‘କୋଲ୍‌କାତା ପୋର୍ଟ ଟ୍ରଷ୍ଟ୍‍’ ଜୟନ୍ତୀ ପାଳନ ଉତ୍ସବରେ ଯୋଗ ଦେଲେନି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କୋଲକାତା: ‘କୋଲ୍‌କାତା ପୋର୍ଟ ଟ୍ରଷ୍ଟ୍‍’ର ୧୫୦ତମ ବାର୍ଷିକୀ ପାଳନ ଅବସରରେ ନେତାଜୀ ଇନ୍‌ଡୋର୍‌ ଷ୍ଟାଡିୟମ୍‌ରେ ଭରପୂର ଜନତାଙ୍କ ସମ୍ମୁଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ‘ଭାରତୀୟ ଜନସଂଘ’ର ପ୍ରତିଷ୍ଠାତା ସଭାପତି ଡକ୍ଟର୍‌ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ନାମାନୁସାରେ ରବିବାର ଦିନ ପୋର୍ଟର ପୁନଃନାମକରଣ କରିଛନ୍ତି। ମାତ୍ର ଏହି ଉତ୍ସବରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅନୁପସ୍ଥିତ ରହିଥିବା ଜାଣିବାକୁ ମିଳିଛି। ଟିଏମ୍‌ସି ସୁପ୍ରିମ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମଞ୍ଚରେ ନଜର ଆସିବେ ବୋଲି ପୂର୍ବରୁୁ ଜାଣିବାକୁ ମିଳିଥିଲେ ବି ଉଚିତ ସମୟରେ ଦେଖିବାକୁ ମିଳିନଥିଲେ ମମତା।

ରାଜ୍ୟରେ ’ସିଏଏ’ ପ୍ରତିବାଦରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନଥିବା କଥା ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ‘ସିଏଏ’ କୌଣସି ଭାରତୀୟ ନାଗରିକମାନଙ୍କ ସ୍ୱାର୍ଥ ପ୍ରତି କ୍ଷତିକାରକ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପ୍ରତିଶ୍ରୁତି ଦେବା ସତ୍ତ୍ୱେ ଆଜି କୋଲ୍‌କାତାରେ ଏହା ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରାଯାଇଛି।

Business Standard
ନିମନ୍ତ୍ରଣ ପତ୍ରରେ ମୋଦୀଙ୍କ ସହ ମମତାଙ୍କ ନାମ ଲେଖା ଯାଇଥିଲେ ବି ଉତ୍ସବରେ ମମତାଙ୍କ ଅନୁପସ୍ଥିତି ଚାରିଆଡ଼େ ଚର୍ଚ୍ଚା ସୃଷ୍ଟି କରିଛି। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ ପଶ୍ଚିମବଙ୍ଗ ରାଜ୍ୟପାଳ ମଧ୍ୟ ଉପସ୍ଥିତ ଥିଲେ।

ମୋଦୀ ସେଠାରେ ପୋର୍ଟର ପୁନଃନାମକରଣ କରିବା ସହ କହିଛନ୍ତି କି ‘ବଙ୍ଗ ଏବଂ ‘କୋଲ୍‌କାତା ପୋର୍ଟ ଟ୍ରଷ୍ଟ୍‍’ ସହ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ଲାଗି ଆଜି ଦିନଟି ମହତ୍ତ୍ୱପୂର୍ଣ୍ଣ। ଏହା ହେଉଛି ଗୋଟାଏ ଐତିହାସିକ ବନ୍ଦର। ଏହି ବନ୍ଦର ଭାରତର ସ୍ୱାଧୀନତା ପ୍ରାପ୍ତି ଓ ତା’ର ବିକାଶ ଦେଖିଛି। ଏବେ ଏହାକୁ ‘ଡକ୍ଟର୍‌ ଶ୍ୟାମାପ୍ରସାଦ ମୁଖାର୍ଜୀ ବନ୍ଦର’ କୁହାଯିବ। ଏହି ବନ୍ଦର ଭାରତର ଶିଳ୍ପ, ଅଧ୍ୟତ୍ମିକତା ଏବଂ ଆତ୍ମନିର୍ଭରଶୀଳ ଆକାଙ୍‌କ୍ଷାର ପ୍ରତିନିଧିତ୍ୱ କରୁଛି। ଆଜି ଏହି ବନ୍ଦର ତା’ର ୧୫୦ତମ ବାର୍ଷିକୀ ପାଳନ କରୁଥିବାଳେ ଏହାକୁ ନବ ଭାରତର ଶକ୍ତିଶାଳୀ ସଙ୍କେତ କରିବା ଆମର ଦାୟିତ୍ୱ।’

 

ସମ୍ବନ୍ଧିତ ଖବର