ଚଳିତ ଋତୁରୁ ‘ଇମ୍ପାକ୍ଟ-ବେସ୍‌ଡ୍‌’ ବାତ୍ୟା ସତର୍କ ସୂଚନା ଜାରି କରିବ ପାଣିପାଗ ବିଭାଗ

ନୂଆଦିଲ୍ଲୀ: ବାତ୍ୟାଜନିତ ଆର୍ଥିକ କ୍ଷତି ଏବଂ ସମ୍ପଦ କ୍ଷତିକୁ ସର୍ବନିମ୍ନ ସ୍ତରରେ ରଖିବା ନିମନ୍ତେ ଚଳିତ ଋତୁରୁ ଭାରତୀୟ ପାଣିପାଗ ବିଭାଗ ସକ୍ରିୟ ଏବଂ ପ୍ରଭାବ-ଭିତ୍ତିକ ବାତ୍ୟା ସତର୍କ (ଇମ୍ପାକ୍ଟ୍‌-ବେସ୍‌ଡ୍‌) ସୂଚନା ଜାରି କରିବ ବୋଲି ଏହାର ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

ମୌସୁମୀ ପ୍ରବାହର ପ୍ରାକ୍ ଏବଂ ଉତ୍ତର ମାସଗୁଡ଼ିକ ହେଉଛି ବାତ୍ୟାଋତୁ। ବିଶେଷତଃ, ଅକ୍ଟୋବରରୁ ଡିମେମ୍ବର ମାସ ମଧ୍ୟରେ ବଙ୍ଗୋପସାଗରରୁ ପ୍ରବାହିତ ହେଉଥିବା ବାତ୍ୟା ପୂର୍ବ ଉପକୂଳକୁ ଛାରଖାର କରି ଧନସମ୍ପଦ ନଷ୍ଟ କରିପକାଏ।

ନୂଆଦିଲ୍ଲୀରେ ‘ଚେସିଙ୍ଗ୍‌ ସାଇକ୍ଲୋନ୍’ କାର୍ଯ୍ୟକ୍ରମରେ ଭାଷଣ ଦେବା ବେଳେ ଶ୍ରୀ ମହାପାତ୍ର କହିଲେ, ନୂଆ ପଦ୍ଧତ୍ତି ନିର୍ଦିଷ୍ଟ ସୂଚନା ପ୍ରଦାନ କରିବ। ଉଦାହରଣସ୍ବରୂପ, ଯଦି କୌଣସି ଜିଲ୍ଲାରେ ଘଣ୍ଟାପ୍ରତି ୧୬୦ କିଲୋମିଟର ପବନ ପ୍ରବାହିତ ହେବାକୁ ଥିବ, ଏଥିରେ କେଉଁ ପ୍ରକାର ଭିତ୍ତିଭୂମି ନଷ୍ଟ ହେବାର ସମ୍ଭାବନା ରହିଛି ସେ କଥା ଏହି ସୂଚନାରୁ ଜଣାପଡ଼ିବ।

Image Courtesy of The Hindu

ଏହି ପଦ୍ଧତି ଦ୍ବାରା ଜିଲ୍ଲାର ନିର୍ଦ୍ଦିଷ୍ଟ କେଉଁ ସ୍ଥାନ ପ୍ରତି ବିପଦ ରହିଛି, ‌ସ୍ଥାନୀୟ ‌ଜନତା, ଭିତ୍ତିଭୂମି, ଜନବସତି, ବ୍ୟବହୃତ ଜମି ଓ ଅନ୍ୟାନ୍ୟ ଜିନିଷପତ୍ର କେତେ ପରିମାଣରେ ପ୍ରଭାବିତ ‌ହେବ ତାହାର ମଧ୍ୟ ସୂଚନା ମିଳିପାରିବ। ଫଳରେ ସମ୍ପୃକ୍ତ ଜିଲ୍ଲାର ସମସ୍ତ ବିପର୍ଯ୍ୟୟ ପ୍ରଶମନ ଏଜେନ୍‌ସିମାନେ ଉପଲବ୍ଧ କାର୍ଟୋଗ୍ରାଫିକ୍, ଜିଓଲୋଜିକାଲ୍‌ ଏବଂ ହାଇଡ୍ରୋଲୋଜିକାଲ୍ ଡାଟା ବ୍ୟବହାର କରି ସେହି ଅନୁସାରେ ପ୍ରସ୍ତୁତି ଆରମ୍ଭ କରିପାରିବେ।

ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଲେ ଯେ, ଭାରତର ଅର୍ଥନୀତି ବୃଦ୍ଧି ପାଉଥିବାରୁ ସମ୍ପତ୍ତି ଓ ଭିତ୍ତିଭୂମିରେ ହେଉଥିବା ନଷ୍ଟ ଓ ଆର୍ଥିକ କ୍ଷତି ହ୍ରାସ କରିବାକୁ ଆମେ ଲକ୍ଷ୍ୟ ରଖିଛୁ। ଚଳିତ ଋତୁରୁ ସକ୍ରିୟ ଏବଂ ପ୍ରଭାବ-ଭିତ୍ତିକ ବାତ୍ୟା ସତର୍କ ସୂଚନା ଚାଲୁ ହେବ।

ଭାରତୀୟ ପାଣିପାଗ ବିଭାଗ ଏବଂ ଉପକୂଳବର୍ତ୍ତୀ ରାଜ୍ୟମାନଙ୍କ ସହ ମିଶି ‘ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ’ ଏହି ପ୍ରକଳ୍ପ କର୍ଯ୍ୟକାରୀ କରିବା ସହ ଏକ ୱେବ୍-ଭିତ୍ତିକ ‘ଡାଇନାମିକ୍ କମ୍ପୋଜାଇଟ୍‌ ରିସ୍କ୍ ଆଟ୍‌ଲାସ୍‌’ ପ୍ରସ୍ତୁତି କରୁଛି।

ସମ୍ବନ୍ଧିତ ଖବର