ପଶ୍ଚିମବଙ୍ଗରେ କରୋନାଭାଇରସ ଆକ୍ରାନ୍ତ ୪୪ ବର୍ଷୀୟ ମହିଳା ମୃତ

ସିଲିଗୁଡ଼ି: କରୋନାଭାଇରସ୍ ଆକ୍ରାନ୍ତ ହୋଇଥିବା ପଶ୍ଚମବଙ୍ଗର କଲିମପୋଙ୍ଗ୍ ସହରର ଜଣେ ୪୪ ବର୍ଷୀୟ ମହିଳା ସୋମବାର ପ୍ରତ୍ୟୁଷରେ ପ୍ରାଣ ହରାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି । କୋଭିଡ୍-୧୯ରେ ଆକ୍ରାନ୍ତ ହେବା ପରେ ସେ ସିଲିଗୁଡ଼ିସ୍ଥିତ ନର୍ଥ ବେଙ୍ଗଲ୍ ମେଡିକାଲ କଲେଜ ଆଣ୍ଡ୍ ହସପିଟାଲରେ ଭର୍ତ୍ତି ହୋଇଥିଲେ।
ଦାର୍ଜିଲିଙ୍ଗ୍ ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଳୟ ଆଚାର୍ଯ୍ୟ କହିଛନ୍ତି ଯେ ସମ୍ପୃକ୍ତ ରୋଗୀ ରାତି ୨ଟା ବେଳେ ମୃତ୍ୟୁ ବରଣ କରିଛନ୍ତି । ନର୍ଥ ବେଙ୍ଗଲ୍ ମେଡିକାଲ କଲେଜ ଆଣ୍ଡ୍ ହସପିଟାଲ ପ୍ରିନସିପାଲ୍ ଡାକ୍ତର ପିକେ ଦେବ ମଧ୍ୟ ତାଙ୍କ ମୃତ୍ୟୁ କଥା ସତ ବୋଲି ଘୋଷଣା କରିଛନ୍ତି ।

ମହିଳାଜଣକ ଆକ୍ରାନ୍ତ ହୋଇଥିବା କଥା ପରୀକ୍ଷା ପରେ ଜଣାପଡ଼ିଥିଲା ବୋଲି ଶନିବାର ଦିନ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଥିଲା । ଚିକିତ୍ସା ପାଇଁ ତାଙ୍କୁ ନର୍ଥ ବେଙ୍ଗଲ୍ ମେଡିକାଲ କଲେଜ ଆଣ୍ଡ୍ ହସପିଟାଲରେ ଭର୍ତ୍ତି କରାଯାଇଥିଲା ।

ଚେନ୍ନାଇରୁ ନିଜ ଝିଅ ସହ ପଶ୍ଚିମବଙ୍ଗ ଫେରିବାର ଦିନକ ପରେ ଅର୍ଥାତ ମାର୍ଚ ୨୦ ତାରିଖ ଦିନ ଉକ୍ତ ମହିଳାଜଣକ କଲିମପୋଙ୍ଗ୍ ଠାରେ ଥିବା ଏକ ଘରୋଇ ନର୍ସିଙ୍ଗ୍ ହୋମ୍ ଯାଇ ଡାକ୍ତର ଦେଖାଇଥିଲେ ।

ଏବେ ଘରେ ଏକାନ୍ତବାସରେ ଥିବା ସେ ଘରୋଇ ଡାକ୍ତରଜଣକ କହୁଛନ୍ତି ଯେ ସେ ମହିଳାଙ୍କର ରକ୍ତଚାପ ସ୍ୱାଭାବିକ ଥିଲା । ତାଙ୍କ ଠାରେ ଅନ୍ୟ କୌଣସି ଅସୁସ୍ଥତା ପରିଲକ୍ଷିତ ହେଉ ନ ଥିଲା । ମାତ୍ରାଧିକ ଓଜନ ହିଁ ଥିଲା ତାଙ୍କର ଏକମାତ୍ର ସମସ୍ୟା ।

ସେ ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ଲୋକମାନଙ୍କୁ ଠାବ କରିବାକୁ କଲିମପୋଙ୍ଗ ଜିଲ୍ଲା କର୍ତ୍ତୃପକ୍ଷ ଉଦ୍ୟମ ଚଳାଇଛନ୍ତି ।

ସମ୍ବନ୍ଧିତ ଖବର