ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ନିଜର ପ୍ରଥମ ସୌର ମିସନ ଆଦିତ୍ୟ-ଏଲ୍୧ ଉତ୍‌କ୍ଷେପଣ କରିବା ପରେ ପୃଥିବୀ ଚାରିପଟେ ସଫଳତାର ସହ ଏହାର ପ୍ରଥମ କକ୍ଷପଥ ବୃଦ୍ଧି କରିଛି। କରୋନା (ସୂର୍ଯ୍ୟଙ୍କ ବାହ୍ୟସ୍ତର)ର ରହସ୍ୟ ଏବଂ ମହାକାଶ ପାଣିପାଗ ଉପରେ ଏହାର ପ୍ରଭାବକୁ ବୁଝିବା ଏହି ଅଭିଯାନର ଲକ୍ଷ୍ୟ। ଏକ୍ସ (ଟ୍ୱିଟର)ରେ ଇସ୍ରୋ କହିଛି ଯେ ଉପଗ୍ରହଟି ସୁସ୍ଥ ଅଛି ଏବଂ ସ୍ବାଭାବିକ ଭାବେ କାର୍ଯ୍ୟ କରୁଛି। ବେଙ୍ଗାଲୁରୁର ଇସ୍‌ଟ୍ରାକ୍‌ରୁ ପ୍ରଥମ ପୃଥିବୀ-ବନ୍ଧିତ ମାନିଉଭର ସଫଳତାର ସହ ସମ୍ପନ୍ନ ହୋଇଛି। ନୂତନ କକ୍ଷପଥର ପରିସର ୨୪୫ କିମି x ୨୨୪୫୯ କିମି ରହିଛି। ପରବର୍ତ୍ତୀ କକ୍ଷପଥ ପରିବର୍ତ୍ତନ ସେପ୍ଟେମ୍ବର ୫ ଅପରାହ୍ଣ ପ୍ରାୟ ୩ଟାରେ ସମ୍ପନ୍ନ ହେବ।

Advertisment

ସେପ୍ଟେମ୍ବର ପହିଲା ପୂର୍ବାହ୍ଣ ୧୧ଟା ୫୦ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ରରୁ ଆଦିତ୍ୟ-ଏଲ୍୧କୁ ଉତ୍‌କ୍ଷେପଣ କରାଯାଇଥିଲା। ୧୪୭୨ କିଲୋଗ୍ରାମ ଓଜନର ଏହି ମହାକାଶଯାନକୁ ଇସ୍ରୋର ସବୁଠାରୁ ଭରସାଯୋଗ୍ୟ ଓ ବହୁମୁଖୀ ୱାର୍କହର୍ସ ରକେଟ୍ ପୋଲାର ସାଟେଲାଇଟ୍ ଲଞ୍ଚ ଭେଇକିଲ୍ (ପିଏସ୍ଏଲ୍‌ଭି) ‘ଏକ୍ସଏଲ୍’ ମହାକାଶକୁ ନେଇ ଯାଇଥିଲା। ଆଦିତ୍ୟ-ଏଲ୧ ମିସନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସୂର୍ଯ୍ୟଙ୍କ ଉପର ବାୟୁମଣ୍ଡଳୀୟ ସ୍ତର, ବିଶେଷକରି କ୍ରୋମୋସ୍ଫିୟର ଏବଂ କରୋନା ଉପରେ ଅଧ୍ୟୟନ କରିବା। ଏହି ଅଭିଯାନରେ କୋରୋନାଲ ମାସ୍ ଇଜେକ୍ସନ (ସିଏମଇ), ସୂର୍ଯ୍ୟଙ୍କ କରୋନାରୁ ପ୍ଲାଜ୍ମା ଏବଂ ଚୁମ୍ବକୀୟ କ୍ଷେତ୍ରର ବିପୁଳ ନିଷ୍କାସନ ଏବଂ ମହାକାଶ ପାଣିପାଗର ଚାଳକ କରୋନାର ଚୁମ୍ବକୀୟ କ୍ଷେତ୍ରର ବିଶ୍ଳେଷଣ କରାଯିବ। ଏହି ମହାକାଶଯାନ ପୃଥିବୀଠାରୁ ପ୍ରାୟ ୧.୫ ନିୟୁତ କିଲୋମିଟର ଦୂର ସୂର୍ଯ୍ୟ-ପୃଥିବୀ ପ୍ରଣାଳୀର ଲାଗ୍ରାଞ୍ଜ ପଏଣ୍ଟ ୧ (ଏଲ୍୧) ଚାରିପାଖରେ ଏକ ହାଲୋ କକ୍ଷପଥରେ ଅବସ୍ଥାପିତ ହେବ। ଏହା ବିନା ବାଧାରେ ନିରନ୍ତର ସୂର୍ଯ୍ୟଙ୍କ ଉପରେ ପର୍ଯ୍ୟବେକ୍ଷଣ ପାଇଁ ଏକ ଉପଯୁକ୍ତ ସ୍ଥାନ ଅଟେ।

ଆଦିତ୍ୟ-ଏଲ୍୧ କରୋନା ଉପରେ ଅଧ୍ୟୟନ ପାଇଁ ଭିଜିବଲ୍ ଏମିସନ୍ ଲାଇନ୍ କୋରୋନାଗ୍ରାଫ୍ (ଭିଏଲ୍ଇସି), ସୌର ଫଟୋସ୍ଫିୟର ଏବଂ କ୍ରୋମୋସ୍ଫିୟରର ୟୁଭି ଫଟୋ ଉଠାଇବା ପାଇଁ ସୋଲାର ଅଲ୍ଟ୍ରାଭାୟୋଲେଟ୍ ଇମେଜିଂ ଟେଲିସ୍କୋପ୍ (ଏସ୍ୟୁଆଇଟି) ଏବଂ ଏକ୍ସ-ରେ ଫ୍ଲେୟାର୍ସର ବିଶ୍ଳେଷଣ ପାଇଁ ସୋଲାର ଲୋ ଏନର୍ଜି ଏକ୍ସ-ରେ ସ୍ପେକ୍ଟ୍ରୋମିଟର (ସୋଲେକ୍ସ) ଏବଂ ହାଇ ଏନର୍ଜି ଏଲ୍୧ ଅର୍ବିଟିଂ ଏକ୍ସ-ରେ ସ୍ପେକ୍ଟ୍ରୋମିଟର (ଏଚ୍ଇଏଲ୍୧ଓଏସ୍) ସମେତ ୭ଟି ପେଲୋଡ୍ ବହନ କରୁଛି। ଏହି ଅଭିଯାନ ସୂର୍ଯ୍ୟ ଏବଂ ଏହାର ବିକିରଣ, ଉତ୍ତାପ, କଣିକାପ୍ରବାହ ଏବଂ ଚୁମ୍ବକୀୟ କ୍ଷେତ୍ର ଆମକୁ କିପରି ପ୍ରଭାବିତ କରେ ସେ ବିଷୟରେ ଆମର ଜ୍ଞାନକୁ ଯଥେଷ୍ଟ ବିସ୍ତାରିତ କରିବ ବୋଲି ଆଶା କରାଯାଉଛି।