ମସ୍କୋ: ୟୁକ୍ରେନ୍ ଆକ୍ରମଣ ପାଇଁ ପାଶ୍ଚାତ୍ୟ ଦେଶ ମସ୍କୋ ବିପକ୍ଷରେ ଲାଗୁ କରିଥିବା କଟକଣା ବୈଶ୍ବିକ ତୈଳ ଓ ଖାଦ୍ୟ ବଜାରକୁ ଦୁର୍ବଳ କରିଦେବ ବୋଲି ଗୁରୁବାର ଦିନ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ କହିଛନ୍ତି। ଏହାଛଡ଼ା, କଟକଣା ଯୋଗୁଁ ସୃଷ୍ଟି ହୋଇଥିବା ସଙ୍କଟରେ ମଧ୍ୟ ରୁଷ୍ ଅଧିକ ସମୃଦ୍ଧ ହେବ ବୋଲି ସେ ପ୍ରତିଜ୍ଞା କରି କହିଛନ୍ତି।
ଜାରି ହୋଇଥିବା ବ୍ୟାପକ କଟକଣାକୁ ବେଖାତିର୍ କରି ପୁଟିନ୍ କହିଛନ୍ତି, ମସ୍କୋ ଏଭଳି କଟକଣାକୁ ସୁହାଇବା ଭଳି ପ୍ରତିକାର କରିବ।
ୟୁକ୍ରେନ୍ ଆକ୍ରମଣର ୧୫ଶ ଦିନ ଟେଲିଭିଜନ୍ରେ ପ୍ରସାରିତ ସରକାରୀ ବୈଠକରେ ଉଦ୍ବୋଧନ ଦେବା ବେଳେ ପୁଟିନ୍ କହିଛନ୍ତି, ମସ୍କୋ ଉପରେ ପାଶ୍ଚାତ୍ୟର କଟକଣା ଯୁକ୍ତରାଷ୍ଟ୍ର ଆମେରିକା ଏବଂ ୟୁରୋପ୍କୁ କ୍ଷତିଗ୍ରସ୍ତ କରିବା ଆରମ୍ଭ କରିଛି। ସେମାନଙ୍କ ଦରଦାମ ବୃଦ୍ଧି ପାଉଛି, କିନ୍ତୁ ସେସବୁ ଆମର ଭୁଲ୍ ନୁହେଁ। ସେସବୁ ସେମାନଙ୍କର ଭୁଲ୍। ଆମକୁ ଦାୟୀ କରିବା ଅନାବଶ୍ୟକ।
ଯୁଦ୍ଧ-ବିକ୍ଷତ ୟୁକ୍ରେନ୍ ବାଟ ଦେଇ ମଧ୍ୟ ତୈଳ ଓ ଗ୍ୟାସ୍ ରପ୍ତାନି ଚାଲୁ ରଖିଛି ବୋଲି ପୁଟିନ୍ ସୂଚନା ଦେଇଥିଲେ। କିନ୍ତୁ, ଦ୍ରୁତ ତୈଳ ଦର ବୃଦ୍ଧି ପାଇଁ ସେ ପାଶ୍ଚାତ୍ୟ ଦେଶକୁ ଦାୟୀ କରିଛନ୍ତି।
/sambad/media/post_attachments/wp-content/uploads/2022/03/putin1-1024x632.jpg)
ଏହା ବ୍ୟତିରେକେ, ପାଶ୍ଚାତ୍ୟ ଦେଶର କଟକଣା ଯୋଗୁଁ ବୈଶ୍ବିକ ଖାଦ୍ୟ ଦର ମଧ୍ୟ ଦ୍ରୁତ ବେଗରେ ବୃଦ୍ଧି ପାଇବ ବୋଲି ପୁଟିନ୍ ସତର୍କ କରାଇ ଦେଇଛନ୍ତି। କାରଣ ରୁଷ୍ ହେଉଛି ବିଶ୍ବର ଅନ୍ୟତମ ପ୍ରମୁଖ ସାର ଉତ୍ପାଦନକାରୀ ଦେଶ।
ସେ କହିଛନ୍ତି, ଯଦି ସେମାନେ ଆମର ଅର୍ଥନୈତିକ ଏବଂ ସାର ଯୋଗାଣରେ ସମସ୍ୟା ସୃଷ୍ଟି କରନ୍ତି, ତେବେ ସାର ଦର ବୃଦ୍ଧି ପାଇବ ଓ ସେଥିପାଇଁ ଶେଷରେ ଖାଦ୍ୟ ପଦାର୍ଥ ଦର ବୃଦ୍ଧି ପାଇବ।
ଶେଷରେ ସେ କହିଥିଲେ, ମୋର ବିଶ୍ବାସ ରୁଷ୍ବାସୀମାନେ ହୃଦୟଙ୍ଗମ କରିପାରୁଥିବେ ଯେ, ଏଭଳି କୌଣସି ଘଟଣା ନାହିଁ ଯାହାକୁ ଆମେ ସମାଧାନ କରିପାରିବା ନାହିଁ। ସେଭଳି କୌଣସି ଘଟଣା ନିରବଚ୍ଛିନ୍ନ ଭାବେ ଘଟିଚାଲେ ନାହିଁ।