କୋଲକାତା : ପଶ୍ଚିମବଂଗରେ ତୃଣମୂଳ କଂଗ୍ରେସ-ବିଜେପି ମଧ୍ୟରେ ରାଜନୈତିକ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ପଶ୍ଚିମବଂଗ ଗସ୍ତରେ ଥିବା ବିଜେପି ଜାତୀୟ ସଭାପତି ଜେ ପି ନଡ୍ଡାଙ୍କ ଗାଡ଼ି ଉପରେ ଆଜି ଡାଇମଣ୍ଡ୍‌ ହାର୍‌ବରରେ ପ୍ରବଳ ପଥର ମାଡ଼ ହୋଇଛି। ଏକ ଜନସଭାରେ ଉଦ୍‌ବୋଧନ ଦେବାକୁ ଯାଉଥିବାବେଳେ ନଡ୍ଡାଙ୍କ ଗାଡ଼ି ଉପରକୁ ତୃଣମୂଳ ସମର୍ଥକମାନେ ଯୋଜନାବଦ୍ଧ ପଥର ମାଡ଼ କରିଥିଲେ। ଏଥିରେ ନଡ୍ଡା ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଟେକାପଥର ମାଡ଼ରେ ନଡ୍ଡାଙ୍କ ସହ ଯାଉଥିବା ବିଜେପି ମୁଖପାତ୍ର ସମ୍ବିତ ପାତ୍ର, ମହାସଚିବ କୈଳାସ ବିଜୟବର୍ଗୀୟ ଏବଂ ଏବଂ ରାଜ୍ୟ ସଭାପତି ଦିଲ୍ଲୀପ ଘୋଷ ମଧ୍ୟ ଆହତ ହୋଇଛନ୍ତି। ସେମାନେ ବଡ଼ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିବା କୁହାଯାଉଛି। ଏହି ଘଟଣାକୁ ନେଇ ରାଜ୍ୟଠାରୁ କେନ୍ଦ୍ର ପର୍ଯ୍ୟନ୍ତ ରାଜନୀତି ସରଗରମ ହୋଇଛି। ତେବେ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘଟଣାକୁ ବିଜେପିର ନାଟକ ବୋଲି କହିଛନ୍ତି।

Advertisment

ନୂଆ କୃଷି ନୀତିକୁ ବିରୋଧ କରି ବିକ୍ଷୋଭକାରୀମାନେ ଆଜି ଡାଇମଣ୍ଡ ହାରବରରେ ରାସ୍ତା ଅବରୋଧ କରିଥିଲେ। ଏହି ସମୟରେ ଦକ୍ଷିଣ ୨୪ ପ୍ରଗଣା ଯାଉଥିବା ନଡ୍ଡାଙ୍କ ଗାଡ଼ି ସେଠାରେ ପହଞ୍ଚିବାରୁ ବିକ୍ଷୋଭକାରୀମାନେ ପ୍ରଥମେ କଳାପତାକା ପ୍ରଦର୍ଶନ କରିବା ସହ ‘ଗୋ ବ୍ୟାକ୍‌’ ଧ୍ବନି ଦେଇଥିଲେ। ଏହାପରେ ତତ୍‌କ୍ଷଣାତ୍‌ ସେମାନେ ନଡ୍ଡାଙ୍କ ଗାଡ଼ି ଉପରକୁ ଟେକା ପଥର ମାଡ଼ କରିଥିଲେ। ଅନ୍ୟ ଏକ ଗାଡ଼ିରେ ସମ୍ବିତ ପାତ୍ର, ବିଜୟ ବର୍ଗୀୟ ଏବଂ ଦିଲ୍ଲୀପ ଘୋଷ ଥିଲେ। ଟେକାପଥର ମାଡ଼ରେ ସେମାନଙ୍କ ଗାଡ଼ି କାଚ ଭାଙ୍ଗି ଯାଇଥିଲା ଏବଂ ସେମାନେ ଆହତ ହୋଇଥିଲେ। ନଡ୍ଡାଙ୍କ ଗସ୍ତରେ ସୁରକ୍ଷା ବ୍ୟବସ୍ଥା ସନ୍ତୋଷଜନକ ନୁହେଁ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଥିଲେ ଦିଲ୍ଲୀପ ଘୋଷ। ଗତକାଲି ନଡ୍ଡାଙ୍କ କାର୍ଯ୍ୟକ୍ରମରେ ପୁଲିସ ମୁତୟନ ହୋଇ ନଥିଲେ। ଆଜି ପୁଲିସ ସମ୍ମୁଖରେ ତୃଣମୂଳ କର୍ମୀମାନେ ବିଜେପି ନେତାଙ୍କୁ ଆକ୍ରମଣ କରିବା ପରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ତୃଣମୂଳକ କର୍ମୀମାନେ ଗାଡ଼ି ଭାଙ୍ଗିବା ଏବଂ କର୍ମକର୍ତ୍ତାମାନଙ୍କୁ ପିଟିବା ସମୟରେ ପୁଲିସ ନିରବଦ୍ରଷ୍ଟା ହୋଇ ରହିଥିଲା ବୋଲି ବିଜେପି ଅଭିଯୋଗ କରିଛି। ଘଟଣା ପରେ ନଡ୍ଡା କହିଥିଲେ ଯେ ମା’ କାଳୀଙ୍କ କୃପାରୁ ଏଠାରେ ଆସି ପହଞ୍ଚିଛନ୍ତି ଏବଂ ତାଙ୍କ ଜୀବନ ଅଳ୍ପକେ ରକ୍ଷା ପାଇଯାଇଛି। ଅନ୍ୟପକ୍ଷରେ ବିଜେପି ଅଧ୍ୟକ୍ଷ ନଡ୍ଡାଙ୍କ ପଶ୍ଚିମ ବଂଗ ଗସ୍ତ ସମୟରେ କିଭଳି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ସେ ନେଇ ରିପୋର୍ଟ ତଲବ କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ରାଜ୍ୟ ପୁଲିସ ମୁଖ୍ୟଙ୍କ ସହିତ ମଧ୍ୟ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଫୋନ୍‌ରେ କଥା ହୋଇଛନ୍ତି।