ଆରଓବି ପକ୍ଷରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ସମ୍ପକିର୍ତ ୱେବିନାର୍‌

୫ ମାସର ଖାଦ୍ୟ ଶସ୍ୟ ବିତରଣ ଖୁବ୍‌ଶୀଘ୍ର: ଯୋଗାଣ ମନ୍ତ୍ରୀ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧୀନ ଆଂଚଳିକ ଜନସମ୍ପର୍କ କାର୍ଯ୍ୟାଳୟ (ଆରଓବି) ପକ୍ଷରୁ “ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା” ଉପରେ ଏକ ୱେବିନାର ଅନୁଷ୍ଠିତ ହୋଇଯାଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ଓଡ଼ିଶା ପ୍ରାନ୍ତ ଅତିରିକ୍ତ ମହାନିେର୍ଦ୍ଦଶକ ଶୈଳେଶ କୁମାର ମାଲବ୍ୟ ଏଥିରେ ଅଧ୍ୟକ୍ଷତା କରିଥିଲେ। କେନ୍ଦ୍ର ସରକାର ଆହୁରି ୫ ମାସ ପାଇଁ ଅର୍ଥାତ ଜୁଲାଇରୁ ନଭେମ୍ବର ୨୦୨୦ ମାସ ପର୍ଯ୍ୟନ୍ତ ଖାଦ୍ୟ ଶସ୍ୟ ବିତରଣ କରିବା ଲାଗି ଘୋଷଣା କରିଛନ୍ତି। ଏଥିପାଇଁ ବିଭାଗ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଇଛି ବୋଲି ଆଲୋଚନ‌ାରେ ଅଂଶଗ୍ରହଣ କରି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହା କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଥିଲେ ଯେ, କୋଭିଡ–୧୯ ମହାମାରୀକୁ ଆଖି ଆଗରେ ରଖି ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା (ଏନଏଫଏସଏ) ଅଧୀନରେ ଆଗୁଆ ତିନି ମାସ ପାଇଁ ୫,୬୪,୯୯୩.୨୫୪ ମେଟ୍ରିକ ଟନ ଚାଉଳ ଓ ଗହମ ରାଜ୍ୟର ୯୨.୮୪ ଲକ୍ଷ ପରିବାରକୁ ବିତରଣ କରାଯାଇଥିଲା। ସେହିପରି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ୯୩.୯୨ ହଜାର ପରିବାରକୁ ୪୦୫୩.୨୨୧ ମେଟ୍ରିକ ଟନ ଚାଉଳ ବଂଟନ କରାଯାଇଛି। ସେହିପରି ଜାତୀୟ ଖାଦ୍ୟ ସୁରକ୍ଷା ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀମାନଙ୍କୁ ମାସିକ ୧ହଜାର ଟଙ୍କା ଲେଖାଏଁ ନଗଦ ସହାୟତା ବଂଟନ କରାଯାଇଛି। ଏଥିପାଇଁ ୯୫୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।

ମନ୍ତ୍ରୀ ଆହୁରି ସୂଚନା ଦେଇଥିଲେ ଯେ, ଦେଶର ଗରିବ ଲୋକମାନଙ୍କର ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା’ ଅନ୍ତର୍ଗତ ମାଗଣାରେ ଚାଉଳ ଓ ଡାଲି ଏପ୍ରିଲ, ମେ ଓ ଜୁନ ୨୦୨୦ ପାଇଁ ରାଜ୍ୟରେ ବିତରଣ କରାଯାଇଛି। ଇତିମଧ୍ୟରେ, ପିଏମଜିକେଏୱାଇ ଅଧୀନରେ ଏନ୍‌ଏଫଏସ ହିତାଧିକାରୀମାନଙ୍କୁ କେନ୍ଦ୍ର ସରକାର ଆହୁରି ୫ ମାସ ପାଇଁ ଅର୍ଥାତ ଜୁଲାଇରୁ ନଭେମ୍ବର ୨୦୨୦ ମାସ ପର୍ଯ୍ୟନ୍ତ ଖାଦ୍ୟ ଶସ୍ୟ ବିତରଣ କରିବା ଲାଗି ଘୋଷଣା କରିଛନ୍ତି। ଏଥିପାଇଁ ବିଭାଗ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଇଛି। ଖୁବ୍‌ଶୀଘ୍ର ଖାଦ୍ୟସାମଗ୍ରୀ ବିତରଣ ଆରମ୍ଭ ହେବ ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ ସୂଚନା ଦେଇଥିଲେ।

ଏଫଏଓ/ୟୁଏନର ପୂର୍ବତନ ବିଶେଷଜ୍ଞ ଶ୍ରୀ ପ୍ରକାଶ ଚନ୍ଦ୍ର ନାୟକ ଏହି ଅବସରରେ ବକ୍ତବ୍ୟ ରଖି ଅଙ୍ଗନୱାଡ଼ି କର୍ମୀ, ଆଇସିଡିଏସର ଭୂମିକାକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ବିତରଣ କରାଯାଉଥିବା ଖାଦ୍ୟଶସ୍ୟର ସଦୁପଯୋଗ ହେବା ଆବଶ୍ୟକ। ଏଫସିଆଇ, ଭୁବନେଶ୍ବରର ଏଜିଏମ ସତ୍ୟପ୍ରକାଶ ପଣ୍ତା, ଇଣ୍ତିଆ ହ୍ବିସ୍ପର୍ସର ସମ୍ପାଦକ ଦିଲୀପ ବିଶୋୟୀ, ଆରଓବିର ନିେର୍ଦ୍ଦଶକ ଅଖିଳ କୁମାର ମିଶ୍ର ଏହି ୱେବିନାରରେ ଅଂଶଗ୍ରହଣ କରି ବିଷୟବସ୍ତୁ ଉପରେ ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର