କୋଲକାତା: ପଶ୍ଚିମବଙ୍ଗରେ ଜୁଲାଇ ୮ ତାରିଖରେ ପଞ୍ଚାୟତ ନିର୍ବାଚନ ଥିବା ବେଳେ ଏହାକୁ ନେଇ ବିଭିନ୍ନ ସ୍ଥାନରେ ହିଂସା ଲାଗି ରହିଛି। ମଙ୍ଗଳବାର ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଡେଗଙ୍ଗା ଗ୍ରାମର ଜଣେ ୧୭ ବର୍ଷୀୟ ଛାତ୍ରର ମୃତ୍ୟୁ ପରେ ଗତ ୨୬ ଦିନ ଭିତରେ ପ୍ରାକ୍-ନିର୍ବାଚନୀ ହିଂସାଜନିତ ମୃତ୍ୟୁସଂଖ୍ୟା ୧୫ରେ ପହଞ୍ଚିଛି।

Advertisment

ଏକାଦଶ ଶ୍ରେଣୀ ଛାତ୍ର ଇମ୍ରାନ ହସନ ତୃଣମୂଳ କଂଗ୍ରେସ ଦ୍ବାରା ଆୟୋଜିତ ଏକ ନିର୍ବାଚନୀ ରୢାଲିରେ ଯୋଗ ଦେଇ ଫେରୁଥିବା ବେଳେ ସିପିଆଇ(ଏମ୍) ଓ ଇଣ୍ଡିଆନ ସେକ୍ୟୁଲାର ଫୋର୍ସର ସମର୍ଥକମାନେ ଏକ ଛାତ ଉପରୁ ତୃଣମୂଳ ସମର୍ଥକଙ୍କ ଉପରକୁ ବୋମା ପକାଇଥିଲେ। ଏଥିରେ ଗୁରୁତର ଆହତ ଛାତ୍ରକୁ ସ୍ଥାନୀୟ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ ସେଠାରେ ପହଞ୍ଚିବା ପୂର୍ବରୁ ତା’ର ମୃତ୍ୟୁ ହୋଇଯାଇଥିବା ଡାକ୍ତର ଘୋଷଣା କରିଥିଲେ।

ବିରୋଧୀ ଦଳ ନେତା ତଥା ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ ଛାତ୍ରର ମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟ ନିର୍ବାଚନ କମିସନର ତାଜିବା ସିହ୍ନାଙ୍କୁ ଦାୟୀ କରିଛନ୍ତି। ସେମାନେ ହିଂସାପ୍ରବଣ ଅଞ୍ଚଳରେ ଶାନ୍ତିରକ୍ଷା ପାଇଁ ଉପଲବ୍ଧ କେନ୍ଦ୍ରୀୟ ବଳର ସାହାଯ୍ୟ ନେଉ ନ ଥିବା ସେ ଅଭିଯୋଗ କରିଛନ୍ତି।