‘ଏକ ରାଷ୍ଟ୍ର, ଏକ ବଜାର’ ନିଷ୍ପତ୍ତିକୁ ସ୍ବାଗତ

ନୂଆଦିଲ୍ଲୀ : କୋଭିଡ–୧୯ ମହାମାରୀ ଜନିତ ଲକ୍‌ଡାଉନ ଯୋଗୁ ଦେଶର ଅର୍ଥ ବ୍ୟବସ୍ଥାର ବିଭିନ୍ନ କ୍ଷେତ୍ର ପ୍ରଭାବିତ ହୋଇଥିବା ସମୟରେ କୃଷି କ୍ଷେତ୍ରରେ ନୂତନ ସମ୍ଭାବନା ଉଜାଗର ହୋଇଛି। ଏହି କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ସହିତ ଗ୍ରାମୀଣ ଅର୍ଥ ବ୍ୟବସ୍ଥାର ସମୃଦ୍ଧି ନିମନ୍ତେ କେନ୍ଦ୍ର ସରକାର ନିକଟରେ ଏକାଧିକ ନୀତିଗତ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହା ଠିକଣା ସମୟରେ ସଠିକ ନିଷ୍ପତ୍ତି ବୋଲି ଚାଷୀ ମହଲରେ ମତ ପ୍ରକାଶ ପାଇଛି।

କୃଷକମାନଙ୍କୁ ଲାଭ ଏବଂ କୃଷି କ୍ଷେତ୍ରର ଦ୍ରୁତ ପ୍ରଗତି ଉେଦ୍ଦଶ୍ୟରେ କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତି ନବରଙ୍ଗପୁର ଭଳି କୃଷି ପ୍ରଧାନ ଜିଲ୍ଲାର ଚାଷୀମାନେ ସ୍ବାଗତ କରିଛନ୍ତି। ଏଥର ମୌସୁମୀ ସ୍ବାଭାବିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ଚାଷୀଙ୍କ ମନରେ ଉତ୍ସାହ ରହିଛି। ଏଭଳି ପରିସ୍ଥିତିରେ ଚାଷୀଙ୍କ ଉତ୍ପାଦିତ ଫସଲ ବିକ୍ରୟ ନିମନ୍ତେ ‘ଏକ ରାଷ୍ଟ୍ର ଏକ ବଜାର’ ବ୍ୟବସ୍ଥା ପ୍ରତିଷ୍ଠା ଲାଗି କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ନେବା ପରେ ଚାଷୀମାନଙ୍କ ଉତ୍ସାହ ଦ୍ବିଗୁଣିତ ହୋଇଛି। ମୌସୁମୀ ସ୍ବାଭାବିକ ରହିଲେ ଓ ଭଲ ଫସଲ ଅମଳ ହେଲେ ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦ ବିକ୍ରି ନିମନ୍ତେ ଏକ ମୁକ୍ତ ବଜାର ମିଳିପାରିବ। ଫଳରେ ସେମାନେ ଅଧିକ ରୋଜଗାର କରିବାକୁ ସକ୍ଷମ ହୋଇପାରିବେ। ସେହିଭଳି, କୃଷି କ୍ଷେତ୍ର ପାଇଁ ଏଭଳି ଯୁଗାନ୍ତକାରୀ ନିଷ୍ପତ୍ତି ଗ୍ରହଣ କରିଥିବାରୁ ନବରଙ୍ଗପୁର ଜିଲ୍ଲାର ଅଗ୍ରଣୀ ଚାଷୀ ପିଂଟୁ ମିଶ୍ର କେନ୍ଦ୍ର ସରକାରଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି।

ସୂଚନାଯୋଗ୍ୟ ଯେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନ ଜରିଆରେ ଚାଉଳ, ଡାଲି, ତୈଳବୀଜ, ଖାଇବା ତେଲ, ପିଆଜ ଓ ଆଳୁ ଭଳି ସାମଗ୍ରୀକୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ହଟାଇବା ପ୍ରସ୍ତାବକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ଜରୁରି ପରିସ୍ଥିତିରେ ଏସବୁ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟକୁ ନିୟନ୍ତ୍ରଣ କରାଯାଇପାରିବ। କିନ୍ତୁ ଏଗୁଡ଼ିକର ବିକ୍ରି ଓ ରପ୍ତାନିରେ କୌଣସି କଟକଣା ରହିବ ନାହିଁ। ଫଳରେ କୃଷି କ୍ଷେତ୍ରରେ ନିବେଶ ଓ ଚାଷୀଙ୍କ ଆୟ ବୃଦ୍ଧି ପାଇବ। ଏହାଛଡ଼ା କେନ୍ଦ୍ର ସରକାର ‘କୃଷି ଉତ୍ପାଦ ବାଣିଜ୍ୟ ଓ ବ୍ୟବସାୟ’ (ସମ୍ବର୍ଦ୍ଧନା ଏବଂ ସୁବିଧା) ଅଧ୍ୟାଦେଶ ୨୦୨୦’କୁ ମଞ୍ଜୁରି ଦେଇଛନ୍ତି।

ସମ୍ବନ୍ଧିତ ଖବର