କୋଲକାତା: ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ଶନିବାର ଏକ ଆମ୍ବ ବଗିଚାରେ ଦେଶୀ ବୋମା ବିସ୍ଫୋରଣ ହୋଇ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩ ଜଣ ଆହତ ହୋଇଛନ୍ତି। ମୃତ ବ୍ୟକ୍ତିଙ୍କ ନାମ ଅଲିମ ଶେଖ (୨୬)। ଅନ୍ୟ ୩ ଜଣ ଆହତଙ୍କୁ ଏବେ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ସେହିପରି ଅନ୍ୟ ଏକ ଘଟଣାରେ ମୁର୍ଶିଦାବାଦର ରାଣୀନଗରରେ ଟିଏମ୍ସି ଏବଂ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଆଜି ସଂଘର୍ଷ ହୋଇଛି। ଏହି ସମୟରେ ଦେଶୀ ବୋମା ବିସ୍ଫୋରଣ ଯୋଗୁଁ ୩ ଜଣ ଆହତ ହୋଇଛନ୍ତି। ଉକ୍ତ ଘଟଣାକୁ ନେଇ ବିରୋଧୀ ଦଳ ଏବଂ ଶାସକ ଦଳ ମଧ୍ୟରେ ତୀବ୍ର ବାକ୍ ଯୁଦ୍ଧ ଆରମ୍ଭ ହୋଇଯାଇଛି। ବିଜେପି ଏବଂ କଂଗ୍ରେସ ଦାବି କରିଛନ୍ତି ଯେ ଆସନ୍ତା ଜୁଲାଇ ୮ ତାରିଖ ପଞ୍ଚାୟତ ନିର୍ବାଚନରେ ଭୟ ସୃଷ୍ଟି ପାଇଁ ଟିଏମ୍ସି ଅପରାଧୀମାନଙ୍କୁ ଦେଶୀ ବୋମା ତିଆରି କରିବାରେ ଲଗାଇଛି।
ବିଜେପି ଜାତୀୟ ଉପସଭାପତି ଦିଲୀପ ଘୋଷ କହିଛନ୍ତି , ବିରୋଧୀ ପ୍ରାର୍ଥୀ ଏବଂ ସେମାନଙ୍କ ସମର୍ଥକଙ୍କୁ ଭୟଭୀତ କରିବାପାଇଁ ଏବଂ ଭୋଟ୍ ଦେବାକୁ ଯିବାରୁ ଅଟକାଇବାପାଇଁ ଏହା ଟିଏମ୍ସିର ଏକ ବଡ଼ ଗେମ୍ପ୍ଲାନ୍। ପଶ୍ଚିମବଙ୍ଗ ପିସିସି ସଭାପତି ଏବଂ ସାଂସଦ ଅଧୀର ରଂଜନ ଚୌଧୁରୀ କହିଛନ୍ତି, ଟିଏମ୍ସି ଆଶ୍ରୟ ଦେଇଥିବା ଗୁଣ୍ଡାମନେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୟ ସୃଷ୍ଟି କରିବାକୁ ବୋମା ତିଆରି କରୁଛନ୍ତି। ପୁଲିସ ଉପରେ ଆମର ଭରସା ନାହିଁ। ପୁଲିସ ସ୍ଥାନୀୟ ଟିଏମ୍ସି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ପୁଲିସ ଉପରେ ଆମର ଭରସା ନାହିଁ। ଅନ୍ୟପକ୍ଷେ ଟିଏମ୍ସି ରାଜ୍ୟ ମୁଖପାତ୍ର ଜୟ ପ୍ରକାଶ ମଜୁମଦାର କହିଛନ୍ତି, ୨୦୧୧ରେ ଟିଏମ୍ସି କ୍ଷମତାକୁ ଆସିବା ପରଠାରୁ ରାଜ୍ୟରେ ହିଂସାଜନିତ ମୃତ୍ୟୁ ଏବଂ ଆହତଙ୍କ ସଂଖ୍ୟା କମିଛି।