ନୂଆଦିଲ୍ଲୀ : ‘ଖେଲା ହୋବେ’ ନାରା ଦେଇ ନିର୍ବାଚନୀ ପ୍ରଚାରକୁ ଜୋର୍ଦାର୍ କରିଥିବା ମମତା ବାନାର୍ଜୀ ଶେଷରେ ଖେଳ ଦେଖାଇବା ସହିତ ପଶ୍ଚିମବଙ୍ଗରେ ବିପୁଳ ବିଜୟ ହାସଲ କରିଛନ୍ତି। ୨୦୦ରୁ ଉର୍ଦ୍ଧ୍ବ ଆସନରେ ବିଜୟ ହାସଲ ସହିତ ମମତାଙ୍କ ତୃଣମୂଳ କଂଗ୍ରେସ ଦଳ (ଟିଏମ୍ସି) ପୁଣିଥରେ ତୃତୀୟଥର ପାଇଁ ସରକାର ଗଠନ କରିବାକୁ ଯାଉଛନ୍ତି। ବିଜେପିକୁ କ୍ଷମତାସୀନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଧୂଆଁଧାର୍ ପ୍ରଚାର କାମ ଦେଇନି। ଦିଦିଙ୍କ ଦମ୍ ଆଗରେ ବିଜୟର ସବୁ ଆଶା ଧୂଳିସାତ୍ ହୋଇଯାଇଛି।
ଅନ୍ୟପକ୍ଷରେ ଆସାମରେ କ୍ଷମତାସୀନ ବିଜେପି ଏବଂ କେରଳ ବାମମେଣ୍ଟ ଏଲ୍ଡିଏଫ୍ ପୁଣିଥରେ ସରକାର ଗଢ଼ିବାକୁ ଯାଉଛି। ତାମିଲନାଡ଼ୁରେ ବିରୋଧୀ ଦଳ ଡିଏମ୍କେ ନେତୃତ୍ବାଧୀନ ୟୁପିଏ ମେଣ୍ଟ କ୍ଷମତାରେ ଥିବା ଏଆଇଏଡିଏମ୍କେକୁ ହଟାଇବାରେ ସକ୍ଷମ ହୋଇଛି। କେନ୍ଦ୍ରଶାସିତ ଅଂଚଳ ପୁଡୁଚେରୀରେ ଏଆଇଏନ୍ଆର୍ସି ନେତୃତ୍ବାଧୀନ ଏନ୍ଡିଏ ମେଣ୍ଟ ବିଜୟ ଆଡ଼କୁ ଅଗ୍ରସର ହେଉଛି।
୫ ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ପରିଣାମ ଆଜି ଆସିଥିବାବେଳେ ସମଗ୍ର ଦେଶର ନଜର ପଶ୍ଚିମବଙ୍ଗ ଉପରେ ରହିଥିଲା। ପଶ୍ଚିମବଙ୍ଗରେ ଭୋଟଗ୍ରହଣ ହୋଇଥିବା ୨୯୨ ଆସନରୁ ଟିଏମ୍ସି ୨୧୪ ଆସନ ପାଇଥିବାବେଳେ ବିଜେପି ୭୬ ଆସନରେ ସୀମିତ ରହିଯାଇଛି। ସିପିଏମ୍ ଏବଂ ଅନ୍ୟମାନଙ୍କୁ ଗୋଟିଏ ଲେଖାଏଁ ଆସନ ମିଳିଛି। ଟିଏମ୍ସି ୪୮.୫ ପ୍ରତିଶତ ଭୋଟ୍ ହାସଲ କରିଥିବା ବେଳେ ବିଜେପିର ଭୋଟ୍ ପ୍ରତିଶତ ୩୭.୪ ରହିଛି। ତେବେ ଦଳ ପାଇଁ ଆଶାତୀତ ସଫଳତା ଆଣିଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମ ଆସନରେ ଅତି ସଂଘର୍ଷପୂର୍ଣ୍ଣ ମୁକାବିଲାରେ ହାରି ଯାଇଛନ୍ତି। ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ମମତାଙ୍କୁ ୧୭୩୬ ଖଣ୍ଡ ଭୋଟ୍ରେ ପରାସ୍ତ କରିଛନ୍ତି। ଦୀର୍ଘଦିନ ଧରି ହ୍ବିଲ୍ଚେୟାରରେ ଥିବା ମମତା ଆଜି ସନ୍ଧ୍ୟାରେ ଚାଲି ଚାଲି ଲୋକଙ୍କ ଗହଣକୁ ଆସି ଅଭିନନ୍ଦନ ଜଣାଇଥିଲେ ଏବଂ ଟିଏମ୍ସିର ବିଜୟକୁ ରାଜ୍ୟର ଜନସାଧାରଣଙ୍କ ବିଜୟ ବୋଲି କହିଥିଲେ। ପଶ୍ଚିମବଙ୍ଗ ପରିଣାମ ରାଜ୍ୟ ବିଜେପି ନେତାମାନଙ୍କୁ ହତବାକ୍ କରିଦେଇଥିବାବେଳେ ଦଳ ଏହାର ଆତ୍ମମନ୍ଥନ କରିବ ବୋଲି ରାଜ୍ୟ ପ୍ରଭାରୀ କୈଳାସ ବିଜୟବର୍ଗୀୟ କହିଛନ୍ତି। ଅନ୍ୟପକ୍ଷରେ ଏହି ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହ୍ୟାଟ୍ରିକ୍ ହାସଲ ସହ ମୁଖ୍ୟମନ୍ତ୍ରୀ ପଦରେ ଆସୀନ ହେବାକୁ ଯାଉଥିବା ମମତା ବାନାର୍ଜୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅଭିନନ୍ଦନ ବାର୍ତ୍ତାରେ ‘ମମତା ଦିଦି’ ବୋଲି ସମ୍ବୋଧନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାରଙ୍କ ଅଭିଳାଷ ପୂରଣ କରିବା ସହିତ କୋଭିଡ୍ ମୁକାବିଲାରେ କେନ୍ଦ୍ର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବ।
ଅନ୍ୟପକ୍ଷରେ କେରଳରେ ଶାସକ ଏଲ୍ଡିଏଫ୍ ମେଣ୍ଟ ଐତିହାସିକ ବିଜୟ ହାସଲ କରିଛି। କେରଳରେ ୧୪୦ ଆସନରୁ ବାମମେଣ୍ଟ ୯୨ ଆସନରେ ଆଗୁଆ/ବିଜୟୀ ରହିଛି। ରାଜ୍ୟରେ ପ୍ରତି ୫ ବର୍ଷରେ କ୍ଷମତା ବଦଳ ପରମ୍ପରା ଏଥର ଭାଙ୍ଗିଛି। କଂଗ୍ରେସ ନେତୃତ୍ବାଧୀନ ୟୁଡିଏଫ୍ ମାତ୍ର ୩୯ ଆସନ ପାଇଥିବାବେଳେ ବିଜେପି ନେତୃତ୍ବାଧୀନ ଏନ୍ଡିଏ ମେଣ୍ଟ କୌଣସି ଆସନରେ ବିଜୟ ହାସଲ କରିନି। ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ କନ୍ନୁର ଧର୍ମାଦମ୍ ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇଛନ୍ତି।
ଆସାମରେ ବିଜେପି ମେଣ୍ଟ କ୍ଷମତା ବଜାୟ ରଖିବାରେ ସଫଳ ହୋଇଛି। ରାଜ୍ୟର ୧୨୬ ଆସନରୁ ବିଜେପି ୭୩ ଆସନରେ ବିଜୟୀ ହୋଇଥିବାବେଳେ କଂଗ୍ରେସ ନେତୃତ୍ବାଧୀନ ମେଣ୍ଟକୁ ୫୨ ଆସନ ମିଳିଛି।
ତାମିଲନାଡ଼ୁରେ ୨୩୪ ବିଧାନସଭା ଆସନରୁ ଡିଏମ୍କେ ମେଣ୍ଟ ୧୫୨ ଆସନରେ ବିଜୟ ହାସଲ କରିଛି । କ୍ଷମତାରେ ଥିବା ଏଆଇଏଡିଏମ୍କେ ମେଣ୍ଟକୁ ମାତ୍ର ୭୭ ଆସନ ମିଳିଛି। କମଲ ହାସନଙ୍କ ଦଳ ଏମ୍ଏନ୍ଏମ୍କୁ ମାତ୍ର ଗୋଟିଏ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।
ପୁଡୁଚେରୀରେ ୩୦ ଆସନରୁ ଏନ୍ଡିଏ ମେଣ୍ଟ ୧୬ ଆସନରେ ବିଜୟୀ ହୋଇଥିବା ଜଣାପଡ଼ିଛି। କଂଗ୍ରେସ ମେଣ୍ଟକୁ ୯ ଆସନ ମିଳିଥିବାବେଳେ ଅନ୍ୟମାନଙ୍କୁ ୬ଟି ଆସନ ମିଳିଛି।
ନନ୍ଦିଗ୍ରାମରେ ହାଇଡ୍ରାମା, ତୀବ୍ର ଲଢ଼େଇରେ ମମତା ପରାସ୍ତ
ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ସବୁଠାରୁ ଚର୍ଚ୍ଚିତ ତଥା ହାଇପ୍ରୋଫାଇଲ୍ ଆସନ ନନ୍ଦିଗ୍ରାମରେ ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀ ପରାଜିତ ହୋଇଛନ୍ତି। ଶେଷମୁହୂର୍ତ୍ତ ପର୍ଯ୍ୟନ୍ତ ଉତ୍କଣ୍ଠା ଲାଗି ରହିଥିବାବେଳେ ମମତାଙ୍କ ପ୍ରତିଦ୍ବନ୍ଦ୍ବୀ ତଥା ପୂର୍ବତନ ସହଯୋଗୀ ଶୁଭେନ୍ଦୁ ଅଧିକାରୀ ହିଁ ବିଜୟର ଶିରିପା ପିନ୍ଧିଛନ୍ତି। ଆଜି ଭୋଟ୍ ଗଣତିର ବିଭିନ୍ନ ପର୍ଯ୍ୟାୟରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ମମତାଙ୍କଠାରୁ ଆଗରେ ରହିଥିଲେ। ଏକ ସମୟରେ ଶୁଭେନ୍ଦୁ ମମତାଙ୍କଠାରୁ ୮ ହଜାର ଭୋଟ୍ରେ ଅଧିକ ଥିଲେ। ଏହାପରେ ମମତାଙ୍କ ଭୋଟ୍ ସଂଖ୍ୟା ବଢ଼ିଥିଲା ଏବଂ ମମତା ଶୁଭେନ୍ଦୁଙ୍କଠାରୁ ଆଗରେ ରହିଲେ। କିନ୍ତୁ ଶେଷ ପର୍ଯ୍ୟାୟ ଭୋଟ୍ ଗଣତି ବେଳକୁ ଶୁଭେନ୍ଦୁ ପୁଣି ୬ଟି ଭୋଟ୍ ଆଗରେ ଥିଲେ। ଅତ୍ୟନ୍ତ କଡ଼ା ମୁକାବିଲା ଭିତରେ ଶୁଭେନ୍ଦୁ ମମତାଙ୍କୁ ୧୭୩୬ ଭୋଟ୍ରେ ହରାଇଛନ୍ତି। ମମତା ତାଙ୍କ ପରାଜୟକୁ ସ୍ବୀକାର କରିଛନ୍ତି ଏବଂ ନନ୍ଦିଗ୍ରାମର ଜନସାଧାରଣଙ୍କ ନିଷ୍ପତ୍ତିକୁ ଗ୍ରହଣ କରୁଛନ୍ତି ବୋଲି କହିଛନ୍ତି। ତେବେ, ଦଳ ପକ୍ଷରୁ ପୁନଃଗଣତି ପାଇଁ ଦାବି କରାଯାଇଥିଲା ବେଳେ ଫଳାଫଳ ବିରୋଧରେ କୋର୍ଟର ଦ୍ବାରସ୍ଥ ହେବେ ବୋଲି ମମତା କହିଛନ୍ତି।ଉଲ୍ଲେଖଯୋଗ୍ୟ ଯେ, ମମତା କେବଳ ଗୋଟିଏ ଆସନ ନନ୍ଦିଗ୍ରାମରୁ ନିର୍ବାଚନ ଲଢ଼ିଥିଲେ।