ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ୱକଫ୍‌ ଆଇନକୁ ବିରୋଧ କରି ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ଚାଲିଥିବା ୱକଫ୍‌ ବିରୋଧୀ ଆନ୍ଦୋଳନ ଭୟଙ୍କର ହିଂସାର ରୂପ ନେଇଛି। ହିଂସାରେ ୩  ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୮ ଜଣ ପୁଲିସ କର୍ମୀ ଆହତ ହୋଇଛନ୍ତି।  ମୁର୍ଶିଦାବାଦ ଜିଲ୍ଲାରେ ହୋଇଥିବା ଏହି ହିଂସା ମାମଲାରେ ୧୫୦ ଜଣ ଗିରଫ ହୋଇଥିବା ବେଳେ ଦଙ୍ଗାକାରୀମାନେ ନିରୀହ ଲୋକଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରୁଥିବାରୁ ବିସ୍ଫୋରକ ସ୍ଥିତି ଉପୁଜିଛି। ଦଙ୍ଗାକାରୀମାନେ  ଜାଫରାବାଦ୍ ସ୍ଥିତ ଏକ ଘର ଉପରେ ଆକ୍ରମଣ କରି ବାପ-ପୁଅଙ୍କୁ ଅତି ବର୍ବରତାର ସହ ହତ୍ୟା କରିଛନ୍ତି।  ଦଙ୍ଗାକାରୀମାନେ ଅନେକ ଘରେ ଲୁଟ୍‌ପାଟ କରିଛନ୍ତି। ପୃଥକ୍‌ ଘଟଣାରେ ସମସେରଗଞ୍ଜ ଧୁଲିଆନରେ ଗୁଳିମାଡ଼ରେ ଜଣେ ବ୍ୟକ୍ତିଙ୍କୁ ଗୁଳିକରି ହତ୍ୟା କରାଯାଇଛି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ମୁର୍ଶିଦାବାଦରେ ‘ବିଏନ୍‌ଏସ୍‌’ର ଧାରା ୧୬୩ ଜାରି ହୋଇଛି। 

Advertisment

ହିଂସାରେ ୩ ଜଣଙ୍କ ମୃତ୍ୟୁ
ଇଣ୍ଟରନେଟ୍‌ ବନ୍ଦ, ଧାରା ୧୬୩ ଲାଗୁ
ରାଜ୍ୟରେ ୱକଫ୍‌ ଆଇନ କାର୍ଯ୍ୟକାରୀ ହେବନି: ମମତା

ହିଂସା ତେଜିବାରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରି କହିଛନ୍ତି ଯେ ରାଜ୍ୟରେ ୱକଫ୍‌ ଆଇନ କାର୍ଯ୍ୟକାରୀ ହେବନାହିଁ।  ଏକ୍ସରେ ଏକ ପୋଷ୍ଟ୍‌ କରି ମମତା କହିଛନ୍ତି, ଆମେ ଏହି ପ୍ରସଙ୍ଗରେ ସ୍ଥିତି ସ୍ପଷ୍ଟ କରିଛୁ। ଆମେ ଏହି ଆଇନକୁ ସମର୍ଥନ କରୁନାହୁଁ।  ଆମ ରାଜ୍ୟରେ ଏହି ଆଇନ କାର୍ଯ୍ୟକାରୀ ହେବନାହିଁ। ତେଣୁ ଦଙ୍ଗା କରିବାର ଯଥାର୍ଥତା କିଛିନାହିଁ।  ତେବେ ମୁଖ୍ୟମନ୍ତ୍ରୀଙ୍କ ବୟାନ ପରେ ମଧ୍ୟ ଦଙ୍ଗାକାରୀମାନେ ଅନେକ ସ୍ଥାନରେ  ଅଧିକ ହିଂସ୍ର ହୋଇଉଠିଛନ୍ତି। ପରିସ୍ଥିତି  ସାଂଘାତିକ ରୂପ ନେଇଥିବା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦଙ୍ଗାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ‌ କେନ୍ଦ୍ର ସରକାରଙ୍କ ଦ୍ବାରା ଏହି ଆଇନ ତିଆରି ହୋଇଛି। ତେଣୁ କେନ୍ଦ୍ର ସରକାରଙ୍କଠାରୁ ଏହାର ଉତ୍ତର ମଗାଯିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମମତା ସିଧାସଳଖ କେନ୍ଦ୍ରୀୟ ଆଇନକୁ ଏଥିପାଇଁ ଦାୟୀ କରିଥିବାରୁ ଏହା ହିଂସାଗ୍ରସ୍ତ ଲୋକଙ୍କୁ ଏହା ଅଧିକ ଉତ୍ସାହିତ କରୁଛି ଏବଂ ସେମାନେ ଅଧିକ ବର୍ବରତାର ସହ ଲୋକଙ୍କ ଉପରେ ଆକ୍ରମଣ କରୁଛନ୍ତି ବୋଲି ରାଜ୍ୟ ବିଜେପି ନେତାମାନେ ଅଭିଯୋଗ କରିଛନ୍ତି।

