ଅଭିନନ୍ଦନ : ୱାଘା-ଅଟାରି ସୀମାରେ ଜୋର୍‌ଦାର ସ୍ବାଗତ

ବିଟିଂ ରିଟ୍ରିଟ୍ ରଦ୍ଦ, ସୀମାରେ ହାଇ ଆଲର୍ଟ, ଜନ୍ମମାଟିକୁ ଫେରି ଆସିଥିବାରୁ ଖୁସି: ଅଭିନନ୍ଦନ, ଦିଲ୍ଲୀରେ ପହଞ୍ଚିଲା ପରେ ସ୍ବାସ୍ଥ୍ୟ ପରୀକ୍ଷା

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କୁ ଅଭିନନ୍ଦନ…। ଅଭିନନ୍ଦନଙ୍କ ସଫଳ ପ୍ରତ୍ୟାବର୍ତ୍ତନ ପାଇଁ ଭାରତକୁ ମଧ୍ୟ ଅଭିନନ୍ଦନ…।

ସାଧାରଣ ନାଗରିକଙ୍କଠାରୁ ସେନା ଓ ବାୟୁସେନା ଅଧିକାରୀଙ୍କ ପର୍ଯ୍ୟନ୍ତ ୱାଘା ସୀମାରେ ଆଜି ଏହିଭଳି ଭାବେ ଅଭିନନ୍ଦନଙ୍କ ପାଇଁ ଏକ ଉଚ୍ଛ୍ବସିତ ପରିବେଶ ସୃଷ୍ଟି ହୋଇଛି। ଦିନତମାମ ଉତ୍କଣ୍ଠାର ଅବସାନ ପରେ ପାକିସ୍ତାନ ସେନା ବନ୍ଦୀ କରିନେଇଥିବା ଭାରତୀୟ ବାୟୁସେନାର ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ଆଜି ସ୍ବଦେଶ ଫେରି ଆସିଛନ୍ତି।

ଭାରତର ପ୍ରବଳ ସାମରିକ ଏବଂ କୂଟନୈତିକ ଚାପ ଆଗରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଥିବା ପାକିସ୍ତାନ ଆଜି ଅଭିନନ୍ଦନଙ୍କୁ ୱାଘା ସୀମାରେ ଭାରତୀୟ ବାୟୁସେନା ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲେ। ପାକିସ୍ତାନ ମାଟିରେ ୫୬ ଘଣ୍ଟା ବିତାଇବା ପରେ ଅଭିନନ୍ଦନଙ୍କୁ ଆଜି ବିଳମ୍ବିତ ସନ୍ଧ୍ୟାରେ ୱାଘା ସୀମାରେ ପହଞ୍ଚାଯାଇଥିଲା। ରାତି ୯ଟା ୧୫ରେ ସେ ଅଟାରି ସୀମାରେ ପହଞ୍ଚିବା ପରେ ତାଙ୍କୁ ବିଏସ୍‌ଏଫ୍ ଏବଂ ବାୟୁସେନା ଅଧିକାରୀମାନେକଡ଼ା ସୁରକ୍ଷା ଭିତରେ ଅମୃତସର ବିମାନ ବନ୍ଦରକୁ ନେଇଥିଲେ। ସେଠାରୁ ବିମାନ ଯୋଗେ ଦିଲ୍ଲୀ ଅଣାଯାଇଥିଲା। ଦିଲ୍ଲୀ ସ୍ଥିତ ଆରାର୍ ହସ୍ପିଟାଲରେ ଅଭିନନ୍ଦନଙ୍କ ଡାକ୍ତରୀ ପରୀକ୍ଷା ପାଇଁ ଯାବତୀୟ ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି।

