ନୂଆଦିଲ୍ଲୀ: ସାରା ଦେଶରେ ମୌସୁମୀ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି । ବର୍ଷାରେ ଅଧା ଦେଶ ବେହାଲ ହୋଇଥିବା ବେଳେ ଅନେକ ସ୍ଥାନରେ ଏବେବି ଗରମ ଗୁଳୁଗୁଳି ଅନୁଭୂତ ହେଉଛି । ଆକାଶ ମେଘଚ୍ଛନ୍ନ ଥିବାବେଳେ ବର୍ଷାର ଦର୍ଶନ ନାହିଁ । କେଉଁଠି ବର୍ଷା ତ କେଉଁଠି ଈର୍ଷା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ଫଳରେ କେଉଁଠି ଚାଷ ଉଜୁଡିଛି ତ କେଉଁଠି ଚାଷ ଅନୁକୂଳ ବର୍ଷା ହେଉଛି ହେଲେ ଅନ୍ୟ କେଉଁଠି ବର୍ଷା ଅଭାବରୁ ମରୁଡି ସ୍ଥିତି ଉପୁଜିଛି ।
ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ଛତିଶଗଡ଼ ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ପ୍ରବଳ ବର୍ଷା ତାଣ୍ଡବ ଦେଖିବାକୁ ମିଳିଛି । ଦକ୍ଷିଣ ଭାରତର ଅନେକ ରାଜ୍ୟରେ ଯେମିତିକି ତାମିଲନାଡୁ ଏବଂ କେରଳରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବଡ ଆଶ୍ଚର୍ଯ୍ୟର କଥା ଏପର୍ଯ୍ୟନ୍ତ କିନ୍ତୁ ଦିଲ୍ଲୀ ଏନସିଆରରେ ସେମିତି ବଡ଼ ବର୍ଷା ହୋଇନି । କେବଳ ହାଲୁକା ବର୍ଷା ସହ ମାଟି ଭିଜିଛି । ଦେଶର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଥିବା ବେଳେ ଦିଲ୍ଲୀ ଏବେବ ମୌସୁମୀ ବର୍ଷା ଅପେକ୍ଷାରେ ରହିଛି।
ସେପଟେ ମଧ୍ଯପ୍ରଦେଶର ପୂର୍ବାଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପରେ ବେହାଲ ହୋଇଛି ସ୍ଥିତି । ସେହିପରି ଆସାମ, ମେଘାଳୟ, ଛତିଶଗଡ, ପୂର୍ବ ରାଜସ୍ଥାନ, ପଶ୍ଚିମବଙ୍ଗର ଗଙ୍ଗା ଘାଟ, ଗୁଜୁରାଟ, ଝାଡଖଣ୍ଡରେ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି ।
ଆଗାମୀ ୬ରୁ ୭ ଦିନ ଯାଏଁ ଉତ୍ତର-ପଶ୍ଚିମ ଭାରତରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ୭ ଜୁଲାଇ ଯାଏଁ ମଧ୍ୟ ଏବଂ ପୂର୍ବୋତ୍ତର ଭାରତରେ ବର୍ଷା ହେବାର ସମ୍ଭାବନା ରହିଛି ।