ପଶ୍ଚିମବଂଗରେ ରାଜନୈତିକ ଛକାପଂଝା ତୀବ୍ର:ରୢାଲି ଉପରେ କଟକଣା

ରୋକ୍‌ ସତ୍ତ୍ବେ ସଭା କଲେ ଯୋଗୀ

କୋଲାକାତା: ପଶ୍ଚିମ ବଂଗରେ ବିଜେପି ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ରାଜନୈତିକ ଲଢ଼େଇ ତୀବ୍ର ହେବାରେ ଲାଗିଛି। ପଶ୍ଚିମବଂଗ ସରକାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପୁରୁଲିଆ ରୢାଲିକୁ ଅନୁମତି ଦେଇନାହାନ୍ତି। ଯୋଗୀ ସେଠାରେ ରୢାଲି କଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁରୁଲିଆ ଏସ୍‌ପି କହିଛନ୍ତି। ଇତିମଧ୍ୟରେ ବିଜେପି ନେତା ଶାହନୱାଜ ହୁସେନ ଏବଂ ମଧ୍ୟ ପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ‌ଚୌହାନଙ୍କୁ ମଧ୍ୟ ପଶ୍ଚିମବଂଗ ସରକାର ରୢାଲି କରିବାକୁ ଅନୁମତି ଦେଇନାହାନ୍ତି। ମମତା ସରକାରଙ୍କ ଏଭଳି ଆଭିମୁଖ୍ୟ ରାଜନୈତିକ ବାତାବରଣକୁ ଆହୁରି ତିକ୍ତ କରିଛି। ପୁରୁଲିଆରେ ହେଲିକପ୍‌ଟର ଅବତରଣ ପାଇଁ ଅନୁମତି ନ ମିଳିବାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଝାଡ଼ଖଣ୍ଡର ବୋକାରୋରେ ହେଲିକପ୍‌ଟର ଅବତରଣ କରି ପୁରୁଲିଆ ସଡ଼କ ପଥରେ ପହଞ୍ଚିଥିଲେ । ସେଠାରେ ସେ ଏକ ରୢାଲିରେ ଉଦ୍‌ବୋଧନ ଦେଇ ପଶ୍ଚିମବଂଗରେ ମମତାଙ୍କ ଅରାଜକ ଶାସନର ଅନ୍ତ ଘଟାଇବାକୁ ଲୋକଙ୍କୁ ଆହ୍ବାନ ଦେଇଥିଲେ।
ଅନ୍ୟପକ୍ଷରେ ମମତା କହିଛନ୍ତି ଯେ ପ୍ରଶାସନ ପରିସ୍ଥିତିକୁ ଦେଖି ପଦକ୍ଷେପ ନେଉଛି ଏବଂ ସେ କାହାର ରୢାଲିରେ କଟକଣା ଲଗାଇ ନାହାନ୍ତି । ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ କଟାକ୍ଷ କରି ମମତା କହିଛନ୍ତି ଯେ ସେ ସ୍ବାଇନ୍‌ ଫ୍ଲୁ ହୋଇଥିବା ଲୋକଙ୍କ ରୢାଲିକୁ ମଧ୍ୟ ଅଟକାଇ ନାହାନ୍ତି। ଯୋଗୀ ଆଦିତ୍ୟନାଥ ଟ୍ବିଟ୍‌ କରି କହିଛନ୍ତି ଯେ ଗୁରୁଦେବ ରବୀନ୍ଦ୍ର ନାଥ ଠାକୁରଙ୍କ କର୍ମଭୂମି ଏବେ ମମତା ସରକାରଙ୍କ ଅରାଜକତା ଏବଂ ଗୁଣ୍ଡାଗିରିରେ ପୀଡ଼ିତ। ଏହାର ଜବାବରେ ମମତା କହିଛନ୍ତି ଯେ ଯୋଗୀ ପ୍ରଥମେ ଉତ୍ତର ପ୍ରଦେଶକୁ ସମ୍ଭାଳିବା ଉଚିତ। ଯେଉଁଠି ଭିଡ଼ ହିଂସା ହେଉଛି, ସେଠାକାର ସମସ୍ୟା ନଦେଖି ପଶ୍ଚିମବଂଗ ବୁଲିବା ଆବଶ୍ୟକ ନାହିଁ ବୋଲି ମମତା କହିଛନ୍ତି।

ସମ୍ବନ୍ଧିତ ଖବର