ବିଶ୍ୱ ଏକ ଅଦୃଶ୍ୟ ଶତ୍ରୁ ସହ ଲଢେଇ କରୁଛି, କିନ୍ତୁ ଆମେ ଜିତିବା : ଟ୍ରମ୍ପ

ଲଣ୍ଡନ : କରୋନା ଭାଇରସ ଯୋଗୁଁ ସମଗ୍ର ବିଶ୍ୱ  ଏକ ବଡ଼ ଧରଣର ବିପଦ ଆଡ଼କୁ ମୁହାଁଉଛି । ମାନବଜାତି ବିଶ୍ୱଯୁଦ୍ଧ, ୧୯୩୦ ଦଶକର ବୃହତ ମାନ୍ଦାବସ୍ଥା ପରି ବଡ଼ ସଂକଟରେ ପଡ଼ିବାକୁ ଯାଉଛି ବୋଲି ବିଶେଷଜ୍ଞମାନେ ସତର୍କ କରାଇଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଟ୍ଵିଟ କରି ଲେଖିଛନ୍ତି ଯେ ସମଗ୍ର ବିଶ୍ୱ ଏକ ଅଦୃଶ୍ୟ ଶତ୍ରୁ ସହ ଯୁଦ୍ଧ କରୁଛି । କିନ୍ତୁ ଆମେ (ମାନବଜାତି) ନିଶ୍ଚିତ ବିଜୟୀ ହେବୁ ।

 

ଅନ୍ୟପକ୍ଷରେ ଲଣ୍ଡନ ସ୍ଥିତ ଇମ୍ପେରିଆଲ କଲେଜର ଗବେଷକ ନିଲ୍‌ ଫର୍ଗୁସନ କହିଛନ୍ତି ଯେ କରୋନା ଭାଇରସ ଆଧୁନିକ ଯୁଗରେ ବିଶ୍ୱ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଭାବେ ଦେଖାଦେଇଛି । ଏହି ଭାଇରସ ଯଦି ଏହିପରି ଭାବେ ବ୍ୟାପିଚାଲିବ, ତେବେ କେବଳ ଆମେରିକାରେ ୨୨ ଲକ୍ଷ ଓ ବ୍ରିଟେନରେ ୫ ଲକ୍ଷ ଲୋକ ପ୍ରାଣ ହରାଇବେ । ସମଗ୍ର ବିଶ୍ୱରେ ଏହି ମୃତ୍ୟୁସଂଖ୍ୟା ଯଥେଷ୍ଟ ଅଧିକ ହେବ । ବିଶ୍ୱର ଅର୍ଥନୀତି, ସାମାଜିକ ଓ ରାଜନୈତିକ ବ୍ୟବସ୍ଥା ଉପରେ ଏହାର ସୁଦୂରପ୍ରସାରୀ ପ୍ରଭାବ ପଡ଼ିବ । ବିଶ୍ୱରେ ଅନାହାର ମୃତ୍ୟୁ, ଗୃହଯୁଦ୍ଧ ଓ ବେରୋଜଗାରୀ ନିୟନ୍ତ୍ରଣ ବାହାରକୁ ଚାଲିଯିବ । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବେ ବିଶ୍ୱର ଅନୁନ୍ନତ ଓ ସ୍ୱଳ୍ପ ବିକଳିତ ଦେଶ ସମୂହ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର