ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ: ୭ ମାସରେ ସର୍ବାଧିକ ସଂକ୍ରମଣ, ପଜିଟିଭ୍‌ ହାର ୮.୭ ପ୍ରତିଶତ

ନୂଆଦିଲ୍ଲୀ: ଦିଲ୍ଲୀରେ ମଙ୍ଗଳବାର ୫,୪୮୧ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଯାହାକି ୭ ମାସରେ ସର୍ବାଧିକ। ଏହା ସହିତ ଦିଲ୍ଲୀରେ କୋଭିଡ୍‌ ପଜିଟିଭ୍‌ ହାର ୮.୭ ପ୍ରତିଶତକୁ ବୃଦ୍ଧି ପାଇବାରୁ ଡିଡିଏମ୍‌ଏ ( ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ) ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ ଲାଗୁ ଘୋଷଣା କରିଛନ୍ତି। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆଜି ଏକ ଡିଜିଟାଲ୍‌ ପ୍ରେସ୍‌ ବିବୃତି ଜାରି କରି ଏହା କହିଛନ୍ତି। ଦିଲ୍ଲୀରେ ସକ୍ରିୟ ମାମଲା ଏବେ ୧୪,୮୮୯ରେ ପହଞ୍ଚିଛି। ୧୬୮ ଜଣ ରୋଗୀ ଅକ୍ସିଜେନ ସପୋର୍ଟରେ ଥିବାବେଳେ ୧୪ଜଣ ‌ଭେଣ୍ଟିଲେଟର ସପୋର୍ଟରେ ରହିଛନ୍ତି। ଜରୁରୀ ଆବଶ୍ୟକ ନଥିଲେ ଦିଲ୍ଲୀ ବାସିନ୍ଦା ବାହାରକୁ ନ ବାହାରିବାପାଇଁ ସିସୋଦିଆ ଅନୁରୋଧ କରିଛନ୍ତି। ଦିଲ୍ଲୀରେ ଏବେ ନାଇଟ୍‌ କର୍ଫ୍ୟୁ ବଳବତ୍ତର ରହିଥିବାବେଳେ ସପ୍ତାହାନ୍ତ କର୍ଫ୍ୟୁ ଶୁକ୍ରବାର ରାତି ୧୦ରୁ ଆରମ୍ଭ ହୋଇ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ରହିବ।
ଡିଡିଏମ୍‌ଏ ଦ୍ବାରା ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀ ମେଟ୍ରୋ ଟ୍ରେନ୍‌ ଏବଂ ପବ୍ଲିକ ଟ୍ରାନ୍ସପୋର୍ଟ ବସ୍‌ ଏବେ ୫୦ ପ୍ରତିଶତ କ୍ଷମତାରେ ଚାଲୁଥିବା ବେଳେ ଆଗକୁ ଏହା ପୂର୍ଣ୍ଣ କ୍ଷମତାରେ ଚାଲିବ। ତେବେ କରୋନା ନିୟମାବଳି ସହ ବସ୍‌ ଏବଂ ଟ୍ରେନ୍‌ ଚାଲିବ।

ସିସୋଦିଆ କହିଛନ୍ତି, ମେଟ୍ରୋ ଷ୍ଟେସନ୍‌ ଏବଂ ବସ୍‌ ଷ୍ଟପ୍‌ରେ ଭିଡ଼ ନିୟନ୍ତ୍ରଣ ପାଇଁ ଏହି ନିଷ୍ପତ୍ତି ନିହାଯାଇଛି। ସେହିପରି ଅତ୍ୟାବଶ୍ୟତ ସେବାରେ ନିୟୋଜିତ ସରକାରୀ କର୍ମଚାରୀମାନେ କାମରେ ଯୋଗ ଦେବେ । ଅନ୍ୟମାନେ ୱାର୍କ ଫ୍ରମ୍‌ ହୋମ୍‌ କରିବେ ବୋଲି ସିସୋଦିଆ କହିଛନ୍ତି। ଅନ୍ୟପକ୍ଷେ ଘରୋଇ ଅଫିସ୍‌ ପାଇଁ କୌଣସି ନିୟମ ପରିବର୍ତ୍ତନ ହୋଇନି। ଘରୋଇ ଅଫିସଗୁଡ଼ିକ ପୂର୍ବ ପରି ୫୦ ପ୍ରତିଶତ କ୍ଷମତାରେ ଚାଲିବ। ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୩ ଜଣଙ୍କ କରୋନାରେ ମୃତ୍ୟୁ ହେବା ସହ ମୋଟ୍‌ ମୃତ୍ୟୁ ସଂଖ୍ୟା ୨୫,୧୧୩ରେ ପହଞ୍ଚିଛି। ଦିଲ୍ଲୀରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୧୪,୬୩,୭୦୧ ଥିବା ବେଳେ ମୃତ୍ୟୁ ହାର ୧.୭୨ ପ୍ରତିଶତ।

ସମ୍ବନ୍ଧିତ ଖବର