ଅଭିନନ୍ଦନ ଭିସା ମାଧ୍ୟମରେ ଭାରତୀୟ ସୀମାରେ ପ୍ରବେଶ କରିବା ପାଇଁ ପାକ୍‌ ସରକାର ବାଧ୍ୟତାମୂଳକ କରିବା ସହ ନାନା ଆଳ ଦେଖାଇ ହସ୍ତାନ୍ତର ପ୍ରକ୍ରିୟାକୁ ବିଳମ୍ବ କରିବାକୁ ପ୍ରୟାସ କରିଥିଲେ। ଏପରିକି ତାଙ୍କୁ ବିମାନ ଦ୍ବାରା ଭାରତ ସୀମାକୁ ଅଣାଯିବାକୁ ସରକାର ଦେଇଥିବା ପ୍ରସ୍ତାବକୁ ମଧ୍ୟ ପାକିସ୍ତାନ ଗ୍ରହଣ କରିନଥିଲା।

ଅଭିନନ୍ଦନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଆଜି ଅଟାରି ସୀମାରେ ସୁରକ୍ଷା କଡ଼ାକଡ଼ି କରାଯାଇଥିଲା ଏବଂ ବିଟିଂ ରିଟ୍ରିଟ୍‌ ପରେଡ୍‌କୁ ବିଏସ୍‌ଏଫ୍‌ ରଦ୍ଦ କରିଥିଲା। ତେବେ ଅଭିନନ୍ଦନଙ୍କୁ ସ୍ବାଗତ ପାଇଁ ଦେଶର ବିଭିନ୍ନ ଅଂଚଳରୁ ଆସିଥିବା ଲୋକଙ୍କ ସମାଗମ ଅଟାରିରେ ଦେଖିବାକୁ ମିଳିଥିଲା। ଅଭିନନ୍ଦନଙ୍କ ଫେରିବା ପ୍ରକ୍ରିୟାରେ ବିଳମ୍ବ ହେଲେ ମଧ୍ୟ ଲୋକେ ଆଜି ସକାଳୁ ରାତି ପର୍ଯ୍ୟନ୍ତ ଧୈର୍ଯ୍ୟର ସହ ଅପେକ୍ଷା କରି ରହିଥିଲେ। ଆଜି ଅଟାରି ସୀମାରେ ହାଇଆଲର୍ଟ ଜାରି କରାଯିବା ସହ ବିଭିନ୍ନ ପର୍ଯ୍ୟାୟରେ ଯାଞ୍ଚ ବ୍ୟବସ୍ଥା ହୋଇଥିଲା। ଯେ କୌଣସି ସ୍ଥିତିର ମୁକାବିଲା ପାଇଁ ସେନା ପ୍ରସ୍ତୁତ ରହିଥିବା ବେଳେ ତିନି ସେନାର ବରିଷ୍ଠ ଅଧିକାରୀମାନଙ୍କୁ ଅଟାରିରେ ଦେଖିବାକୁ ମିଳିଥିଲା। ଭାରତର କୂଟନୈତିକ ଅଧିକାରୀମାନେ ମଧ୍ୟ ସୀମାରେ ଉପସ୍ଥିତ ରହି ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାରେ ରହିଥିବା ଆଇନଗତ ଜଟିଳତାକୁ ଦୂର କରିଥିଲେ।

ଶେଷରେ, ପ୍ରତ୍ୟାବର୍ତ୍ତନ ପରେ ‘ଭାରତ ମାତା କୀ ଜୟ’ ସ୍ଲୋଗାନ ଏବଂ ଦେଶଭକ୍ତି ସଂଗୀତ ପରିବେଷଣ ସହ ଅଭିନନ୍ଦନଙ୍କୁ ଜୋର୍‌ଦାର ସ୍ବାଗତ କରିଥିଲେ ଜନତା।

