୩ୟ ବିଶ୍ବଯୁଦ୍ଧ ଲଗାଇବାକୁ ପୋଲାଣ୍ଡରେ କ୍ଷେପଣାସ୍ତ୍ର ପକାଯାଇଛି  : ରୁଷ୍

କିବ୍ :  ୟୁକ୍ରେନର ପଡ଼ୋଶୀ ଦେଶ ପୋଲାଣ୍ଡରେ କ୍ଷେପଣାସ୍ତ୍ର ପଡ଼ିବା ପରେ ତାହା ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି । ଏହି ଉତ୍ତେଜନା ବିଶ୍ବକୁ ଏକ ୩ୟ ବିଶ୍ବଯୁଦ୍ଧ ଆଡ଼କୁ ଟାଣିନେବାର ଆଶଙ୍କା ଦେଖାଦେଇଛି ।

ରୁଷ ପକ୍ଷରୁ ଏହି କ୍ଷେପଣାସ୍ତ୍ର ମାଡ଼ କରାଯାଇଥିବା ପ୍ରଥମେ ସଂଦେହ କରାଯାଉଥିବାବେଳେ ପରେ ଜଣାପଡ଼ିଥିଲା ଯେ ସେଗୁଡ଼ିକ ୟୁକ୍ରେନର କ୍ଷେପଣାସ୍ତ୍ର ଓ ଭୁଲରେ ପୋଲାଣ୍ଡକୁ ପଳାଇଯାଇଥିଲା । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବି ସେଗୁଡ଼ିକ ରୁଷୀୟ କ୍ଷେପଣାସ୍ତ୍ର ନୁହେଁ ବୋଲି କହିଛନ୍ତି । ପୋଲାଣ୍ଡ ରାଷ୍ଟ୍ରପତି କହିଛନ୍ତି ଯେ କ୍ଷେପଣାସ୍ତ୍ରଗୁଡ଼ିକ କେଉଁ ସ୍ଥାନରୁ ନିକ୍ଷେପ କରାଯାଇଛି, ସେ ସଂପର୍କରେ ତାଙ୍କ ପାଖରେ କୌଣସି ପ୍ରମାଣ ନାହିଁ ।

ଅନ୍ୟପକ୍ଷରେ ରୁଷ ପକ୍ଷରୁ କୁହାଯାଇଛି ଯେ, ୩ୟ ବିଶ୍ବଯୁଦ୍ଧକୁ ଉସୁକାଇବାକୁ ପାଶ୍ଚାତ୍ୟ ଦେଶମାନେ ହାଇବ୍ରିଡ୍ ଯୁଦ୍ଧ ଆରମ୍ଭ କରିଦେଇଛନ୍ତି । ପୋଲାଣ୍ଡରେ କ୍ଷେପଣାସ୍ତ୍ର ପଡ଼ିବା ତାହାକୁ ପ୍ରମାଣିତ କରୁଛି ।

ରୁଷର ଜାତୀୟ ସୁରକ୍ଷା ପରିଷଦର ଉପାଧ୍ୟକ୍ଷ ଡେମିଟ୍ରି ମେଡବେଡେଭ୍ କହିଛନ୍ତି ଯେ ରୁଷ ବିରୋଧରେ ହାଇବ୍ରିଡ ଯୁଦ୍ଧ ଆରମ୍ଭ କରି ପାଶ୍ଚାତ୍ୟ ଦେଶମାନେ ୩ୟ ବିଶ୍ବଯୁଦ୍ଧ ଟାଣିଆଣୁଛନ୍ତି ।

ରୁଷ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ନଭେମ୍ବର ୧୫ ତାରିଖ ଦିନ ପୋଲାଣ୍ଡ ସୀମାଠାରୁ ୩୫ କିଲୋମିଟର ଭିତରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା । ଏଣୁ କ୍ଷେପଣାସ୍ତ୍ର ପୋଲାଣ୍ଡ ଯିବାର ସମ୍ଭାବନା ନାହିଁ ।

ମଙ୍ଗଳବାର ହୋଇଥିବା ଏହି କ୍ଷେପଣାସ୍ତ୍ର ଆକ୍ରମଣରେ ୨ ଜଣ ବ୍ୟକ୍ତି ନିହତ ହୋଇଥିଲେ ।

 

ସମ୍ବନ୍ଧିତ ଖବର