‘ଏୟାର ଇଣ୍ଡିଆର ଭବିଷ୍ୟତକୁ ସ୍ବାଗତ’, ଏୟାର ଇଣ୍ଡିଆ ବିମାନରେ ଶୁଭିବ ନୂଆ ସ୍ବାଗତ ବାଣୀ

 

ମୁମ୍ବାଇ : ଏୟାର ଇଣ୍ଡିଆ ଟାଟା ଗ୍ରୁପ ଅଧିନକୁ ଫେରିବା ପରେ ଆଗାମୀ ଦିନରେ ଗ୍ରାହକ ସେବା କ୍ଷେତ୍ରରେ କେତେକ ପରିବର୍ତ୍ତନ ଆଣିବାକୁ ଯାଉଛି । ବିମାନରେ ପ୍ରବେଶ କରିବା ପରେ ଗ୍ରାହକମାନଙ୍କୁ କମ୍ପାନି ପକ୍ଷରୁ ଏକ ନୂଆ ସ୍ବାଗତ ଭାଷଣ ପ୍ରଦାନ କରାଯିବ ।

ଏହି ସ୍ବାଗତ ଭାଷଣରେ କୁହାଯିବ “ ମୁଁ ବିମାନର କ୍ୟାପ୍ଟେନ କହୁଛି । ଏହି ଐତିହାସିକ ଯାତ୍ରାକୁ ସ୍ବାଗତ । ୭ ଦଶନ୍ଧି ପରେ ଏୟାର ଇଣ୍ଡିଆ ଆଜି ଔପଚାରିକଭାବେ ଟାଟା ଗ୍ରୁପ ଅଧିନକୁ ଆସିଛି । ଆମେ ଆପଣଙ୍କୁ ଏହି ବିମାନରେ ଓ ଏୟାର ଇଣ୍ଡିଆର ସବୁ ବିମାନରେ ନୂଆ ଉତ୍ସାହ ସହ ସେବା ଯୋଗାଇବାକୁ ବଦ୍ଧ ପରିକର । ଏୟାର ଇଣ୍ଡିଆର ଭବିଷ୍ୟତକୁ ସ୍ବାଗତ ।“

ଏହାକୁ ଏକ ସର୍କୁଲାର ଭାବେ ଟାଟା ପକ୍ଷରୁ ସବୁ କ୍ୟାବିନ କ୍ରୁଙ୍କୁ ଦିଆଯାଇଛି ।

ଗୁରୁବାରଦିନ କେନ୍ଦ୍ର ସରକାର ଏୟାର ଇଣ୍ଡିଆକୁ ଟାଟା ଗ୍ରୁପକୁ ହସ୍ତାନ୍ତର କରିଛନ୍ତି । ଫଳରେ ଦୀର୍ଘ ୬୯ ବର୍ଷ ପରେ ପୁଣି ଥରେ ଏୟାରଇଣ୍ଡିଆ ଟାଟା ଗ୍ରୁପ ଅଧିନକୁ ଆସିଛି । ଏହି ହସ୍ତାନ୍ତର ପୂର୍ବରୁ ଆଜି ଟାଟା ସନ୍ସ ଅଧ୍ୟକ୍ଷ ଏନ.ଚନ୍ଦ୍ରଶେଖରନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଗତ ବର୍ଷ ଅକ୍ଟୋବର ମାସରେ ଟାଟା ଗ୍ରୁପ ୧୮ ହଜାର କୋଟି ବିନିମୟରେ ଏୟାର ଇଣ୍ଡିଆ ନିଲାମ ଜିତିଥିଲା ।

 

ସମ୍ବନ୍ଧିତ ଖବର