ପଶ୍ଚିମବଙ୍ଗ: ହିଂସା ସତ୍ତ୍ବେ ୭୬.୧୬% ମତଦାନ

ଗୁଜବରୁ ଲୋକେ ସଂଘବଦ୍ଧ ଆକ୍ରମଣ କରିଥିଲେ: ଇସି

କୋଲକାତା : ହିଂସା ମଧ୍ୟରେ ଆଜି ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ ୪୪ଟି ଆସନରେ ଭୋଟ୍‌ ଗ୍ରହଣ ହୋଇଥିଲା। ସନ୍ଧ୍ୟା ୬.୩୦ ସୁଦ୍ଧା ୭୬.୧୬ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ହାୱଡ଼ା, ଦକ୍ଷିଣ ୨୪ ପ୍ରଗଣା, ହୁଗୁଳି, ଅଲିପୁରଦୁଅର ଏବଂ କୁଚବିହାରରେ ମୋଟ୍‌ ୪୪ଟି ଆସନରେ ୩୭୩ ପ୍ରାର୍ଥୀ ନିର୍ବାଚନ ଲଢ଼ିଛନ୍ତି। ଚତୁର୍ଥ ପର୍ଯ୍ୟାୟରେ ପ୍ରମୁଖ ପ୍ରାର୍ଥୀମାନେ ହେଲେ ପୂର୍ବତନ କ୍ରିକେଟର ମନୋଜ ତିୱାରୀ, ବଲିଉଡ୍‌ ଗାୟକ ତଥା ବିଜେପି ସାଂସଦ ବବୁଲ୍‌ ସୁପ୍ରିୟୋ, ଲକେଟ୍‌ ଚାଟାର୍ଜୀ, ପାୟଲ ସରକାର ଏବଂ ପୂର୍ବତନ ମନ୍ତ୍ରୀ ରାଜୀବ ବାନାର୍ଜୀ। ଚତୁର୍ଥ ପର୍ଯ୍ୟା‌ୟ ନିର୍ବାଚନରେ କୁଚବିହାରରେ ବ୍ୟାପକ ହିଂସା ଦେଖିବାକୁ ମିଳିଛି।

କୁଚବିହାର ସିତଲକୁଚିରେ ୨ଟି ପୃଥକ୍‌ ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି। ସିଆଇଏସଏଫ୍‌ ଗୁଳିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଏକ ଘଟଣାରେ ୨ ଜଣ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ପ୍ରଥମ ଥର ପାଇଁ ଭୋଟ୍‌ ଦେବାକୁ ଆସିଥିବା ଜଣେ ୧୮ ବର୍ଷୀୟ ଯୁବକ ପ୍ରାଣ ହରାଇଛନ୍ତି। ହିଂସା ପରେ ସିତଲକୁଚିର ୧୨୬ ନମ୍ବର ନିର୍ବାଚନୀ ବୁଥ୍‌ରେ ନିର୍ବାଚନ କମିସନ୍‌ ଭୋଟ୍‌ ସ୍ଥଗିତ ରଖିଥିଲେ। ଉକ୍ତ ଘଟଣାରେ ତଦନ୍ତ ଜାରି ରହିଛି ବୋଲି ଜଲପାଇଗୁଡ଼ି ଡିଆଇଜି କହିଛନ୍ତି। ଚତୁର୍ଥ ପର୍ଯ୍ୟାୟ ପାଇଁ ୧୬ ହଜାର ନିର୍ବାଚନୀ ବୁଥ୍‌ରେ ସିଏପିଏଫ୍‌ର ୮୦ ହଜାରରୁ ଅଧିକ ସଦସ୍ୟ ମୁତୟନ ହୋଇଥିଲେ। ପଶ୍ଚିମବଙ୍ଗରେ ୪ ପର୍ଯ୍ୟାୟରେ ନିର୍ବାଚନ ଶେଷ ହୋଇଥିବା ବେଳେ ଆଉ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ମେ’ ୨ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।

ଗୁଜବରୁ ଲୋକେ ସଂଘବଦ୍ଧ ଆକ୍ରମଣ କରିଥିଲେ: ଇସି
ଗୁଳିକାଣ୍ଡର ସିଆଇଡି ତଦନ୍ତ ନିର୍ଦ୍ଦେଶ ଦେଲେ ମମତା
ନୂଆଦିଲ୍ଲୀ: କୁଚବିହାରରେ ବୁଥ୍‌ ଦଖଲ ଉଦ୍ୟମ କରୁଥିବା ଉପଦ୍ରବାକରୀଙ୍କ ଉପରେ ସିଆଇଏସ୍‌ଏଫ୍‌ ଯବାନଙ୍କ ଗୁଳିମାଡ଼ ଯୋଗୁଁ ୪ ଜଣଙ୍କ ମୃତ୍ୟୁ ‌ଘଟିବା ମାମଲାରେ ନିର୍ବାଚନ କମିସନ୍‌ ଆଜି ଅପରାହ୍ନରେ ବୟାନ ଜାରି କରିଛନ୍ତି। ସୁରକ୍ଷା ବାହିନୀ ବିରୋଧରେ ଅପପ୍ରଚାର ଏବଂ ଗୁଜବରେ ବିଶ୍ବାସ କରି ସ୍ଥାନୀୟ ଲୋକେ ସଂଘବଦ୍ଧ ଆକ୍ରମଣ କରିଥିଲେ ଏବଂ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଗୁଳି ଚଳାଇବାକୁ ପଡ଼ିଥିଲା ବୋଲି ନିର୍ବାଚନ କମିସନ କହିଛନ୍ତି। ଏହି ମାମଲାରେ ବିଜେପି ଏବଂ ଟିଏମ୍‌ସି ପରସ୍ପର ପରସ୍ପରକୁ ଦାୟୀ କରିଛନ୍ତି। ଉକ୍ତ ଘଟଣା ପାଇଁ ଟିଏମ୍‌ସି ‌କେନ୍ଦ୍ରୀୟ ବାହିନୀ ବିରୋଧରେ ପ୍ରବଳ ବର୍ଷିଛି। ଏହା ଏକ ନିର୍ମମ ହତ୍ୟା ବୋଲି ଦର୍ଶାଇ ଟିଏମ୍‌ସି କହିଛି ଯେ, ନିର୍ବା‌ଚନ କମିସନ୍‌ ଏହି ହିଂସାକୁ ସମର୍ଥନ କରିଛନ୍ତି। ଉକ୍ତ ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଆଇଡି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ବିଜେପି କହିଛି ଯେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ ପାଇଁ ଲୋକଙ୍କୁ ମମତା ସିଧାସଳଖ ଉସୁକାଇଛନ୍ତି ଏବଂ ଏହାର ପରିଣତି ଆଜି ଦେଖିବାକୁ ମିଳିଛି ।

ସମ୍ବନ୍ଧିତ ଖବର