ମୁର୍ଶିଦାବାଦରେ ଦେଶୀ ବୋମା ଆକ୍ରମଣରେ ପଶ୍ଚିମବଙ୍ଗ ମନ୍ତ୍ରୀ ଜାକିର ହୋସେନ୍‌ ଆହତ

କୋଲ୍‌କାତା: ବୁଧବାର ରାତିରେ ମୁର୍ଶିଦାବାଦ ଅଞ୍ଚଳରେ ଦେଶୀ ବୋମା ଆକ୍ରମଣରେ ପଶ୍ଚିମବଙ୍ଗର ଶ୍ରମ ମନ୍ତ୍ରୀ ଜାକିର ହୋସେନ୍‌ ଏବଂ ତାଙ୍କ ପୁତୁରା ଆହତ ହୋଇଛନ୍ତି।

ମୁର୍ଶିଦାବାଦ ମେଡିକାଲ୍‌ କଲେଜ ଓ ହସ୍ପିଟାଲ୍‌ ର ‘ଏମ୍‌ଏସ୍‌ଭିପି’ ଡାକ୍ତର ଏ.କେ. ବେରା କହିଛନ୍ତି, ଜାକିର ହୋସେନ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପ୍ରତି ସ୍ଥିର ଅଛି। ଉନ୍ନତ ଚିକିତ୍ସା ନିମନ୍ତେ ତାଙ୍କୁ କୋଲ୍‌କାତା ନିଆଯାଉଛି।

ସୂଚନା ଅନୁସାରେ ବିଳମ୍ବିତ ବୁଧବାରେ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଅଞ୍ଚଳର ଜଙ୍ଗିପୁର ଅନ୍ତର୍ଗତ ନିମତିତା ରେଳବାଇ ଷ୍ଟେସନ୍‌କୁ ଯିବା ବାଟରେ ରାଜ୍ୟ ଶ୍ରମମନ୍ତ୍ରୀ ଜାକିର ହୋସେନ୍‌ଙ୍କ ଗାଡ଼ି ଉପରକୁ ଅଜ୍ଞାତ ଆକ୍ରମଣକାରୀମାନେ ଦେଶୀ ବୋମା ଫିଙ୍ଗିଥିଲେ। ସୁତି ଥାନା ଅଧୀନ ଅଞ୍ଚଳରେ ଏହି ଘଟଣାଟି ଘଟିଛି।

ହୋସେନ୍‌ଙ୍କ ଗୋଡ଼ରେ ଭୀଷଣ ଆଘାତ ଲାଗିଛି ଏବଂ ତାଙ୍କ ସହ ଯାତ୍ରା କରୁଥିବା ଅନୂନ ଅନ୍ୟ ଦୁଇଜଣ ମଧ୍ୟ ଆହତ ହୋଇଛନ୍ତି। ଚିକିତ୍ସା ନିମନ୍ତେ ମୁର୍ଶିଦାବାଦ ଅନ୍ତର୍ଗତ ଜଙ୍ଗିପୁରର ବିଧାୟକ ହୋସେନ୍‌ ଏବଂ ଅନ୍ୟ ଦୁଇ ଆହତ ବ୍ୟକ୍ତିଙ୍କୁ ଜଙ୍ଗିପୁର ସବ୍‌-ଡିଭିଜ୍‌ନାଲ୍‌ ହସ୍ପିଟାଲ୍‌କୁ ନିଆଯାଇଥିଲା।

Image Courtesy of Latestly

ତୃଣମୂଳ କଂଗ୍ରେସର ଏହି ମନ୍ତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣର ଦୃଶ୍ୟାବଳୀ କ୍ୟାମେରାରେ ଉତ୍ତୋଳିତ ହୋଇଛି। ସମ୍ପ୍ରତି ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ସମ୍ପ୍ରସାରିତ ହେଉଛି।

ଡାକ୍ତରଖାନାର ଜଣେ ଅଧିକାରୀ କହିଛନ୍ତି ଯେ, ହୋସେନ୍‌ଙ୍କ ଗୋଡ଼ ଏବଂ ତଳିପେଟରେ ଆଘାତ ଲାଗିଛି। ତାଙ୍କୁ କୋଲ୍‌କାତା ପଠାଇବା ପୂର୍ବରୁ ପ୍ରାଥମିକ ଉପଚାର ବ୍ୟବସ୍ଥା କରାଯାଉଛି।

ରାତି ପ୍ରାୟ ୧୦ଟା ବେଳେ କୋଲ୍‌କାତା ଟ୍ରେନ୍‌ ଧରିବାକୁ ଜାକିର ହୋସେନ୍‌ ଷ୍ଟେସନ୍‌ର ୨ ନମ୍ବର ପ୍ଲାଟ୍‌ଫର୍ମରେ ପ୍ରତୀକ୍ଷାରତ ଥିବା ବେଳେ ଆକ୍ରମଣ କରାଯାଇଥିବା କଥା ପଶ୍ଚିମବଙ୍ଗ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଘଟଣାର ତଦନ୍ତ ଆରମ୍ଭ ହୋଇଛି।
ବରିଷ୍ଠ ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତା ମଳୟ ଘଟକ କହିଛନ୍ତି, ଏହି ଆକ୍ରମଣ ପାଇଁ ଦଳର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଦାୟୀ।

ସମ୍ବନ୍ଧିତ ଖବର