ଦକ୍ଷିଣ ୨୪ ପ୍ରଗଣା , ହୁଗୁଳି , ମାଲ୍‌ଦା , ମୁର୍ଶିଦାବାଦରେ ୱକଫ୍‌ ଆଇନକୁ ବିରୋଧ କରି ଗତକାଲିଠାରୁ ଆରମ୍ଭ ହୋଇଥିବା ଦଙ୍ଗା ଗତରାତିରେ ଭୟାନକ ରୂପ ନେଇଥିଲା।   ଆନ୍ଦୋଳନକାରୀଙ୍କ ଏଭଳି ଉଗ୍ର ରୂପ ଦେଖି ଲୋକେ ଭୟରେ ଘରୁ ବାହାରିପାରୁ ନାହାନ୍ତି। ଧାରା ୧୬୩ ଜାରି ସତ୍ତ୍ବେ ଅନେକ ସ୍ଥାନରେ ଦଙ୍ଗାକାରୀମାନେ ଦୋକାନ ବଜାର ଓ ଲୋକଙ୍କ ଘର ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି। ଡିଜିପି ରାଜୀବ କୁମାର ଚେତାବନୀ ଦେଇ କହିଛନ୍ତି ଯେ ଆନ୍ଦୋଳନ ନାଁରେ ରାଜ୍ୟରେ କୌଣସି ପ୍ରକାର ଆଇନ ଶୃଙ୍ଖଳା ସ୍ଥିତିକୁ ଆଦୌ ସହ୍ୟ କରାଯିବନି।  

ଉକ୍ତ ଘଟଣାରେ ରାଜ୍ୟ ବିଜେପି ସଭାପତି ସୁକାନ୍ତ ମଜୁମଦାର ତୃଣମୂଳ ସରକାରକୁ ମୁର୍ଶିଦାବାଦରେ ଆଇନର ଶାସନ ବଜାୟ ରଖିବା ପାଇଁ ଅନୁରୋଧ କରିଛନ୍ତି। ବିଜେପି ପଶ୍ଚିମବଙ୍ଗ‌ରେ କ୍ଷମତାକୁ ଆସିଲେ ଏଭଳି ଗୁଣ୍ଡାଗିରିକୁ ପ୍ରଶ୍ରୟ ଦେବନାହିଁ ‌ବୋଲି ସେ କହିଛନ୍ତି।  ବିଜେପି ସାଂସଦ ସୁଧାଂଶୁ ତ୍ରିବେଦୀ କହିଛନ୍ତି, ସମସ୍ତ ସାମ୍ବିଧାନିକ ପ୍ରକ୍ରିୟା ଶେଷ କରିବାପରେ ଏହି ବିଲ୍‌ ସଂସଦକୁ ଆସିଥିଲା ଏବଂ ଉଭୟ ଗୃହରେ ଗୃହୀତ ହୋଇଥିଲା।  ଏଭଳି ହିଂସା କଦାପି ଗ୍ରହଣୀୟ ନୁହେଁ ବୋଲି ସେ  କହିଛନ୍ତି।