ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ବିବାଦରେ ହସ୍ତକ୍ଷେପ କରିବାପାଇଁ ଅନୁରୋଧ କରିଛନ୍ତି। ୨୦୧୬ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ତଥା ୨୫ ହଜାରରୁ ଅଧିକ ସ୍କୁଲ୍ ଶିକ୍ଷକଙ୍କ ନିଯୁକ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଦେବା ପରେ ରାହୁଲ ଏହାକୁ ବିରୋଧ କରିଛନ୍ତି। ନ୍ୟାୟପୂର୍ଣ୍ଣ ଭାବେ ଏବଂ ସଚ୍ଚୋଟ ଉପାୟରେ ଚାକିରି ପାଇଥିବା ଲୋକମାନଙ୍କ ଦୁର୍ଦ୍ଦଶା ଦର୍ଶାଇବାକୁ ଯାଇ ରାହୁଲ କହିଛନ୍ତି, ‘ନିଯୁକ୍ତି ପ୍ରକ୍ରିୟାରେ ଯେକୌଣସି ପ୍ରକାର ଅପରାଧ ନିନ୍ଦନୀୟ। କିନ୍ତୁ ଦାଗୀଙ୍କ ସହ ସଚ୍ଚୋଟ ଉପାୟରେ ଚାକିରି ପାଇଥିବା ଶିକ୍ଷକଙ୍କୁ ବି ସମାନ ବ୍ୟବହାର ଦେଖାଇବା ଅନ୍ୟାୟ ।
ରାହୁଲ କହିଛନ୍ତି, ଅଧିକାଂଶ ଶିକ୍ଷକ ପ୍ରାୟ ଦଶନ୍ଧି ଧରି ଚାକିରି କଲେଣି। ଏବେ ଅଚାନକ ସେମାନଙ୍କୁ ଚାକିରିରୁ କାଢ଼ି ଦେବାଦ୍ବାରା ଶିକ୍ଷା ପଦ୍ଧତିରେ ବାଧା ସୃଷ୍ଟି ହେବ ଏବଂ ଏଥିସହ ସେମାନଙ୍କ ପରିବାରରେ ଆର୍ଥିକ ସଙ୍କଟ ମଧ୍ୟ ସୃଷ୍ଟି ହେବ। ମାମଲାରେ ହସ୍ତକ୍ଷେପ କରିବା ପାଇଁ ସେ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି। ରାଷ୍ଟ୍ରପତିଙ୍କୁ ଚିଠି ଲେଖି ରାହୁଲ କହିଛନ୍ତି, ‘ ଆପଣ ନିଜେ ଜଣେ ଶିକ୍ଷକ ଥିଲେ। ମୁଁ ନିଶ୍ଚିତ ଯେ ଆପଣ ଏହି ଅନ୍ୟାୟକୁ ବୁଝି ପାରିବେ। ତେଣୁ ନ୍ୟାୟପୂର୍ଣ୍ଣ ଭାବେ ନିଯୁକ୍ତ ହୋଇଥିବା ପ୍ରାର୍ଥୀଙ୍କ ଚାକିରି ଜାରି ରଖିବାପାଇଁ ସରକାରଙ୍କୁ ଅନୁରୋଧ କରିବା ପାଇଁ ସେ ରାଷ୍ଟ୍ରପତିଙ୍କୁ ଲେଖିଛନ୍ତି।