ପଶ୍ଚିମବଙ୍ଗ ନିର୍ବାଚନ: କୋଲକାତା ସୋନାଗାଛିର ଯୌନ କର୍ମୀମାନେ ଦାବିକଲେ ଭୋଟ୍‌ ଅଧିକାର

କୋଲକାତା: ଏସିଆର ସର୍ବବୃହତ ‘ରେଡ୍‌ଲାଇଟ ଏରିଆ’ ଭାବେ କୁଖ୍ୟାତ କୋଲକାତାର ସୋନାଗାଛିର ଯୌନକର୍ମୀମାନଙ୍କ ମଧ୍ୟରେ ଏଥର ଏକ ନୂତନ ଆଶାର ସଂଚାର କରିଛି ପଶ୍ଚିମବଙ୍ଗରେ ବିଧାନସଭା ପାଇଁ ଅନୁଷ୍ଠିତ ହେବାକୁ ଯାଉଥିବା ନିର୍ବାଚନ। ଭୋଟ ଅଧିକାର ସାବ୍ୟସ୍ତ ପାଇଁ ଭୋଟର ପରିଚୟ ପତ୍ର ଠାରୁ ଆରମ୍ଭ କରି ଅନ୍ୟ ବହୁ ଜରୁରୀ କାଗଜପତ୍ରରୁ ବଞ୍ଚିତ ରହିଥିବା ଏହି କୁଖ୍ୟାତ ଗଳିର ଯୌନକର୍ମୀମାନେ ଚଳିତ ନିର୍ବାଚନରେ କିନ୍ତୁ ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବାକୁ ସୁଯୋଗ ଦେବାକୁ ଦାବି କରିଛନ୍ତି।

‘ବିଗତ ବହୁ ବର୍ଷ ଧରି କୋଲକାତାରେ ରହିବା ସତ୍ତ୍ୱେ ନିର୍ବାଚନ କାଳରେ ଆମକୁ ଭୋଟ୍‌ ଅଧିକାରରୁ ବଞ୍ଚିତ କରାଯାଉଛି। କାରଣ, ଆମ ନିକଟରେ କୌଣସି ଭୋଟର କାର୍ଡ ନାହିଁ। ଭୋଟର ପରିଚୟ ପତ୍ର ନଥିବା କାରଣରୁ ଆମେ ଭୋଟଦାନରୁ ବଞ୍ଚିତ ହେଉଛୁ। ଏବଂ ଏହି କାରଣ ପାଇଁ ଆମେ ଆମର ଭୋଟ୍‌ ଦେଇ ପାରୁ ନାହିଁ’ ବୋଲି ଅଭିଯୋଗ କରିଛନ୍ତି ଦୁର୍ବାର ସମ୍ପ୍ରଦାୟର ସାଧାରଣ ସମ୍ପାଦକ ପୁତୁଲ ସିଂ।

ଭୋଟର ପରିଚୟ ପତ୍ର ପାଇବା ପାଇଁ ଆନ୍ଦୋଳନ କରିବା ସହ ଆମେ ନିର୍ବାଚନ କମିସନ ଓ ରାଜ୍ୟ ସରକାରଙ୍କୁ ଭେଟିବା ପରେ ଆମମାନଙ୍କ ମଧ୍ୟରୁ ଅଳ୍ପ କେତେକଙ୍କୁ ଭୋଟର ପରିଚୟ ପତ୍ର ପ୍ରଦାନ କରାଯାଇଥିଲା ବୋଲି କହିଛନ୍ତି ପୁତୁଲ ସିଂ। ହେଲେ, ଏବେବି ସୋନାଗାଛିର ସଂଖ୍ୟାଧିକ ବାସିନ୍ଦା ଭୋଟର ପରିଚୟ ପତ୍ର ପାଇବାରୁ ବଞ୍ଚିତ ରହିଛନ୍ତି।

ଏ ପରିପ୍ରେକ୍ଷୀରେ ଆମର ତିନିଟି ଦାବି ଅଛି। ପ୍ରଥମେ, ସମସ୍ତ ଯୌନକର୍ମୀଙ୍କ ପାଇଁ ଭୋଟ୍‌ ଅଧିକାର। ଦ୍ୱିତୀୟରେ, ଅନ୍ୟ ନାଗରିକଙ୍କ ପରି ସମାନ ସମ୍ମାନ। ଏବଂ ଶେଷରେ, ଗୁଣ୍ଡାମାନଙ୍କ କବଳରୁ ଆମମାନଙ୍କୁ ସୁରକ୍ଷା ପ୍ରଦାନ ବୋଲି କହିଛନ୍ତି ପୁତୁଲ ସିଂ। ଯେଉଁ ରାଜନୈତିକ ଦଳ ବା ପ୍ରାର୍ଥୀ ଆମମାନଙ୍କର ଏହି ତିନିଟି ମୌଳିକ ଦାବି ପୂରଣ କରିବେ ଆମ ସମ୍ପ୍ରଦାୟ ସେମାନଙ୍କୁ ଭୋଟ୍‌ ଦେବ ବୋଲି କହିଛନ୍ତି ପୁତୁଲ ସିଂ।

ସମ୍ବନ୍ଧିତ ଖବର