୫ ଦେଶ ଫେରାଇବା ପରେ କାମ୍ବୋଡିଆ ବନ୍ଦରରେ ଲାଗିଲା କ୍ରୁଜ ଜାହାଜ ୱେଷ୍ଟରଡ୍ୟାମ

ସିଂଗାପୁର : ସମୁଦ୍ରରେ ଘୁରିବୁଲୁଥିବା କ୍ରୁଜ ଜାହାଜ ୱେଷ୍ଟରଡ୍ୟାମ କୁ ଶେଷରେ ଆଶ୍ରୟ ମିଳିଛି । ଦକ୍ଷିଣ-ପୂର୍ବ ଏସୀୟ ଦେଶ କାମ୍ବୋଡିଆ ଏହି ଜାହାଜକୁ ନିଜ ବନ୍ଦର ବ୍ୟବହାର ପାଇଁ ଅନୁମତି ଦେଇଛି । ଗତ କିଛି ଦିନ ହେଲା ଏହା ସମୁଦ୍ରରେ ଘୁରିବୁଲୁଥିଲେ ମଧ୍ୟ କରୋନା ଭାଇରସ ସଂକ୍ରମଣ ଭୟରେ କୌଣସି ଦେଶ ଏହାକୁ ଅନୁମତି ଦେଉନଥିଲେ । ଏଥିରେ ପ୍ରାୟ ୧୪୫୫ ଜଣ ଯାତ୍ରୀ ଓ ୮୦୨ ଜଣ କର୍ମଚାରୀ ରହିଛନ୍ତି । ଏହି ଜାହାଜ କାମ୍ବୋଡିଆର ସିହାନୋକ ବନ୍ଦରରେ ଡେରା ପକାଇଛି ।

ପୂର୍ବରୁ ଏହି ଜାହାଜରେ ଥିବା ଲୋକମାନେ ସୁସ୍ଥ ଅଛନ୍ତି ଓ କୌଣସି ବ୍ୟକ୍ତି କରୋନା ଭାଇରସ ସଂକ୍ରମିତ ହୋଇନାହାନ୍ତି ବୋଲି ଜାହାଜ ପକ୍ଷରୁ ଦାବି କରାଯାଇଥିଲେ ମଧ୍ୟ ୨୦ ଜଣ ଯାତ୍ରୀ ସଂକ୍ରମିତ ବୋଲି ଜଣାପଡ଼ିଛି ।

ଗତ ପ୍ରାୟ ୧୫ ଦିନ ହେଲା ଏହି ଜାହାଜ ସମୁଦ୍ରରେ ଘୁରି ବୁଲୁଥିଲା । ପୂର୍ବରୁ ଏହି ଜାହାଜକୁ ଜାପାନ, ତାଇଓ୍ଵାନ, ଗୁଆମ,ଫିଲିପାଇନ୍ସ, ଥାଇଲାଣ୍ଡ ଆଦି ଦେଶ ଫେରାଇ ସାରିଲେଣି । ଫଳରେ ଏହି ଜାହାଜରେ ଥିବା ଲୋକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିଲେ । ଏପରିକି ଜାହାଜରେ ଇନ୍ଧନ ଓ ଅନ୍ୟନ୍ୟ ସାମଗ୍ରୀ ମଧ୍ୟ ଶେଷ ହୋଇଯାଇଥିଲା ।

ସୂଚନାଯୋଗ୍ୟ ଯେ ଚୀନର ଉହାନ ସହରରୁ ବ୍ୟାପିଥିବା କରୋନା ଭାଇରସ ଚୀନ ସମେତ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ହୋଇଛି । କେବଳ ଚୀନରେ ଏହି ଭାଇରସରେ ସଂକ୍ରମିତ ହୋଇ ୧୩୫୦ରୁ ଅଧିକ ଲୋକ ପ୍ରାଣ ହରେଇସାରିଲେଣି ।

ସମ୍ବନ୍ଧିତ ଖବର