ଓମିକ୍ରନ୍‌ ସଙ୍କଟ ଭିତରେ ନୂଆବର୍ଷକୁ ସ୍ବାଗତ

ନୂଆଦିଲ୍ଲୀ: ଓମିକ୍ରନ୍‌ ସଙ୍କଟ ଭିତରେ ନୂଆବର୍ଷ-୨୦୨୨କୁ ବିଶ୍ବ ସ୍ବାଗତ କରିଛି। ନ୍ୟୁଜିଲାଣ୍ଡ୍‌ ଏବଂ ଅଷ୍ଟ୍ରେଲିଆର ସିଡ୍‌ନିରେ ଭବ୍ୟ ଆତସବାଜି ଦ୍ବାରା ନୂଆବର୍ଷକୁ ସ୍ବାଗତ କରାଯାଇଛି। ସିଡ୍‌ନି ଅପେରା ହାଉସ ଏବଂ ହାର୍ବର ବ୍ରିଜ୍‌ରେ ନୂଆ ବର୍ଷ ଉତ୍ସବ ପାଳନ ହୋଇଛି । ସୂଚନାଯୋଗ୍ୟ, ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଆକର୍ଷକ ଆତସବାଜି ପ୍ରଦର୍ଶନରେ ଅଷ୍ଟ୍ରେଲିଆ ସର୍ବଦା ଚର୍ଚ୍ଚାରେ ରହିଛି। ଆମେରିକାର ନ୍ୟୁୟର୍କ ସହର ଟାଇମ୍ସ ସ୍କୋୟାର୍‌ରେ କଟକଣା ଯୋଗୁଁ ନୂଆବର୍ଷ ଉତ୍ସବ ପାଇଁ କୌଣସି ଜନସମାଗମ ହୋଇନାହିଁ। ସେଠାରେ ଡିଜିଟାଲ୍‌ ମାଧ୍ୟମରେ ନୂଆବର୍ଷକୁ ସ୍ବାଗତ କରାଯାଇଥିଲା। ଭାରତରେ ମଧ୍ୟ ନୂଆବର୍ଷକୁ କୋଭିଡ୍‌ କଟକଣା ଭିତରେ ଲୋକେ ସ୍ବାଗତ କରିଛନ୍ତି।

ଓମିକ୍ରନ୍‌ ପ୍ରଜାତି ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ କଡ଼ା କଟକଣା ଜାରି କରିଥିବା ସତ୍ତ୍ବେ ବିଭିନ୍ନ ସ୍ଥାନରେ ଜନସାଧାରଣ ରାତିରେ ରାସ୍ତାକୁ ଓହ୍ଲାଇ ନୂଆବର୍ଷର ଆଗମନକୁ ସ୍ବାଗତ କରିଛନ୍ତି। ରାଜଧାନୀ ଦିଲ୍ଲୀ ଏବଂ ମୁମ୍ବାଇରେ କଟକଣା ଭିତରେ ଲୋକେ ନୂଆବର୍ଷକୁ ସ୍ବାଗତ କରିଛନ୍ତି। କରୋନା କଟକଣା ଯୋଗୁଁ ଯୁବପିଢ଼ି ଭିଡିଓ କଲିଂ ଏବଂ ଭର୍ଚୁଆଲ୍‌ ପାର୍ଟି ମାଧ୍ୟମରେ ନୂଆ ବର୍ଷକୁ ସ୍ବାଗତ କରିଥିବା ଦେଖାଯାଇଛି।

ସମ୍ବନ୍ଧିତ ଖବର