ଅବପାତର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ, ମତ୍ସ୍ୟଜୀବୀଙ୍କୁ ୧୩ ଯାଏ ସମୁଦ୍ର ମନା

ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଚେତାବନୀ

ଭୁବନେଶ୍ବର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଏବେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏହା ରହିଛି । ଆସନ୍ତା ୨୪ ଘଣ୍ଟା ଭିତରେ ଏହା ତୀବ୍ର ଅବପାତରେ ରୂପ ନେବାକୁ ଯାଉଥିବା ଆକଳନ କରିଛି ପାଣିପାଗ ବିଭାଗ । ତେବେ ଓଡ଼ିଶା ଅପେକ୍ଷା ଆନ୍ଧ୍ରପ୍ରଦେଶ ଉପରେ ଏହାର ଅଧିକ ପ୍ରଭାବ ପଡ଼ିବ ବୋଲି ଜଣା ପଡ଼ିଛି। ଅକ୍ଟୋବର ୧୧-୧୩ପର୍ଯ୍ୟନ୍ତ ଲଘୁଚାପର ପ୍ରଭାବ ରହିବ।

ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ବିଶାଖାପାଟଣାଠାରୁ ଏହା ୪୩୦ କିଲୋମଟିର ଦୂରରେ ଗତି କରୁଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏପଟେ ଆଜିଠୁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଅକ୍ଟୋବର ୧୪ରେ ଆଉ ଏକ ଲଘୁଚାପ ହୋଇପାରେ ବୋଲି ଆକଳନ କରାଯାଇଛି। ଆସନ୍ତା ୧୨ ଏବଂ ୧୩ରେ ଦକ୍ଷିଣ ଉପକୂଳ, ଉତ୍ତର ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ୭ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Heavy Rains Wreak Havoc, Disrupt Regular Life in North Karnataka Districts | The Weather Channel
The Weather Channel

ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା, ଜଗତସିଂହପୁର, ମାଲକାନଗିରି, କୋରାପୁଟରେ ପ୍ରବଳ ବର୍ଷା ନେଇ ସମ୍ଭାବନା ରହିଛି । ଆସନ୍ତା ୧୩ ତାରିଖରେ ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା, କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବିଶେଷକରି ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ଅଧିକ ବର୍ଷା ହେବ । ଏହି ସମୟରେ ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବୋହିବା ସହ ମଝିରେ ମଝିରେ ୬୫ କିଲୋମିଟର ବେଗରେ ପବନ ବୋହିପାରେ । ଏଣୁ ୧୧ରୁ ୧୩ ତାରିଖ ଯାଏଁ ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

ସମ୍ବନ୍ଧିତ ଖବର