କୋଲକାତା: ୨୦୧୪ ମସିହାର ପଶ୍ଚିମବଙ୍ଗ ଟିଇଟି (ଶିକ୍ଷକ ଯୋଗ୍ୟତା ପରୀକ୍ଷା) ଫଳ ‌ଏବେ ପ୍ରକାଶ ପାଇଛି। ସବୁଠାରୁ କୌତୂହଳଜନକ କଥା ହେଲା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନାଁ ବି ମେଧା ତାଲିକାରେ ସ୍ଥାନ ପାଇଛି। ତାଲିକା ପ୍ରକାଶ ପାଇବା ପରେ ଶିକ୍ଷା ବିଭାଗ ଅଧିକାରୀମାନଙ୍କର ହୃତ୍‌କମ୍ପ ଜାତ ହୋଇଛି।

Advertisment

ସୂଚନାଯୋଗ୍ୟ, ଉକ୍ତ ମେଧା ତାଲିକାରେ ମମତା ବାନାର୍ଜୀ ୯୨ ନମ୍ବର ରଖିଥିବା ବେଳେ ଅମିତ ଶାହଙ୍କୁ ମିଳିଛି ୯୩ ନମ୍ବର। ଅପରପକ୍ଷେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ପାଇଛନ୍ତି ୧୦୦ରୁ ୧୦୦ ନମ୍ବର। ଦିଲୀପ ଘୋଷ ଓ ସୁଜାନ ଚକ୍ରବର୍ତ୍ତୀ ଉଭୟେ ୯୨ ନମ୍ବର ହାସଲ କରିଛନ୍ତି। ରାଜ୍ୟ ଶିକ୍ଷା ବିଭାଗ ଦୁର୍ନୀତିକୁ ନେଇ ଏବେ ତଦନ୍ତ ଚାଲିଥିବା ବେଳେ ନେତାମାନଙ୍କ ମେରିଟ ସୂଚୀକୁ ଦେଖି ଅଧିକାରୀମାନଙ୍କ ଭିତରେ ଆତଙ୍କ ଖେଳିଯାଇଛି। ଏହାକୁ ନେଇ କେତେଜଣ ଓକିଲ ହାଇକୋର୍ଟରେ ମାମଲା ଦାଏର କରିଛନ୍ତି।

କୋର୍ଟ ଏହା ଉପରେ ତଦନ୍ତ କରିବାକୁ ଆଦେଶ ଦେଇଛନ୍ତି। ତେବେ ଏ ମେଧା ତାଲିକା ଏବେକାର ନୁହେଁ। ୨୦୧୪ରେ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଟିଇଟି) କରାଯାଇଥିଲା ଏବଂ ତା’ର ମେରିଟ୍ ଲିଷ୍ଟ ଏଯାଏ ପ୍ରକାଶ ପାଇ ନ ଥିଲା। ସାମୂହିକ ଫଳ ପ୍ରକାଶ ନ ପାଇ ପରୀକ୍ଷାର୍ଥୀମାନଙ୍କ ପାଖକୁ ବ୍ୟକ୍ତିଗତ ଫଳ ପଠାଇ ଦିଆଯାଇଥିଲା। ଏଥିରେ ଯୋଗ୍ୟ ଓ ଅଧିକ ମାର୍କ ରଖିଥିବା ପ୍ରାର୍ଥୀଙ୍କୁ ଚାକିରି ଦିଆ ନ ଯାଇ କମ୍ ମାର୍କ ରଖିଥିବା ପ୍ରାର୍ଥୀଙ୍କୁ ଚାକିରି ମିଳିଥିବା ଅଭିଯୋଗ ହୋଇଥିଲା। ଏହା ପଶ୍ଚିମବଙ୍ଗ ଶିକ୍ଷକ ଦୁର୍ନୀତି ନାମରେ ଖ୍ୟାତ ଯେଉଁଥିପାଇଁ ଇଡି ତଦନ୍ତ କରି ତତ୍କାଳୀନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିଥିଲା। ପଶ୍ଚିମବଙ୍ଗ ଶିକ୍ଷା ବୋର୍ଡର ଅଧ୍ୟକ୍ଷ ଗୌତମ ପାଲ କହିଛନ୍ତି ଯେ, ତାଲିକାରେ ତାଙ୍କ ନାଁ ବି ଅଛି ଏବଂ ସେହି ନାମଧାରୀ ୩ ଜଣ ଅସଲ ଛାତ୍ର ଅଛନ୍ତି। ରାଜ୍ୟକୁ ବଦନାମ କରିବାକୁ ଏହି ବିବାଦ ସୃଷ୍ଟି କରାଯାଇଛି।