ସେନା ସହାୟତା ମାଗିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଓଡ଼ିଶାର ମୁଣ୍ଡଳି ବାଟାଲିୟନରୁ ଗଲା ଏନଡିଆରଏଫର ୧୦ଟି ଟିମ

କୋଲକତା : ଅମ୍ପାନ ବାତ୍ୟା ବିଧ୍ବସ୍ତ ପଶ୍ଚିମବଙ୍ଗ ଲାଗି ସେନା, ରେଳବାଇ, ବନ୍ଦର ଓ ଘରୋଇ ସଂସ୍ଥାମାନଙ୍କ ସହାୟତା ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।  ବାତ୍ୟା ଯୋଗୁଁ ପଶ୍ଚିମବଙ୍ଗର ୨୪ ପ୍ରଗଣା, କୋଲକତା ଆଦି ମୋଟ ୬ଟି ଜିଲ୍ଲାରେ ନାହିଁ ନ ଥିବା କ୍ଷୟକ୍ଷତି ହୋଇଛି । ଲୋକଙ୍କ ପାଖରେ ଏବେ ବି ସହାୟତା ପହଞ୍ଚିନାହିଁ । କିନ୍ତୁ ରିଲିଫ ଓ ଥଇଥାନ ପାଇଁ ଅଧିକ ଲୋକ ଓ ସମ୍ବଳର ଅଭାବ ଦେଖାଦେଇଛି । ଏଥିପାଇଁ ସେନାର ସହାୟତା ମାଗିଛନ୍ତି ଦିଦି ।

ଏ ସଂପର୍କରେ ଟ୍ବିଟ କରି ଜଣାଇଛି ପଶ୍ଚିମବଙ୍ଗ ଗୃହ ବିଭାଗ । ଭିତ୍ତିଭୂମି ମରାମତି, ବିଜୁଳି ସେବାକୁ ସ୍ବାଭାବିକ କରିବା, ଲୋକଙ୍କ ପାଖରେ ସହାୟତା ପହଞ୍ଚାଇବା ପାଇଁ ନିବେଦନ କରିଛି ବିଭାଗ । ଏହି ଟ୍ବିଟରେ କୁହାଯାଇଛି ଯେ ଏସିଡିଆରଏଫ, ଏନଡିଆରଏଫକୁ ଅତିରିକ୍ତ ଟିମ ପଠାଇବା ପାଇଁ କୁହାଯାଇଛି ।  ପଶ୍ଚିମବଙ୍ଗ ସରକାରଙ୍କ ଅନୁରୋଧ ପରେ ଭାରତୀୟ ସେନା ୫ କଲମ ଯବାନ ପଠାଇଛି । ଗୋଟିଏ କଲମରେ ୩୫ ଜଣ ଯବାନ ଥାଆନ୍ତି । ଏହି ଯବାନମାନେ କୋଲକତା ନଗର ପ୍ରଶାସନକୁ ରିଲିଫ ଓ ସହାୟତା କାର୍ଯ୍ୟରେ ସହାୟତା କରିବେ । ସେହିପରି ଏନଡିଆରଏଫ୍ ପଶ୍ଚିମବଙ୍ଗକୁ ଆଉ ୧୦ଟି ଟିମ ପଠାଇଛି । ଓଡ଼ିଶାର ମୁଣ୍ଡଳିସ୍ଥିତ ଏନଡିଆରଏଫ୍  ବଟାଲିୟନରୁ ଏହି ୧୦ଟି ଟିମ ଯାଇଛି । ପୂର୍ବରୁ ପଶ୍ଚିମବଙ୍ଗରେ ୨୬ଟି ଏନଡିଆରଏଫ ଟିମ ରିଲିଫ ଓ ସହାୟତା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଆଉ ୧୦ଟି ଟିମ ଗଲା ପରେ ପଶ୍ଚିମବଙ୍ଗରେ ଏବେ ମୋଟ ୩୬ଟି ଏନଡିଆରଏଫ ଟିମ ନିୟୋଜିତ ଅଛନ୍ତି । ସେହିପରି ଓଡ଼ିଶା ସରକାର ମଧ୍ୟ ସହାୟତାର ହାତ ବଢାଇଛନ୍ତି ।

ସମ୍ବନ୍ଧିତ ଖବର