ଏବେ ଇଡି ପଛରେ ପଡିଲା କୋଲକାତା ପୁଲିସ: ଟଙ୍କା ଆଦାୟ ମାମଲାରେ ବରିଷ୍ଠ ଅଧିକାରୀଙ୍କୁ ପଠାଇଲା ନୋଟିସ

ଆସନ୍ତାକାଲି ଭୁବନେଶ୍ୱର ଆସି ପଚରାଉଚୁରା କରିପାରେ କୋଲକାତା ପୁଲିସ

କୋଲକାତା: ଟଙ୍କା ଆଦାୟ ଅଭିଯୋଗରେ କୋଲକାତା ପୁଲିସ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡିର ଜଣେ ଅଧିକାରୀଙ୍କୁ ନୋଟିସ ପଠାଇଛି। ଏହି ମାମଲାରେ ଝାଡଖଣ୍ଡର ଜଣେ ଓକିଲଙ୍କୁ କୋଲକାତା ପୁଲିସ ଗିରଫ କରିସାରିଛି। ମିଳିଥିବା ସୂଚନା ମୁତାବକ କେନ୍ଦ୍ରୀୟ ଏଜେନ୍ସି ଇଡି ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତିକୁ ନେଇ ତଦନ୍ତ ଜାରି ରଖିଥିବାବେଳେ ପୂର୍ବତନ ରାଜ୍ୟ ଶିକ୍ଷା ମନ୍ତ୍ରୀ ତଥା ଟିଏମସି ନେତା ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିଥିବା ବେଳେ ଏବେ ପଶ୍ଚିମବଙ୍ଗ ପୁଲିସ ଇଡି ଅଧିକାରୀଙ୍କ ନିକଟକୁ ଏହି ନୋଟିସ ପଠାଇଛି। କୋଲକାତା ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଭୁବନେଶ୍ୱରରେ ଇଡିର ଯୁଗ୍ମ ନିର୍ଦ୍ଦେଶକ ଥିବା ସୁବୋଧ କୁମାରଙ୍କୁ ନୋଟିସ ପଠାଯାଇଛି। ସୁବୋଧ କୁମାର ୨୦୧୬ରୁ ୨୦୨୨ ପର୍ଯ୍ୟନ୍ତ ରାଞ୍ଚିରେ ଥିବାବେଳେ ତାଙ୍କୁ କିଛି ମାସ ପୂର୍ବରୁ ଓଡିଶା ବଦଳି କରାଯାଇଥିଲା।

ତେବେ ରାଞ୍ଚିରେ ଜଣେ ବ୍ୟବସାୟୀଙ୍କଠାରୁ ଟଙ୍କା ଆଦାୟ ଅଭିଯୋଗରେ କୋଲକାତା ପୁଲିସ ଝାଡଖଣ୍ଡର ଜଣେ ଓକିଲ ରାଜୀବ କୁମାରଙ୍କୁ ଗିରଫ କରିଥିଲା। ତାଙ୍କଠାରୁ ୫୦ ଲକ୍ଷ ନଗଦ ଟଙ୍କା ଜବତ କରାଯାଇଥିଲା । କୋଲକାତା ପୁଲିସ ପକ୍ଷରୁ କୁହାଯାଇଛି ଯେ ଏହି ଓକିଲ ଜଣକ ଲୋକଙ୍କ ନାମରେ ଜନସ୍ୱାର୍ଥ ମାମଲାରେ ଅଭିଯୁକ୍ତ କରାଇ ଟଙ୍କା ଲୁଟି ନେଉଥିଲେ ଏବଂ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ସେମାନଙ୍କ ଘର ଓ କାର୍ଯ୍ୟାଳୟ ଉପରେ ଚଢ଼ାଉ କରି ସେମାନଙ୍କୁ ଭୟଭୀତ କରିଥିଲେ। କୋଲକାତା ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ଅଭିଯୁକ୍ତ ୨୦୨୧ ମସିହାରେ ରାଞ୍ଚି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ ଯେଉଁଥିରେ କୋଲକାତାର ଏହି ବ୍ୟବସାୟୀଙ୍କୁ ପକ୍ଷଭୁକ୍ତ କରାଯାଇଥିଲା |

ଆଉ ଜନସ୍ୱାର୍ଥ ମାମଲାରୁ ତାଙ୍କ ନାମ ହଟାଇବାକୁ ବ୍ୟବସାୟୀଙ୍କଠାରୁ ୧୦ କୋଟି ଟଙ୍କା ମାଗିଥିଲେ। ଓକିଲ ଏହା ମଧ୍ୟ ଧମକ ଦେଇଥିଲେ ଯେ ଯଦି ସେ ଟଙ୍କା ନ ଦିଅନ୍ତି, ତେବେ ସେ କେନ୍ଦ୍ରୀୟ ଏଜେନ୍ସିକୁ ନେଇ ବ୍ୟବସାୟୀଙ୍କ ଘରେ ଚଢ଼ାଉ କରିବେ। ଆପୋଷ ବୁଝାମଣା ପରେ ୧ କୋଟି ଟଙ୍କାରେ ଏହି ଚୁକ୍ତି ହୋଇଥିଲା। ଆଉ ରାଜୀବ କୁମାର ୫୦ ଲକ୍ଷ ଟଙ୍କା ସଂଗ୍ରହ କରିବାକୁ କୋଲକାତା ଆସିଥିବାବେଳେ ତାଙ୍କୁ ଗିରଫ କରାଯାଇଥିଲା | ତେବେ ପଚରାଉଚରାବେଳେ ଇଡି ଅଧିକାରୀ ସୁବୋଧ କୁମାରଙ୍କ ନାମ ସାମ୍ନାକୁ ଆସିଥିଲା ​​ଏବଂ ଅଭିଯୁକ୍ତଙ୍କ କଲ୍ ଲିଷ୍ଟରେ ଜଣାପଡିଥିଲା ଯେ ସେ ଏହି ଅଧିକାରୀଙ୍କ ସହ ଅନେକ ଥର କଥା ହୋଇଥିଲେ। ସୁବୋଧ କୁମାରଙ୍କୁ ପଚରାଉଚରା ପାଇଁ କୋଲକାତା ପୁଲିସର ଏକ ଟିମ୍ ମଙ୍ଗଳବାର ଦିନ ଭୁବନେଶ୍ୱରରେ ପହଞ୍ଚିବ ବୋଲି କୁହାଯାଉଛି |

ସମ୍ବନ୍ଧିତ ଖବର