ନୂଆଦିଲ୍ଲୀ : ଆଦେଶ ଓ ଚେତାବନୀ ସତ୍ତ୍ବେ ପଶ୍ଚିମ ଓଡ଼ିଶାର ଅଦାଲତରେ ଆଇନଜୀବୀ ଆନ୍ଦୋଳନ ଓ କାର୍ଯ୍ୟ ବନ୍ଦକୁ ନେଇ ଆଜି ସୁପ୍ରିମକୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି। ଗତ ଡିସେମ୍ବର ୬ ତାରିଖରେ କୋର୍ଟଙ୍କ ଦ୍ବାରା କାର୍ଯ୍ୟ ବନ୍ଦ ଥିବା ଅଦାଲତମାନଙ୍କର ମାମଲା ଗୁଡ଼ିକୁ ନିକଟସ୍ଥ ଜିଲ୍ଲାର ଅଦାଲତକୁ ସ୍ଥାନାନ୍ତର କରିବା ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।
ଆଜି ଓଡ଼ିଶାର ଆଇନଜୀବୀ ଆନ୍ଦୋଳନ ସମ୍ପର୍କିତ ମାମଲାର ଶୁଣାଣି ସୁପ୍ରିମକୋର୍ଟ ବିଚାରପତି ସଞ୍ଜୀବ କୁମାର କୌଲ ଓ ବିଚାରପତି କେ. ଏମ୍. ୍ଯୋଶେଫଙ୍କ ଖଣ୍ଡପୀଠରେ ହୋଇଥିଲା। ଖଣ୍ଡପୀଠ ଗତ ଡିସେମ୍ବର ୬ର ଆଦେଶରେ ଆନ୍ଦୋଳନ ଓ କାର୍ଯ୍ୟ ବନ୍ଦ ସ୍ଥିତି ସମ୍ପର୍କରେ ଜାଣିବାକୁ ଚାହିଁଥିଲେ। ଓଡ଼ିଶା ହାଇକୋର୍ଟ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଓକିଲ ଶିବ ଶଙ୍କର ମିଶ୍ର ଖଣ୍ଡପୀଠଙ୍କୁ ଓଡ଼ିଶାର କିଛି ଜିଲ୍ଲାମାନଙ୍କରେ ବର୍ତ୍ତମାନ ମଧ୍ୟ କାର୍ଯ୍ୟ ବନ୍ଦ ରହିଥିବା ଅବଗତ କରାଇଥିଲେ। ସେ ପୁଣି କହିଥିଲେ, ଯଦିବା ଓକିଲମାନେ ଅଦାଲତ ମାନଙ୍କରେ କାର୍ଯ୍ୟରେ ଯୋଗ ଦେଇଛନ୍ତି କିନ୍ତୁ ଅଭିନବ ଉପାୟରେ ପ୍ରତ୍ୟେକ ମାସରେ ୪-୫ ଦିନ କାର୍ଯ୍ୟ ବନ୍ଦ ରହୁଛି ତଥା କାର୍ଯ୍ୟ ଦିବସରେ କେବଳ ଜାମିନ ପ୍ରଦାନ ଓ ସ୍ଥଗିତାଦେଶ ଭଳି ମାମଲା ଗୁଡ଼ିକ ପରିଚାଳନା କରାଯାଉଛି। କୋର୍ଟଙ୍କ ଡିସେମ୍ବର ୬ ଆଦେଶ ଅନୁସାରେ ପାଖ ଜିଲ୍ଲାଗୁଡ଼ିକୁ ମାମଲା ସ୍ଥାନାନ୍ତର କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଭିତ୍ତିଭୂମି ତଥା ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ପୂର୍ଣ୍ଣ କରିବା ପାଇଁ ୧ ସପ୍ତାହ ସମୟ ଲାଗିପାରେ ବୋଲି ସେ ଖଣ୍ଡପୀଠଙ୍କୁ ଅବଗତ କରାଇଥିଲେ।
ନିକଟସ୍ଥ ଜିଲ୍ଲା ଅଦାଲତଗୁଡ଼ିରେ ମାମଲା ସ୍ଥାନାନ୍ତର ନହେବା ପ୍ରସଙ୍ଗକୁ ନେଇ ଖଣ୍ଡପୀଠ ଉଦ୍ବେଗ ପ୍ରକାଶ କରିଥିଲେ। ଖଣ୍ଡପୀଠ କହିଥିଲେ ଆଂଶିକ ଭାବେ ଅଦାଲତରେ କାର୍ଯ୍ୟ କରାଯାଇ ପାରିବ ନାହିଁ। ଆଇନଜୀବୀମାନେ ପୂର୍ଣ୍ଣ ରୂପେ କାର୍ଯ୍ୟରେ ଯୋଗ ଦେବା ଆବଶ୍ୟକ, ଅନ୍ୟଥା ମାମଲା ଗୁଡ଼ିକୁ ଜିଲ୍ଲାର ନିକଟସ୍ଥ ଅଦାଲତ ମାନଙ୍କୁ ସ୍ଥାନାନ୍ତର କରିଦିଆଯିବ। ଆଂଶିକ ରୂପେ କୋର୍ଟ କାର୍ଯ୍ୟ କରିବାକୁ ଆଦୌ ବରଦାସ୍ତ କରାଯାଇ ପାରିବ ନାହିଁ ବୋଲି ଖଣ୍ଡପୀଠ କଡ଼ା ଆଭିମୁଖ୍ୟ ପୋଷଣ କରିଥିଲେ। ଏଥିସହିତ, ଯେଉଁ ଆଇନଜୀବୀମାନେ କୋର୍ଟ କାର୍ଯ୍ୟ ଦିବସରେ ଯୋଗ ଦେଉନାହାନ୍ତି, ସେମାନଙ୍କ ବିରୁଦ୍ଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ।
ଏଥିସହିତ, ଆଜିର ଶୁଣାଣି ସମୟରେ ବିଭିନ୍ନ ହାଇକୋର୍ଟରେ ବିଚାରପତିମାନଙ୍କର ନିଯୁକ୍ତିରେ ବିଳମ୍ବ ହେବା ପ୍ରସଙ୍ଗରେ ମଧ୍ୟ ଖଣ୍ଡପୀଠଙ୍କ ନିକଟରେ ଦୃଷ୍ଟିଆକର୍ଷଣ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/supreme-court-newsclick-1.jpg)