କୋଲକାତା: ମୁର୍ଶିଦାବାଦ ହିଂସାକାଣ୍ଡରେ ପ୍ରଭାବିତଙ୍କୁ ଭେଟିଲେ ପଶ୍ଚିମବଙ୍ଗ ରାଜ୍ୟପାଳ । ମାଲଦାରୁ ଟ୍ରେନ ଯୋଗେ ମୁର୍ଶିଦାବାଦରେ ପହଞ୍ଚିବା ପରେ ହିଂସାରେ ପ୍ରଭାବିତ ଲୋକଙ୍କୁ ଭେଟିଛନ୍ତି ରାଜ୍ୟପାଳ ସିଭି ଆନନ୍ଦ ବୋଷ । ଲୋକଙ୍କ ଗହଣରେ ବସି, ଲୋକଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଛି । ଏଥିସହ ଛୋଟଛୋଟ ପିଲାଙ୍କୁ ନିଜ ପାଖରେ ବସାଇ ସେମାନଙ୍କ ହାତଧରି ସେମାନଙ୍କୁ ଆଶ୍ବାସନା ଦେଉଥିବା ଦେଖିବାକୁ ମିଳିଛି ।

Advertisment

ତେବେ ପ୍ରଭାବିତଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟପାଳ । କହିଛନ୍ତି, କ୍ୟାମ୍ପରେ ଥିବା ପ୍ରଭାବିତ ପରିବାରଙ୍କୁ ଭେଟିଲି, ସେମାନଙ୍କ ସହ କଥା ହେଲି, ସେମାନଙ୍କ ଅଭିଯୋଗ, ଦାବି ଶୁଣିଲି । ମୁଁ ସେମାନଙ୍କ ଦୁଃଖ ବୁଝିପାରୁଛି, ସେମାନେ କଣ ଚାହୁଁଛନ୍ତି ମତେ କହିଲେ । ଖୁବଶୀଘ୍ର ସେ ଦିଗରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟପାଳ କହିଛନ୍ତି ।

ତେବେ ମହିଳାଙ୍କୁ ନେଇ ସାଙ୍ଘାତିକ କଥା କହିଛନ୍ତି ରାଜ୍ୟପାଳ । ତାଙ୍କ ପାଖରେ ମହିଳାମାନେ ଅଭିଯୋଗ କରିଛନ୍ତି କି, ସେମାନଙ୍କୁ ଭୟଭୀତ କରାଯାଇଥିଲା, ଦୁର୍ବୃତ୍ତମାନେ ସେମାନଙ୍କ ଘରକୁ ପଶି ଆସିଥିଲେ ଏବଂ ସେମାନଙ୍କୁ ଶାରୀରିକ ନିର୍ଯାତନା ଦେଇଥିଲେ । ଖାଲି ସେତିକି ନୁହେଁ ଅଶାଳୀନ ଶବ୍ଦ ମଧ୍ୟ ସେମାନଙ୍କୁ ଦୁର୍ବୃତ୍ତମାନେ କହିଥିଲେ । 

ଗତ ଏପ୍ରିଲ ୧୧ ତାରିଖରେ ଓ୍ୱାକଫ୍ ଆଇନ ବିରୋଧରେ ହେଉଥିବା ପ୍ରତିବାଦ, ଆଉ ଏହି ସମୟରେ ଘଟିଥିବା ହିଂସାରେ କିଛି ହିନ୍ଦୁ ପରିବାର ସ୍ଥାନାନ୍ତରିତ ହେଇ ମାଲଦାରେ ଆଶ୍ରୟ ନେଇଛନ୍ତି । ଆଉ ଏହାପରେ ପଶ୍ଚିମବଙ୍ଗ ରାଜ୍ୟପାଳ ସେହି ପୀଡିତ ପରିବାରଙ୍କୁ ଭେଟିବାକୁ ମାଲଦାରେ ପହଞ୍ଚିଛନ୍ତି । ତେବେ ରାଜ୍ୟପାଳ ପରିସ୍ଥିତିର ସମୀକ୍ଷା କରିବା ସହ ପ୍ରଭାବିତ ପରିବାର ସହିତ କଥା ହୋଇ କେନ୍ଦ୍ର ସରକାରଙ୍କୁ ତାଙ୍କର ରିପୋର୍ଟ ପ୍ରଦାନ କରିବେ ବୋଲି ପୂର୍ବରୁ କହିଥିଲେ ।