ଉଲ୍ଲେଖଯୋଗ୍ୟ ଯେ, ଅଭିନନ୍ଦନଙ୍କୁ ନେଇ ସାରାଦେଶରେ ୫୭ ଘଣ୍ଟା ଧରି ଉତ୍କଣ୍ଠା ଲାଗି ରହିଥିଲା। ପାକିସ୍ତାନ ବାୟୁସେନା ଭାରତର ସାମରିକ ପ୍ରତିଷ୍ଠାନଗୁଡ଼ିକ ଉପରେ ଆକ୍ରମଣ ପ୍ରୟାସ କରିବାରୁ ଏହାକୁ ପଣ୍ଡ କରିବା ପାଇଁ ଅଭିନନ୍ଦନ ପାକିସ୍ତାନ ବାୟୁସୀମାରେ ପ୍ରବେଶ କରି ପାକ୍‌ ଯୁଦ୍ଧ ବିମାନ ଏଫ୍‌-୧୬କୁ ଆକ୍ରମଣ କରିଥିଲେ ଏବଂ ଏହାକୁ ଖସାଇଦେବାକୁ ସକ୍ଷମ ହୋଇଥିଲେ। ତେବେ ଅଭିନନ୍ଦନଙ୍କ ମିଗ୍‌-୨୧ ବିମାନ ମଧ୍ୟ କ୍ଷତିଗ୍ରସ୍ତ ହେବାରୁ ତାଙ୍କୁ ପାକ୍‌ ସେନା ବନ୍ଦୀ କରିନେବାକୁ ସଫଳ ହୋଇଥିଲା। ଅଭିନନ୍ଦନଙ୍କୁ ପାକ୍‌ ସେନା ଗଣମାଧ୍ୟମରେ ଦେଖାଇବା ପରେ ଭାରତ ବଡ଼ଧରଣର କୂଟନୈତିକ ଅଭିଯାନ ଆରମ୍ଭ କରିଥିଲା ଏବଂ ତୁରନ୍ତ ତାଙ୍କୁ ଫେରାଇବାକୁ ପାକିସ୍ତାନକୁ ଚେତାବନୀ ଦେଇଥିଲା। ଭାରତର ରଣନୀତି ଆଗରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଅଭିନନ୍ଦନଙ୍କୁ ଆଜି ଛଡ଼ାଯିବ ବୋଲି ପାକ୍‌ ସଂସଦରେ ଘୋଷଣା କରିଥିଲେ ଏବଂ ନିର୍ଦ୍ଧାରିତ ପ୍ରକ୍ରିୟାରେ ୱାଘା ସୀମାରେ ଭାରତୀୟ ବାୟୁସେନା ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲେ। ଅଭିନନ୍ଦନଙ୍କ ପ୍ରକ୍ରିୟା ସୁରକ୍ଷିତ ଶେଷ ହେବା ପରେ ଏୟାର ଭାଇସ୍‌ ମାର୍ସାଲ ଆର୍‌ଜିକେ କପୁର ଗଣମାଧ୍ୟମକୁ କହିଥିଲେ ଯେ ପାକିସ୍ତାନ ନିର୍ଦ୍ଧାରିତ ପ୍ରକ୍ରିୟାରେ ଏହି କାର୍ଯ୍ୟ ସଂପାଦନ କରିଛି ଏବଂ ଅଭିନନ୍ଦନଙ୍କୁ ଫେରିପାଇ ଭାରତୀୟ ବାୟୁସେନା ବହୁତ ଖୁସି। ପାକିସ୍ତାନ ସରକାର ମଧ୍ୟ ଏକ ବିବୃତି ଜାରି କରି କହିଛନ୍ତି ଯେ ଅଭିନନ୍ଦନଙ୍କୁ ମର୍ଯ୍ୟାଦାର ସହ ହାଜତରେ ରଖାଯାଇଥିଲା ଏବଂ ଅନ୍ତର୍ଜାତୀୟ ଆଇନ ଆଧାରରେ ତାଙ୍କୁ ଫେରସ୍ତ କରାଯାଇଛି।

ସ୍ବଦେଶକୁ ପ୍ରତ୍ୟାବର୍ତ୍ତନ ପରେ ଅଭିନନ୍ଦନ ପାଇଁ ସାରା ଦେଶରେ କେବଳ ପ୍ରଶଂସାର ସୁଅ ଛୁଟିନି, ତାଙ୍କୁ ଏବେ ବାସ୍ତବ ଜୀବନର ନାୟକ ‘ହିରୋ’ ଭାବେ ଚିତ୍ରଣ କରାଯାଇଛି।

ସମ୍ବନ୍ଧିତ ଖବର