କେନ୍ଦ୍ରରେ କ୍ଷମତାକୁ ଆସିଲେ ପଶ୍ଚିମ-ଉତ୍ତରପ୍ରଦେଶକୁ ଏକ ଅଲଗା ରାଜ୍ୟ କରିବୁ : ମାୟାବତୀ

ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ କହିଛନ୍ତି ଯେ ତାଙ୍କ ଦଳ କେନ୍ଦ୍ରରେ କ୍ଷମତାକୁ ଆସିଲେ ପଶ୍ଚିମ-ଉତ୍ତରପ୍ରଦେଶକୁ ଏକ ନୂଆ ରାଜ୍ୟ କରାଯିବ।  ଲକ୍ଷ୍ନୌରେ ଏକ ଜନସଭାକୁ ସମ୍ବୋଧିତ କରି ମାୟାବତୀ ଏହା କହିଛନ୍ତି । ସେହିପରି ମିରଟରେ ଦଳୀୟ ପ୍ରାର୍ଥୀ ଦେବବ୍ରତ କୁମାର ତ୍ୟାଗୀଙ୍କ ସମର୍ଥନରେ ଆୟୋଜିତ ଏକ ଜନସଭାରେ ବି ସେ ଏହା କହିଥିଲେ । ସେ ଲୋକଙ୍କୁ ମନେ ପକାଇ ଦେଇଛନ୍ତି ଯେ ବିଏସପି ତାଙ୍କ ସରକାରରେ ୟୁପିରୁ ତିନୋଟି ପୃଥକ ରାଜ୍ୟ ଗଠନ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ପଠାଇଥିଲା, କିନ୍ତୁ ତାହା କାର୍ଯ୍ୟକାରୀ ହୋଇନଥିଲା ।

ସୂଚନାଯୋଗ୍ୟ ଯେ, ୨୦୧୧ରେ ୟୁପିରେ ବିଏସପି ସରକାର ଥିଲା ଏବଂ ମାୟାବତୀ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ । ସେ ଉତ୍ତରପ୍ରଦେଶକୁ ବିଭାଜିତ କରିବା ଏବଂ ପୂର୍ବାଂଚଳ, ପଶ୍ଚିମ ୟୁପି ଏବଂ ବୁନ୍ଦେଲଖଣ୍ଡକୁ ଅଲଗା ରାଜ୍ୟ କରିବା ପାଇଁ ଏକ ସଂକଳ୍ପ ପାରିତ କରିଥିଲେ ।

ଲକ୍ଷ୍ନୌର ଲୋହିଆ ନଗର ଅଞ୍ଚଳର ଅଲିପୁର ମଇଦାନରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ମାୟାବତୀ ସମାଜବାଦୀ ପାର୍ଟି ଉପରେ ମଧ୍ୟ ବଡ଼ ଆକ୍ରମଣ କରିଛନ୍ତି। ମାୟାବତୀ ଅଭିଯୋଗ କରିଛନ୍ତି ଯେ ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ସଂରକ୍ଷଣର ସୁବିଧା ମିଳୁ ବୋଲି ସପା ଚାହୁଁନାହିଁ। ମାୟାବତୀ କହିଛନ୍ତି ଯେ ସରକାରୀ ଚାକିରିରେ ଦଳିତ ଓ ଆଦିବାସୀଙ୍କୁ ଦିଆଯାଇଥିବା ସଂରକ୍ଷଣ ବର୍ଷ ବର୍ଷ ଧରି ପୂରଣ ହୋଇନାହିଁ। ସେ ବିଜେପି ଓ କଂଗ୍ରେସକୁ ମଧ୍ୟ ସେ ଟାର୍ଗେଟ କରିଥିଲେ ।

ସମ୍ବନ୍ଧିତ ଖବର