା ବିଶ୍ବରେ ୨୦୦୦ରୁ ୨୦୧୭ ମସିହା ମଧ୍ୟରେ ପ୍ରତ୍ୟେକ ମଣିଷ ୧.୪ ଦିନ ଗ୍ରୀଷ୍ମ ଲହରୀକୁ ଅଧିକ ସାମ୍ନା କରିଛନ୍ତି। ତେବେ ଭାରତ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ୨୦୧୨ ତୁଳନାରେ ୨୦୧୬ରେ ଭାରତରେ ଗ୍ରୀଷ୍ମ ପ୍ରବାହର ଅଧିକ ପ୍ରଭାବ ପଡ଼ିଛି। ୨୦୧୭ରେ ଭାରତ ଏହି ଗ୍ରୀଷ୍ମ ପ୍ରବାହ ହେତୁ ୭୫ ହଜାର ନିୟୁତ କାର୍ଯ୍ୟ ଘଣ୍ଟା ହରାଇଛି। କୃଷି କ୍ଷେତ୍ରରେ ୨୦୦୦ରେ ଭାରତ ୪୦ ହଜାର ନିୟୁତ କାର୍ଯ୍ୟଘଣ୍ଟା ହରାଇଥିବାବେଳେ ୨୦୧୭ରେ ୬୦,୦୦୦ ନିୟୁତ କାର୍ଯ୍ୟଘଣ୍ଟା ହରାଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ବିଶ୍ବବ୍ୟାପୀ ହୋଇଥିବା ଏହି ଅଧ୍ୟୟନରେ ଭାରତ ହିଁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଥିବାରୁ ଆଗାମୀ ପୋଲାଣ୍ଡ୍‌ ସମ୍ମିଳନୀରେ ଭାରତର ଆଭିମୁଖ୍ୟ କ’ଣ ରହିବ ତା’ ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର