ପଶ୍ଚିମବଙ୍ଗରେ ୧୬ରୁ ଖୋଲିବ ସ୍କୁଲ, ବିମାନ ଚଳାଚଳ ଉପରେ ଲାଗିଥିବା କଟକଣା କୋହଳ

କୋଲକାତା: କରୋନା ସଂକ୍ରମଣ ହ୍ରାସ ହେବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ସ୍କୁଲ ଖୋଲିବା ନେଇ ଘୋଷଣା କରିଛନ୍ତି। ଆଜି ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ପଶ୍ଚିମବଙ୍ଗର ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ଫେବ୍ରୁଆରି ୧୬, ୨୦୨୨ରୁ ଖୋଲାଯିବ। ତେବେ ରାଜ୍ୟରେ ପୂର୍ବଭଳି ନାଇଟ କର୍ଫ୍ୟୁ ଜାରି ରହିବ ବୋଲି ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ସରକାର। ରାତି ୧୨ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ ହେବ ବୋଲି କୁହାଯାଇଛି।

ନୂଆ ଗାଇଡଲାଇନରେ କୁହାଯାଇଛି ଯେ, ବିଦ୍ୟାଳୟ ଖୋଲିବା ନେଇ ବିଦ୍ୟାଳୟ ଶିକ୍ଷା ବିଭାଗ ଏକ ପୃଥକ ଏସଓପି ଜାରି କରିବ। ଏହା ସହ ମାସ୍କ, ସାମାଜିକ ଦୂରତା ସମ୍ବନ୍ଧୀୟ ସମସ୍ତ କରୋନା ପ୍ରୋଟୋକଲ ସବୁବେଳେ କଡାକଡି ଭାବରେ ପାଳନ କରାଯିବା ନେଇ ମଧ୍ୟ କୁହାଯାଇଛି। ପଶ୍ଚିମବଙ୍ଗକୁ ଆସୁଥିବା ସମସ୍ତ ବିମାନ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି ପଶ୍ଚିମବଙ୍ଗ ସରକାର। ହେଲେ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ସମ୍ପୂର୍ଣ୍ଣ ଟିକାକରଣ କିମ୍ବା ଆସିବାର ୭୨ଘଣ୍ଟା ପୂର୍ବରୁ ହୋଇଥିବା କ‌ରୋନା ପରୀକ୍ଷାର ନେଗେଟିଭ ରିପୋର୍ଟ ଦେଖାଇବାକୁ ହେବ।

ଜାନୁଆରି ୩୧ରେ ମମତା ବାନାର୍ଜୀ ଫେବ୍ରୁଆରି ୩ରୁ ବିଦ୍ୟାଳୟ ଓ କଲେଜ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। ସେତେବ‌େଳେ ଅଷ୍ଟମରୁ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟକୁ ଯିବାକୁ ଅନୁମତି ଦେଇଥିବାବେଳେ ବାକି ଛାତ୍ରଛାତ୍ରୀମାନଙ୍କୁ କେବଳ ଅନଲାଇନ୍ କ୍ଲାସ୍ କରିବାକୁ କୁହାଯାଇଥିଲା। ଏବେ ନୂତନ ଗାଇଡଲାଇନ ଅନୁସାରେ ବିଦ୍ୟାଳୟଗୁଡ଼ିକ ସଂପୂର୍ଣ୍ଣ ଭାବେ ଖୋଲିବ।

ସମ୍ବନ୍ଧିତ ଖବର