କୋଲକାତା: ବୀରଭୂମ୍ରେ ଜଣେ ଟିଏମ୍ସି ନେତାଙ୍କୁ ସୁପାରି କିଲର୍ ଗତକାଲି ହତ୍ୟା କରିବା ପରେ ଟିଏମ୍ସି କର୍ମୀଙ୍କ ବର୍ବର ହିଂସା ଯୋଗୁଁ ୧୦ ଜଣଙ୍କ ମୃତ୍ୟୁକୁ ନେଇ ରାଜନୀତି ସରଗରମ ରହିଛି। ଏହି ଘଟଣା ସମ୍ପର୍କରେ ପଶ୍ଚିମବଙ୍ଗ ବିଜେପି ସଭାପତି ସୁକାନ୍ତ ମଜୁମଦାରଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ନୂଆଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି ଏବଂ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ନିବେଦନ କରିଛନ୍ତି। ରାଜ୍ୟରେ ଲାଗି ରହିଥିବା ରାଜନୈତିକ ହିଂସା ସମ୍ପର୍କରେ ବିଜେପି ପ୍ରତିନିଧି ଦଳ ଶାହଙ୍କୁ ଅବଗତ କରାଇଛନ୍ତି। ଶାହାଙ୍କୁ ଭେଟିବା ପରେ ସୁକାନ୍ତ କହିଛନ୍ତି ଯେ ଗୃହ ମନ୍ତ୍ରଣାଳୟ ୭୨ ଘଣ୍ଟା ମଧ୍ୟରେ ପଶ୍ଚିମବଙ୍ଗ ସରକାରଙ୍କଠାରୁ ରିପୋର୍ଟ ମାଗିଛି ଏବଂ ଗୃହ ମନ୍ତ୍ରଣାଳୟର ଏକ ଉଚ୍ଚସ୍ତରୀୟ ଟିମ୍ ଖୁବ ଶୀଘ୍ର ପଶ୍ଚିମବଙ୍ଗ ଗସ୍ତ କରିବେ।
ପଶ୍ଚିମବଙ୍ଗରେ ଚାଲିଥିବା ରାଜନୈତିକ ହିଂସାକୁ ଶାସକ ଦଳର ପୂର୍ଣ୍ଣ ସମର୍ଥନ ମିଳୁଥିବାରୁ ରାଜ୍ୟରେ ଅଣାୟତ୍ତ ସ୍ଥିତି ସୃଷ୍ଟି ହେଲାଣି । ଲୋକମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ଏଭଳି ପରିସ୍ଥିତିରେ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ହିଁ ଆଇନ ଶୃଙ୍ଖଳା ସୁଧାରିବାରେ ଏକମାତ୍ର ପନ୍ଥା ବୋଲି ସେ କହିଛନ୍ତି।