ଘର ଲୋକଙ୍କୁ ଦୁଃଖ ଦେଇପାରିବିନି କହି ଅନ୍ୟତ୍ର ବିବାହ କରୁଥିଲା ପ୍ରେମିକ, ଏଭଳି କାମ କଲା ପ୍ରେମିକା

ମୁଜଫରପୁର: ଘର ‌ଲୋକଙ୍କ କଥା ରଖି ଅନ୍ୟତ୍ର ବିବାହ କରିବାକୁ ରାଜି ହୋଇଥିଲା ପ୍ରେମିକ। ହେଲେ ନିଜ ପ୍ରଥମ ପ୍ରେମକୁ ପାଇବା ପାଇଁ ଥାନାରେ ପହଞ୍ଚିଲା ପ୍ରେମିକା। ପୁଲିସ ବାବୁ ମୋତେ ମୋ ପ୍ରେମିକ ସହ ବିବାହ କରିବାରେ ସାହାଯ୍ୟ କରନ୍ତୁ। ମୁଁ ତାଙ୍କ ବିନା ବଞ୍ଚିପାରିବି ନାହିଁ ବୋଲି ପ୍ରେମିକା ପୁଲିସକୁ ଜଣାଇବା ପରେ ଶେଷରେ ପ୍ରେମୀଯୁଗଳ ଏକାଠି ହୋଇଥିବା ଜଣାପଡ଼ିଛି। କେବଳ ସେତିକି ନୁହେଁ ପୁଲିସର ଉପସ୍ଥିତିରେ ଦୁହିଁଙ୍କ ବିବାହ ମଧ୍ୟ ହୋଇଛି।

ମିଳିଥିବା ସୂଚନା ମୁତାବକ, ପ୍ରେମିକ ଅବିନାଶ ଅନ୍ୟତ୍ର ବିବାହ କରୁଥିବା ନେଇ ପ୍ରେମିକା କିରଣକୁ ଖବର ମିଳିଥିଲା। ଏନେଇ ଅବିନାଶକୁ ଫୋନ କରି ପଚାରିବା ପରେ ମୁଁ ମୋ ଘର ଲୋକଙ୍କ ନିଷ୍ପତ୍ତି ବିପକ୍ଷରେ ଯାଇପାରିବି ନାହିଁ ବୋଲି କହିଥିଲେ ଅବିନାଶ। ଘର ଲୋକଙ୍କ ଖୁସି ପାଇଁ ଅବିନାଶ ନିଜ ଛାତିରେ ପଥର ରଖି ଅନ୍ୟତ୍ର ବିବାହ ପାଇଁ ରାଜି ହୋଇଥିଲେ। ହେଲେ ଅବିନାଶଙ୍କ ଏହି ନିଷ୍ପତ୍ତିକୁ ଗ୍ରହଣ କରିପାରିନଥିଲେ କିରଣ। ସେ ତୁରନ୍ତୁ ସ୍ଥାନୀୟ ପୁଲିସ ଷ୍ଟେସନରେ ପହଞ୍ଚି ନିଜର ଦୁଃଖ ଜଣାଇଥିଲେ। ଅବିନାଶଙ୍କ ସହ ଥିବା କିଛି ଫଟୋ ଦେଖାଇ ତାଙ୍କ ସହ ପ୍ରେମ ସମ୍ପର୍କରେ ଥିବାର ପ୍ରମାଣ ପୁଲିସକୁ ଦେଇଥିଲେ କିରଣ। ସବୁ ଜାଣିବା ପରେ ପୁଲିସ ଅଧିକାରୀ ରାଜେଶ କୁମାର, ଅବିନାଶ ଓ କିରଣଙ୍କ ପରିବାର ଲୋକଙ୍କୁ ଥାନାକୁ ଡାକିଥିଲେ।

aajtak

ଉଭୟ ପକ୍ଷକୁ କିରଣ ଏବଂ ଅବିନାଶଙ୍କ ପ୍ରେମ ସମ୍ପର୍କ ବିଷୟରେ କହିବା ସହ ଦୁହିଁଙ୍କ ବିବାହ କରାଇବାକୁ କହିଥିଲେ। ହେଲେ ଅବିନାଶଙ୍କ ପରିବାର ଲୋକେ ଏଥିପାଇଁ ରାଜି ହୋଇନଥିଲେ। କିନ୍ତୁ ପରେ ଅବିନାଶଙ୍କ ବିରୋଧରେ ଏତଲା ରୁଜୁ କରାଯିବ ବୋଲି ପୁଲିସ ଅଧିକାରୀ ରାଜେଶ କୁମାର କହିବାରୁ ତାଙ୍କ ପରିବାର ବିବାହ ପାଇଁ ରାଜି ହୋଇଥିଲେ। ଏହା ପରେ ତୁରନ୍ତ ଦୁହିଁଙ୍କର ବିବାହ କରାଯାଇଥିଲା।

ସମ୍ବନ୍ଧିତ ଖବର