‘ଆମେ ଏହାର ଶୁଣାଣି କରିବୁ’: ନିର୍ବାଚନ ବଣ୍ଡ ମାମଲା ତାଲିକାଭୁକ୍ତ କରିବାକୁ କହିଲେ ପ୍ରଧାନ ବିଚାରପତି ରମଣା

ନୂଆଦିଲ୍ଲୀ: ଦେଶରେ ନିର୍ବାଚନ ବଣ୍ଡ ଜାରି ଉପରେ ଆଇନକୁ ଚ୍ୟାଲେଞ୍ଜ କରି ଆଗତ ଏକ ମାମଲାକୁ ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ମଙ୍ଗଳବାର ସୁପ୍ରିମ କୋର୍ଟ କହିଛନ୍ତି।

ସୁପ୍ରିମ୍‌ କୋର୍ଟର ବରିଷ୍ଠ ଆଡଭୋକେଟ୍‌ ପ୍ରଶାନ୍ତ ଭୂଷଣ ଆଜି ଏହି ମାମଲା ସଂପର୍କରେ ଉଲ୍ଲେଖ କରିବା ପରେ ସର୍ବୋଚ୍ଚ ଅଦାଲତ ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଏନଭି ରମଣା କହିଥିଲେ, ‘ଆମେ ଏହାର ଶୁଣାଣି କରିବୁ। ଏହାକୁ ଶୁଣାଣି ପାଇଁ ତାଲିକାଭୁକ୍ତ କରାଯାଉ’।

ରିପୋର୍ଟ ଅନୁଯାୟୀ, ଆଡଭୋକେଟ ଭୂଷଣ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ଯେଉଁଥିରେ କୁହାଯାଇଛି ଯେ କୋଲକାତା ସ୍ଥିତ ଏକ କମ୍ପାନି ଅବକାରୀ ହାର ବନ୍ଦ କରିବା ପାଇଁ ନିର୍ବାଚନ ବଣ୍ଡ ମାଧ୍ୟମରେ ୪୦ କୋଟି ଟଙ୍କା ପ୍ରଦାନ କରିଛି। ଭୂଷଣ କହଥିଲେ ଯେ ଏହା ଗଣତନ୍ତ୍ରକୁ ବିକୃତ କରୁଛି।

ଏହାର ଉତ୍ତରରେ ପ୍ରଧାନ ବିଚାରପତି କହିଛନ୍ତି, ‘ମୁଁ ଏହାର ଅନୁଧ୍ୟାନ କରିବି। ଯଦି ଏହା କୋଭିଡ-୧୯ ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ ନଥିବ, ତେବେ ଆମେ ଏହାକୁ ବିଚାର ପାଇଁ ଗ୍ରହଣ କରି ଏହାର ଶୁଣାଣି କରିବୁ’। ଯେତେବେଳେ ଭୂଷଣ ଜିଦ୍‌ ଧରିଲେ ଯେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ, ପ୍ରଧାନ ବିଚାରପତି ରମଣା ପୁନରାବୃତ୍ତି କଲେ, ‘ହଁ, ଆମେ ଏହାର ଶୁଣାଣି କରିବୁ’।

ଉଲ୍ଲେଖଯୋଗ୍ୟ, ୨୦୧୭ କେନ୍ଦ୍ର ବଜେଟରେ ଘୋଷଣା କରା ଯାଇଥିଲା, ନିର୍ବାଚନ ବଣ୍ଡ ହେଉଛି ରାଜନୈତିକ ଦଳଗୁଡିକୁ ଅଜ୍ଞାତ ଭାବରେ ଟଙ୍କା ଦାନ କରିବା ପାଇଁ ବ୍ୟବହୃତ ଏକ ସୁଧମୁକ୍ତ ବାହକ ଉପକରଣ। ଏହି ବାହକ ଉପକରଣର କ୍ରେତା କିମ୍ବା ଦେୟକାରୀଙ୍କ ବିଷୟରେ କୌଣସି ସୂଚନା ବହନ କରେ ନାହିଁ, ଏବଂ ଉପକରଣର ଗ୍ରହୀତା ଦେଶର ଯେ କୌଣସି ରାଜନୈତିକ ଦଳ ହୋଇପାରିବେ।

ପ୍ରାରମ୍ଭରେ, ନିର୍ବାଚନ ବଣ୍ଡ କମ୍ପାନିଗୁଡିକ ପାଇଁ ସେମାନଙ୍କର ପରିଚୟ ପ୍ରକାଶ ନକରି ରାଜନୈତିକ ଦଳଗୁଡ଼ିକୁ ଦାନ କରିବାର ଏକ ଉପାୟ ଭାବରେ ଉଭା ହୋଇଥିଲା। କିନ୍ତୁ ବର୍ତ୍ତମାନ ଅଜ୍ଞାତ ବ୍ୟକ୍ତିବିଶେଷ, ଏନଜିଓ, ଧାର୍ମିକ ଏବଂ ଅନ୍ୟାନ୍ୟ ଟ୍ରଷ୍ଟକୁ ବିସ୍ତାରିତ ହୋଇଗଲାଣି, ଯେଉଁମାନେ ସେମାନଙ୍କର ବିବରଣୀ ବା ପରିଚୟ ପ୍ରକାଶ ନକରି ନିର୍ବାଚନ ବଣ୍ଡ ମାଧ୍ୟମରେ ରାଜନୈତିକ ଦଳଗୁଡ଼ିକୁ ଆର୍ଥିକ ଦାନ ପ୍ରଦାନ କରିବାକୁ ଅନୁମତି ପ୍ରାପ୍ତ।

ସମ୍ବନ୍ଧିତ ଖବର