କୋଲକାତା : ଅଧାପୋଡ଼ା ଶବକୁ ଘୋଷାଡ଼ି ଗାଡ଼ିରେ ଲଦିଲେ

ଘଟଣା ପରେ ରାଜ୍ୟପାଳ ଏବଂ ବିରୋଧୀ ଦଳଗୁଡ଼ିକ ରାଜ୍ୟ ସରକାରଙ୍କୁ ଘେରିଲେ

କୋଲକାତା : କୋଲକାତାରେ ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ କୋଲକାତା ନଗର ନିଗମ କର୍ମଚାରୀମାନେ ଡଜନରୁ ଅଧିକ ଅଧା ପୋଡ଼ା ଶବକୁ ଘୋଷାଡ଼ି ଘୋଷାଡ଼ି ନେଇ ଏକ ଗାଡ଼ିରେ ଲଦୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଘଟଣା ପରେ ରାଜ୍ୟପାଳ ଏବଂ ବିରୋଧୀ ଦଳଗୁଡ଼ିକ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ଏଭଳି ଲଜ୍ଜାଜନକ ଘଟଣାର ସନ୍ତୋଷଜନକ ଉତ୍ତର ଦେବା ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି ରାଜ୍ୟପାଳ ଜଗଦୀପ ଧନଖଡ଼। ଅନ୍ୟପକ୍ଷରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏବଂ କୋଲକାତା ପୁଲିସ ଭାଇରାଲ ହୋଇଥିବା ଭିଡିଓ ନକଲି ଏବଂ ଶବଗୁଡ଼ିକ ହସ୍ପିଟାଲ ଶବଗୃହରେ ଥିବା ଅନାଥ ଲୋକମାନଙ୍କର ବୋଲି କୁହାଯାଇଛି।

ଏକ ଶ୍ମଶାନ ଘାଟରେ ଗତ ବୁଧବାର ଦିନ ଏକକାଳୀନ ୧୩ଟି ପଚା ଶବକୁ ଦାହ କରାଯାଉଥିଲା। ଶବଗୁଡ଼ିକ ଜଳିବାରୁ ସମ୍ପୃକ୍ତ ଅଞ୍ଚଳରେ ଦୁର୍ଗନ୍ଧ ବ୍ୟାପି ଯାଇଥିଲା। ସ୍ଥାନୀୟ ଲୋକେ ମିଳିତ ଭାବେ ଶ୍ମଶାନ ଘାଟକୁ ଯାଇ ଶବ ଦାହକୁ ବିରୋଧ କରିଥିଲେ। ଫଳରେ ଅଧାପୋଡ଼ା ଶବଗୁଡ଼ିକୁ ନଗର ନିଗମ କର୍ମଚାରୀମାନେ ଘୋଷାଡ଼ି ଘୋଷାଡ଼ି ନେଇ ଏକ ଗାଡ଼ିରେ ଲଦି ପଳାଇଥିଲେ। ଏହି ଦୃଶ୍ୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଲୋକମାନେ ଶବଗୁଡ଼ିକୁ କରୋନାରେ ମରିଥିବା ଲୋକଙ୍କର ବୋଲି କହୁଥିବା ବେଳେ ପ୍ରଶାସନ ପକ୍ଷରୁ ଏହାକୁ ଅସ୍ବୀକାର କରାଯାଇଛି। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ କରୋନାରେ ମୃତ୍ୟୁ ହୋଇଥିବା ଲୋକଙ୍କ ଶବ ନୁହେଁ। ଶବଗୁଡ଼ିକ ଅନାଥ ଲୋକମାନଙ୍କର।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ରାଜ୍ୟପାଳ ଜଗଦୀପ ଧନଖଡ଼। ଏହି ଘଟଣା ସମ୍ପର୍କରେ ରାଜ୍ୟ ଗୃହ ସଚିବଙ୍କୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି ରାଜ୍ୟପାଳ। ପ୍ରଶାସନ ପକ୍ଷରୁ ଦିଆଯାଇଥିବା‌ ସଫେଇକୁ ନେଇ ରାଜ୍ୟପାଳ ସନ୍ତୁଷ୍ଟ ନୁହନ୍ତି। ସେ କହିଛନ୍ତି, ଶବଗୁଡ଼ିକ କୋଭିଡ-୧୯ ଆକ୍ରାନ୍ତଙ୍କର ବୋଲି କୁହାଯାଉ ନାହିଁ। ଅସଲ କଥା ହେଉଛି ମଣିଷର ମୃତଦେହକୁ ଏଭଳି ଅମାନବୀୟ ଢଙ୍ଗରେ ଘୋଷାଡ଼ି ଘୋଷାଡ଼ି ଗାଡ଼ିରେ ଲଦିବା ଉଚିତ ନୁହେଁ। ଭିଡିଓରୁ ଯାହା ଜଣାପଡ଼ୁଛି, ଶବଗୁଡ଼ିକୁ ପଶୁମାନଙ୍କ ଭଳି ବ୍ୟବହାର କରାଯାଇଛି। ଯେଉଁମାନେ ଏହି ଘଟଣାକୁ ଏଡ଼େଇଯିବାକୁ ଉଦ୍ୟମ କରୁଛନ୍ତି, ସେମାନେ ନିଜ ବିବେକକୁ ପଚାରିବା ଦରକାର କି ଶବଗୁଡ଼ିକ ଯଦି ନିଜ ଆତ୍ମୀୟମାନଙ୍କର ହୋଇଥାନ୍ତା?

ସମ୍ବନ୍ଧିତ ଖବର