‘ଅମ୍ଫାନ’ ମୁକାବିଲା ପାଇଁ ପଶ୍ଚିମବଙ୍ଗ ପ୍ରସ୍ତୁତ

କୋଲକାତା: ଦଶ ବର୍ଷ ପରେ ପୁଣି ଆସୁଛି ମହାବାତ୍ୟା‌। ବଙ୍ଗୋପସାଗରରେ ସୁପର ସାଇକ୍ଲୋନ୍‌ର ରୂପ ନେଲାଣି ଅମ୍ଫାନ୍‌। ବୁଧବାର (୨୦ ତାରିଖ) ଅପରାହ୍ନରେ ଏହା ସ୍ଥଳଭାଗରେ ମାଡ଼ ହେବ। ଏହି ସମୟରେ ସମୁଦ୍ରରେ ୪ରୁ ୬ ମିଟର ଉଚ୍ଚର ଜୁଆର ଆସିବ। ଘଣ୍ଟାକୁ ୧୯୫ କିମି ବେଗରେ ପବନ ବହିବ। ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏଥିଯୋଗୁଁ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ବିଶେଷ କ୍ଷତିଗ୍ରସ୍ତ ହେବ। ପଶ୍ଚିମ ମେଦିନୀପୁର, ଦକ୍ଷିଣ ୨୪ ପ୍ରଗଣା, ଉତ୍ତର ୨୪ ପ୍ରଗଣା, ହାଓଡ଼ା, ହୁଗୁଳି, କୋଲକାତାକୁ ଛାରଖାର କରିଦେବ ଅମ୍ଫାନ। ୨୦୦୯ ମସିହା ମହାବାତ୍ୟା ‘ଆଇଲା’ଠାରୁ ଅଧିକ କ୍ଷତିକାରକ ହେବ ବୋଲି କେନ୍ଦ୍ର ପାଣିପାଗ ବିଭାଗ ସୂଚନା ଦେଇଛି।

ଅମ୍ଫାନକୁ ମୁକାବିଲା କରିବାକୁ ସରକାର ଅଣ୍ଟା ଭିଡ଼ିଛନ୍ତି। ଉପକୂଳ ଅଞ୍ଚଳର ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଓଡ୍ରାଫ, ଏନ୍‌ଡିଆର୍‌ଏଫ୍‌, ଅଗ୍ନିଶମ, ବିପର୍ଯ୍ୟୟ ମୁକାବିଲା ବାହିନୀ ପୂରା ଦମ୍‌ରେ ଏହି କାର୍ଯ୍ୟରେ ଲାଗିଛନ୍ତି। ସମୁଦ୍ରରେ ୬ ଫୁଟ ଉଚ୍ଚରେ ଜୁଆର ଆସୁଥିବାରୁ ଉପକୂଳ ଅଞ୍ଚଳରେ ଥିବା ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ମଧ୍ୟ ନିରାପଦ ମନେ କରାଯାଉ ନାହିଁ। ତେଣୁ ଜରୁରୀକାଳୀନ ଭିତ୍ତିରେ ମନୁଷ୍ୟ ସମେତ ସମସ୍ତ ଜୀବଜନ୍ତୁମାନଙ୍କୁ ସ୍ଥାନାନ୍ତର ଚାଲିଛି। ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବାନ୍ନରେ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ବାତ୍ୟାର ମୁକାବିଲା ପାଇଁ ସମସ୍ତେ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଯଥେଷ୍ଟ ପରିମାଣର ଖାଦ୍ୟ ସାମଗ୍ରୀ, ଚିକିତ୍ସା ଓ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ଟିମ୍‌ ଆଦି ପ୍ରସ୍ତୁତ କରିବାକୁ କୁହାଯାଇଛି। କରୋନା ସଂକ୍ରମିତମାନଙ୍କ ଚିକିତ୍ସାରେ ଯେଭଳି କୌଣସି ଅସୁବିଧା ନହୁଏ ସେଥିପ୍ରତି ଗୁରୁତ୍ବ ଦେବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ‌ଦିଆଯାଇଛି।

ସମ୍ବନ୍ଧିତ ଖବର